ଜନସ୍ବାସ୍ଥ୍ୟରେ ଜନ ସହଯୋଗ

ଡା. ଅଂଶୁମାନ କର
ଜନସ୍ବାସ୍ଥ୍ୟର ଚାରୋଟି ମୂଳ ଆଧାର ହେଲା- ୧. ଜନସ୍ବାସ୍ଥ୍ୟ ସୁରକ୍ଷା, ୨. ଜନସ୍ବାସ୍ଥ୍ୟ ନୀତି, ୩. ରୋଗ ନିରାକରଣ ଅନୁସନ୍ଧାନ, ୪. ଜନସ୍ବାସ୍ଥ୍ୟ ଶିକ୍ଷା। ସ୍ବାସ୍ଥ୍ୟ ସୁରକ୍ଷା ଓ ସ୍ବାସ୍ଥ୍ୟ ନୀତି ଉପରେ ଆଜିକାଲି ଖୁବ୍‌ ପ୍ରାଧାନ୍ୟ ଦିଆଯାଉଛି, ମାତ୍ର ଯେ ପର୍ଯ୍ୟନ୍ତ ଆମର ଅନୁସନ୍ଧାନ, କ୍ଷମତା ଓ ଜନଶିକ୍ଷାର ଉନ୍ନତି ନ ହୋଇଛି ସେ ପର୍ଯ୍ୟନ୍ତ କୌଣସି କାର୍ଯ୍ୟର ସଫଳ ରୂପାୟନ ସମ୍ଭବ ନୁହେଁ। ନିଜର ସ୍ବଳ୍ପ ସମୟର ଡାକ୍ତରୀ ବୃତ୍ତି ଭିତରେ ଅନୁଭବ କରିଥିବା କିଛି ଦୃଷ୍ଟାନ୍ତ ଦ୍ୱାରା ପ୍ରସଙ୍ଗଟି ଆଗକୁ ନେବାକୁ ଚେଷ୍ଟା କରୁଛି।
୨୦୧୬ରେ ଡାକ୍ତରୀ ଡିଗ୍ରୀ ପାଇଲା ପରେ ୨ ବର୍ଷ କାଳ ଭାରତର ଏକ ଖ୍ୟାତନାମା ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିଲି ଦିଲ୍ଲୀରେ। ଏହି ସମୟରେ ପୁସ୍ତକ ଓ ପୁସ୍ତକ ବାହାରେ ପଢ଼ିଥିବା ଅନେକ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀର ଜ୍ଞାନ ଓ କୌଶଳ ପ୍ରାପ୍ତ କରିବାର ସୁଯୋଗ ମିଳିଲା। ରାଜାଙ୍କଠାରୁ ରଙ୍କ ପର୍ଯ୍ୟନ୍ତ ସବୁ ଶ୍ରେଣୀର ଲୋକଙ୍କୁ ମିଳୁଥିବା ସ୍ବାସ୍ଥ୍ୟସେବାକୁ ଖୁବ୍‌ ନିକଟରୁ ଦେଖିଲି। ଏହି ସମୟରେ ଆରମ୍ଭ ହେଇଥିଲା ବିଶ୍ୱର ସର୍ବବୃହତ୍‌ ସ୍ବାସ୍ଥ୍ୟ ଯୋଜନା- ଆୟୁଷ୍ମାନ ଭାରତ। ଏହା ଏକ ଯୁଗାନ୍ତକାରୀ ପରିକଳ୍ପନା, ମାତ୍ର ଏହାର ସମ୍ପୂର୍ଣ୍ଣ ଲାଭ କ’ଣ ପ୍ରକୃତ ହିତାଧିକାରୀଙ୍କୁ ମିଳିପାରୁଛି? ଉପଯୁକ୍ତ ପ୍ରଚାର ପ୍ରସାର ହେଲେ ଲୋକେ ଏହି ଯୋଜନା ବିଷୟରେ ଜାଣିପାରିବେ। ମାତ୍ର ଏକବିଂଶ ଶତାବ୍ଦୀରେ ମଧ୍ୟ ଯେଉଁ ଜାଗାରେ ଟେଲିଫୋନ ତାରଟିଏ ନାହିଁ ସେଠି ଆୟୁଷ୍ମାନ ଭାରତ କ’ଣ, ବିଜୁ ସ୍ବାସ୍ଥ୍ୟ ବି ପହଞ୍ଚି ପାରିବନି।
ଆୟୁଷ୍ମାନ ଭାରତର ବିଶ୍ଳେଷଣ କରି ଏକ ଖବରକାଗଜରେ ଲେଖିଥିଲି-ଆୟୁଷ୍ମାନ ଭାରତର ଆୟୁଷ ଶିକ୍ଷିତ ଭାରତ ଉପରେ ନିର୍ଭର କରୁଛି। ଆଶାତୀତ ଜନ ସମାଗମ ଯୋଗୁ ଦିଲ୍ଲୀ ଆଜି ଏକ ବଡ଼ ସମସ୍ୟା ପାଲଟିଛି। ପ୍ରତିଦିନ ସେଠାକାର ବାୟୁ, ଜଳ ଓ ସ୍ଥଳ ଜୀବନ ଲାଗି ଅନୁପଯୋଗୀ ହୋଇ ଚାଲିଛି। ମୁଁ ନିଜେ ଦିନେ ଏକ ସ୍ବାସ୍ଥ୍ୟ ଶିବିରରେ ଟିବି (ଯକ୍ଷ୍ମା) ଆକ୍ରାନ୍ତ ଏକ ପରିବାରର ଯନ୍ତ୍ରଣା ଦେଖି ଡରିଯାଇଥିଲି। ମା’ଟି ନିଜର ଦୁଃଖ କହିବାକୁ ଯାଇ କହିଲା- ଏ ପିଲାଟି ମୋର ତୃତୀୟ ସନ୍ତାନ। ତା’ ବାପା ଟିବିରେ ଗଲେ। ମୋ ବଡ଼ପୁଅ ବି ଟିବିରେ ଗଲା। ଦ୍ୱିତୀୟ ପୁଅର ଧୀରେ ଧୀରେ ସେଇସବୁ ଲକ୍ଷଣ ଦେଖାଯାଉଛି। ଏବେ ଏଇ ଛୁଆଟିକୁ କ’ଣ କରିବି? ଡାକ୍ତରବାବୁ ମୋତେ ମୁକ୍ତି ଦେଇଦିଅ। ପ୍ରଶ୍ନ କଲି, ଏଠି ଏତେ ଗହଳିରେ କାହିଁକି ରହୁଛ? ନିଜ ଗାଁକୁ ଫେରି ଯାଉନ। ଉତ୍ତର ଆସିଲା- ବାବୁ ଯେତେ ହେଲେ ବି ଗାଁ ଲୋକେ ଜାଣନ୍ତି ଆମେ ଦିଲ୍ଲୀରେ ଅଛୁ। ଏହା ଆମ ଲାଗି ବଡ଼ କଥା।
ଏହି ଉତ୍ତର ମୋତେ କ୍ଷଣକ ଲାଗି କରିଦେଇଥିଲା ଅବାକ୍‌। ଆଜି ମଧ୍ୟ ଆମ ଗାଁ ଗହଳି ଲୋକଙ୍କର ସହରରେ ମିଳୁଥିବା ସୁବିଧା ସୁଯୋଗ ପ୍ରତି ଏକ ଅନ୍ଧ ଆକର୍ଷଣ ଅଛି। କୃଷିପ୍ରଧାନ ଦେଶର କୃଷକ ନିଜ ପୁଅକୁ ଚାଷୀ କରିବାକୁ ଚାହୁଁନି। ସେ ତାକୁ ଡାକ୍ତର, ଅଫିସର, ଇଞ୍ଜିନିୟର, ଓକିଲ ଆଦି କରିବାକୁ ଇଚ୍ଛୁକ। ଏହା ତ ଏକ ବିକାଶଶୀଳ ରାଷ୍ଟ୍ର ଲାଗି ଭଲ କଥା। ତେବେ ଭୁଲ୍‌ ରହିଲା କେଉଁଠି? ଭୁଲ୍‌ ରହିଲା ଆମ ଶିକ୍ଷାର ସ୍ତର ଓ ସୁବିଧାରେ। ପ୍ରଥମେ ଭଲ ଶିକ୍ଷା ପରେ ଭଲ ଚାକିରି ଆଶାରେ ଯୁବକମାନେ ସହର ଅଭିମୁଖୀ ହେଉଛନ୍ତି। ଗାଁରେ ପ୍ରାଥମିକ ସ୍ବସ୍ଥ୍ୟକେନ୍ଦ୍ର ଖୋଲିଲା ସତ ମାତ୍ର ଗାଁ ଲୋକଙ୍କୁ ସେଠାକୁ ଯିବା ଲାଗି ପ୍ରେରିତ କରିବାବାଲା ପାଠୁଆ ଲୋକ ରହିଲେ ସହରରେ। ଅଜ୍ଞ ଲୋକ ଯେ ପର୍ଯ୍ୟନ୍ତ ସାଂଘାତିକ ଭାବେ ରୋଗାକ୍ରାନ୍ତ ନ ହୋଇଛି ସେ ଡାକ୍ତରଖାନା ଯିବନି। ଆଉ ଯେବେ ଯାଏ ତା’ ଲାଗି ଆବଶ୍ୟକ ସ୍ବାସ୍ଥ୍ୟ ସରଞ୍ଜାମ ପ୍ରାଥମିକ କେନ୍ଦ୍ରରେ ଉପଲବ୍ଧ ହୁଏ ନାହିଁ। ଆମ ସମାଜ ବ୍ୟବସ୍ଥାର ଏହା ଏକ ନିରାଟ ସତ୍ୟ। ଯିଏ ଯାହା କହୁ ପଛେ ଏବେ ବି ଅନେକ ସୋପାନ ଚଢ଼ିବାର ଅଛି ଆମକୁ। ସୁତରାଂ ଜନ-ଶିକ୍ଷାର ଏକ ବୃହତ୍‌ ପ୍ରଭାବ ଜନସ୍ବାସ୍ଥ୍ୟ ଉପରେ ଅଛି। ଏକ ଶିକ୍ଷିତ ବ୍ୟକ୍ତି ହିଁ ଏକ ସ୍ବଚ୍ଛ ଓ ସୁସ୍ଥ ଜୀବନକୁ ଆପଣେଇପାରିବ। ଶିକ୍ଷା ଥିଲେ ଦିଲ୍ଲୀରେ ଘର ନୁହେଁ ବରଂ ଘରକୁ ଦିଲ୍ଲୀ କରାଯାଇପାରିବ। ସାଧାରଣରେ ବିଶ୍ୱାସ ଅଛି ଯେ, ଦିଲ୍ଲୀ-ମୁମ୍ବାଇ ଭଳି ସହରରେ ଦେଶର ସବୁଠାରୁ ଉତ୍କୃଷ୍ଟ ସୁଯୋଗ ଅଛି। ମାତ୍ର ଏହା ଏକ ଭ୍ରାନ୍ତ ବିଚାରଧାରା। ଖାଲି ଦିଲ୍ଲୀ କାହିଁକି ଆମ ଭୁବନେଶ୍ୱର ମଧ୍ୟ ଏହି Over urbanisation (ଅତି-ସହରୀକରଣ)ର ଶିକାର ହେଉଛି।
ଦିଲ୍ଲୀରୁ ଆସି ଯେତେବେଳେ ଓଡ଼ିଶାର ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଏକ ଉପାନ୍ତ ଜଙ୍ଗଲ ଭିତରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଲି ଡର ଥିଲା ଅନେକ ରୋଗର। ସବୁଠାରୁ ବଡ଼ ଭୟ ଥିଲା ମ୍ୟାଲେରିଆ ପ୍ରତି। କିନ୍ତୁ ବିଗତ ଏକବର୍ଷର ତଥ୍ୟ ଆକଳନ କଲି ଦେଖିବାକୁ ପାଇଲି ଯେ ଏଠାରେ ଆଦୌ ମ୍ୟାଲେରିଆ ନାହିଁ। ମାତ୍ର ଆଜି ଆପଣ ପ୍ରତିଦିନ ଖବରକାଗଜରେ ପଢୁଥିବେ, ଭୁବନେଶ୍ୱରର ଏକ ବସ୍ତିରୁ ଏତିକି ଡେଙ୍ଗୁ ରୋଗୀ ଚିହ୍ନଟ ହେଲେ। ଥରେ ବିଚାର କରନ୍ତୁ ଏହା କେମିତି ଏକ ବିଚିତ୍ର ପରିସ୍ଥିତି। ରାଜ୍ୟର ରାଜଧାନୀରେ ମଶା ଉପଦ୍ରବ, ମାତ୍ର ରାଜ୍ୟର ଜଙ୍ଗଲରେ ମଶାମାନେ କିଛି କରିପାରୁ ନାହାନ୍ତି! ଏଠି ଆସେ ଜନ-ଶିକ୍ଷାର ଭୂମିକା। ଉନ୍ନତମାନର ଜନଶିକ୍ଷା ବା ଜନସଚେତନତା ହିଁ ଆମର ଜନକଲ୍ୟାଣ କାର୍ଯ୍ୟକ୍ରମର ସଫଳତା ପାଇଁ ମୂଳ ଅସ୍ତ୍ର। ଗାଁ ଲୋକେ ଅଳ୍ପ ପାଠୁଆ। ତେଣୁ ତାଙ୍କୁ ମଶାରି ବଣ୍ଟା ଗଲାରୁ ସେମାନେ ଖୁସି। ଏହାକୁ ନିୟମିତ ବ୍ୟବହାର କଲେ ଓ ଗାଁ ପରିବେଶକୁ ସଫା ରଖିଲେ। ମାତ୍ର ଆମର ସହରୀ ବାବୁମାନେ ତ ବଡ଼ ବଡ଼ ପାଠୁଆ ନା, ମଶାରି ଉପରେ ତର୍ଜମା କରିବେ, ତା’ ପରେ ଯାଇ ବ୍ୟବହାର କରିବେ। ମାତ୍ର ମଶାରି ଆରପଟେ ଥିବା ଜମିଥିବା ପାଣିକୁ ସଫା କରିବେନି। ସେଇଥିରୁ ଜାତ ହୁଅନ୍ତି ମଶାବଂଶ।
ଏପରି ଅନେକ ଉଦାହରଣ ଦିଆଯାଇପାରେ। ମୂଳ କଥା ହେଲା ଆମେ ଆମର ଜନସ୍ବାସ୍ଥ୍ୟ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା। ଡାକ୍ତର କିମ୍ବା ସରକାର ଚାହିଁଲେ ରାତାରାତି ଭାରତକୁ ସ୍ବଚ୍ଛ ଭାରତ ବା ସୁସ୍ଥ ଭାରତ କରିପାରିବେ ନାହିଁ। ଏହା ଲାଗି ସବୁଠାରୁ ଅଧିକ ଆବଶ୍ୟକ ହେଉଛି ଗୁଣାତ୍ମକ ଶିକ୍ଷା ଓ ସଚେତନତା।
ଅନ୍ୟ ଏକ ଦିଗ ହେଲା ଅନୁଶୀଳନ। ଆଜି ଆମ ପାଖରେ ଯେତିକି ସ୍ବାସ୍ଥ୍ୟ ନୀତି ବା ଯୋଜନା ଅଛି, ଯଦି ଆସନ୍ତା ଏକ ଦଶନ୍ଧି ପର୍ଯ୍ୟନ୍ତ ଆଉ କିଛି ନୂଆ ପ୍ରକଳ୍ପ ନ ଅଣାଯାଏ ତେବେ ମଧ୍ୟ ଭାରତ ବିଶ୍ୱରେ ଏକ ଆଦର୍ଶ ସ୍ବାସ୍ଥ୍ୟସେବାର ମାନଦଣ୍ଡ ହୋଇପାରିବ। ମାତ୍ର ଏହି ଯୋଜନାଗୁଡ଼ିକୁ କେବଳ କାଗଜକଲମରେ ଚାଲୁ ରଖିଲେ କିଛି ହେବନି। ଯକ୍ଷ୍ମା ରୋଗର ଖାଲି ଔଷଧ ବାଣ୍ଟିଦେଲେ ଦେଶ ଯକ୍ଷ୍ମାମୁକ୍ତ ହୋଇ ପାରିବନି। ଏଥିଲାଗି ଆବଶ୍ୟକ ଲୋକଙ୍କ ଜୀବନଶୈଳୀଭିତ୍ତିକ ଅନୁସନ୍ଧାନ। ଯେଉଁଠି ଏକ ସାଧାରଣ ଲୋକର Average Living space ସଂକୁଚିତ ହେଉଛି ସେଠି ଆମେ ତାକୁ କିପରି ବାୟୁ-ଜଳ-ଖାଦ୍ୟଜନିତ ରୋଗରୁ ରକ୍ଷା କରିପାରିବା ତାହା ଦେଖିବା ଦରକାର। ପୁରୁଣା ଓ ନୂଆ ଚିକିତ୍ସା ପ୍ରଣାଳୀକୁ ମିଳିତ ଭାବେ କିପରି ଜନ ଉପଯୋଗୀ କରାଯାଇପାରିବ ସେଥିଲାଗି ଅଧିକ ଗବେଷଣା ଦରକାର। ଉନ୍ନତ ମାନର ଔଷଧ ଓ ଚିକିତ୍ସା ପ୍ରଣାଳୀ କାହିଁକି ଅଧିକରୁ ଅଧିକ ଲୋକଙ୍କ ପାଖକୁ ଯାଇପାରୁନି ତାହର ତର୍ଜମା ହେବା ଦରକାର। ଆୟୁଷ୍ମାନ ଭାରତ ହେଉ ବା ବିଜୁ ସ୍ବାସ୍ଥ୍ୟ ଯୋଜନା ସମସ୍ତ କାର୍ଯ୍ୟକ୍ରମର ମୂଳରେ ଯେଉଁ ଜନତାଙ୍କୁ ରଖାଯାଇଛି ସେମାନଙ୍କ ଉତ୍ତମ ଶିକ୍ଷା ଓ ସଚେତନତା ଏହି ପ୍ରକଳ୍ପଗୁଡ଼ିକର ସଫଳତାର ବାଟ ପ୍ରଶସ୍ତ କରିବ। ଜନସ୍ବାସ୍ଥ୍ୟ କେବଳ ଡାକ୍ତର ଓ ଡାକ୍ତରଖାନାର ଦାୟିତ୍ୱ ନୁହେଁ, ଏହା ଜନତାର ଭାଗୀଦାରି ଓ ଭାବନାର କେନ୍ଦ୍ର ହେବା ଦରକାର।
ଏନ-୧/୧୮୩, ନୂଆପଲ୍ଲୀ, ଭୁବନେଶ୍ୱର, ମୋ- ୯୭୭୮୦୩୦୪୯୪


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri