ଜନସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱହୀନତା: ଜଣ୍ଡିସ୍‌କୁ ଡାକୁଛି ଗୋଳିଆପାଣି

ବ୍ରହ୍ମପୁର ଅଫିସ୍‌,୨୬ା୭- ସ୍ବଚ୍ଛ ପାଣି ଯୋଗାଇବାରେ ଜନସ୍ବାସ୍ଥ୍ୟ ବିଭାଗର ବିଫଳତାକୁ ନେଇ ଏବେ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି। ଦୁଇ ଦିନ ହେଲା ପାଇପ୍‌ରେ କେବଳ ଗୋଳିଆ ପାଣି ଆସୁଛି। କାଦୁଅ ମିଶା ମଇଳା ପାଣି। ନା ପାନୀୟ ଯୋଗ୍ୟ, ନା ଅନ୍ୟ କୌଣସି କାମରେ ବ୍ୟବହାର ହୋଇପାରୁଛି। ଏଭଳି ଯଦି ଗୋଳିଆ ପାଣି ଆଉ କିଛି ଦିନ ଆସିବ, ତେବେ ପରିସ୍ଥିତି ସାଂଘାତିକ ହେବ। ଜଣ୍ଡିସ୍‌ ବ୍ୟାପୀବାର ସମ୍ଭାବନା ରହିଛି। ଏଣୁ ପାଣି ଆସୁଥିଲେ ମଧ୍ୟ ଲୋକମାନେ ଜଣ୍ଡିସ୍‌ ଡରରେ ବ୍ୟବହାର କରୁନାହାନ୍ତି। ବ୍ରହ୍ମପୁର ସହରର ଅର୍ଦ୍ଧାଧିକ ଅଞ୍ଚଳରେ ଏବେ ଏପ୍ରକାର ସ୍ଥିତି ସୃଷ୍ଟି ହୋଇଛି। ଲୋକମାନେ ପାଣି ପାଇଁ ରାଗିଲେଣି।
ଅନ୍ୟପଟେ ପାଣି ନମୁନା ପରୀକ୍ଷା କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ବ୍ରହ୍ମପୁର ସହର ଆମ୍ବପୁଆରୁ ପ୍ରାୟ ନୂଆବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଅଞ୍ଚଳକୁ ପାଣି ଯୋଗାଣ ହେଉଛି। ଗତ ୨୦ତାରିଖରୁ ପାଇପ୍‌ ବଦଳା କାମ ଚାଲିଥିଲା ଏହା ଶେଷ ହୋଇଛି। ନୂଆ ପାଇପ୍‌ରେ ପାଣି ଆସୁଛି। କିନ୍ତୁ ଯେଉଁ ପାଣି ଆସୁଛି, ତାହା ଗୋଳିଆ। ଏଣୁ ଗତ ସପ୍ତାହେ ହେଲା ଦେଖାଦେଇଥିବା ପାଣି ସମସ୍ୟା ଦୂର ହେବା ବଦଳରେ ଆହୁରି ଉତ୍କଟ ହେବାରେ ଲାଗିଛି। ମଙ୍ଗଳବାର ବିଳମ୍ବିତ ରାତିରେ ନୂଆ ପାଇପ୍‌ରେ ପାଣି ଯୋଗାଣ ହୋଇଥିଲା, କିନ୍ତୁ ଗୋଳିଆ ପାଣି ଆସିଥିଲା। ଲୋକମାନେ ଆଶା କରୁଥିଲେ ଧୀରେ ଧୀରେ ସ୍ବଚ୍ଛ ପାଣି ଆସିବ। ବୁଧବାର ମଧ୍ୟ ଆସିଲା ଗୋଳିଆ। ଗୁରୁବାର ମଧ୍ୟ ଆଙ୍କୁଲି, ଲାଞ୍ଜିପଲ୍ଲୀ ସହ ଅନ୍ୟ ବହୁ ଅଞ୍ଚଳରେ ଗୋଳିଆ ପାଣି ଆସିଛି। ସ୍ବଚ୍ଛ ପାଣି କେବେ ମିଳିବ, ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ମଧ୍ୟ ଠିକ୍‌ ଭାବେ କହିପାରୁ ନାହାନ୍ତି। ହେଲେ ପାଣି ସଫା କରିବା ଦିଗରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ତେବେ ଗୋଳିଆ ପାଣି ଏବଂ ଅସ୍ବଚ୍ଛ ପାଣି ପିଇଲେ, ଜଣ୍ଡିସ୍‌ରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଫଳରେ ଲୋକମାନେ ଭୟରେ ଅଛନ୍ତି। ଏଡିପିଏଚ୍‌ଓ (ଭିବିଡ଼ି) ଡା. ଆର୍‌. ଜଗଦୀଶ ପଟ୍ଟନାୟକ କହିଛନ୍ତି, ଗୋଳିଆ ଓ ଅଶୁଦ୍ଧ ପାଣି ପିଇଲେ ଜଣ୍ଡିସ୍‌ ହୋଇପାରେ। ଏଣୁ ତୁରନ୍ତ ପାଣିର ନମୁନା ସଂଗ୍ରହ କରିବା ସହ ତାକୁ ପରୀକ୍ଷା କରିବା ପାଇଁ ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ। ଜଣ୍ଡିସ୍‌ ଯେମିତି ନ ବ୍ୟାପେ, ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ
କରିଛନ୍ତି।