ଜଙ୍ଗଲର କୋହ

ସଂପ୍ରତି ଅଷ୍ଟ୍ରେଲିଆ ମହାଦେଶରେ ବିସ୍ତୀର୍ଣ୍ଣ ଜଙ୍ଗଲ ଅଞ୍ଚଳ ଅଗ୍ନିର ପ୍ରକୋପରେ ଧ୍ୱଂସ ହେଉଥିବାର ଘଟଣା ସାରା ବିଶ୍ୱ ପାଇଁ ଉକତ୍ଟ ଚିନ୍ତାର କାରଣ ହୋଇଛି। ଗତ ଅକ୍ଟୋବରରେ ଆରମ୍ଭ ହୋଇଥିବା ଏହି ବିପର୍ଯ୍ୟୟକୁ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ମୁକାବିଲା କରାଯାଇପାରି ନାହିଁ। ଏହି ନିଆଁର ପ୍ରଭାବରେ ୩୩ ଜଣ ଲୋକ ପ୍ରାଣ ହରାଇବା ସହ ୧୦୦ କୋଟି ପର୍ଯ୍ୟନ୍ତ ଜଙ୍ଗଲ ପ୍ରାଣୀଙ୍କ ଜୀବନ ଯାଇଥିବା ଅନୁମାନ କରାଯାଉଛି। ଏଥିରେ୨,୫୦୦ ଘର ନଷ୍ଟ ହେବା ସହ ୧,୧୭,୦୦୦ ବର୍ଗ କିଲୋମିଟର ପାଖାପାଖି ଜାଗା ଜଳି ପାଉଁଶ ହୋଇଯାଇଛି। ସ୍ଥାନୀୟ ସାଧାରଣ ନାଗରିକ ଓ ଟୁରିଷ୍ଟମାନଙ୍କୁ କ୍ଷତିଗ୍ରସ୍ତ ଅଞ୍ଚଳରୁ ଉଦ୍ଧାର କରାଯାଇ ସେଠାକୁ ପୁନଃ ପ୍ରବେଶ ନିମନ୍ତେ ବାରଣ କରାଯାଇଛି। ଏହି ଅଗ୍ନିର ଧୂଆଁ ପଡ଼ୋଶୀ ନିଉଜିଲାଣ୍ଡ୍‌ ଦେଶରେ ଥିବା ଗ୍ଲାସିୟର୍‌କୁ ବାଦାମୀ ରଙ୍ଗରେ ପରିବର୍ତ୍ତନ କରିଛି ଏବଂ ପ୍ରଶାନ୍ତ ମହାସାଗର ପଥରେ ୧୧,୦୦୦ କିଲୋମିଟର ଅତିକ୍ରମ କରି ଦକ୍ଷିଣ ଆମେରିକାର ଚିଲି ଦେଶର ଆକାଶରେ ମଧ୍ୟ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତି ବିଶ୍ୱତାପନ, ପାଣିପାଗ ପରିବର୍ତ୍ତନ ଓ ପର୍ଯ୍ୟାବରଣର ସମସ୍ୟାକୁ ଅଧିକ ଜଟିଳ କରିଛି। ସେଠାରେ ଏହି ଗ୍ରୀଷ୍ମରେ ତାପମାତ୍ରା ସର୍ବାଧିକ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଥିଲା। ପ୍ରତ୍ୟକ୍ଷ ଓ ପରୋକ୍ଷ ରୂପେ ହୋଇଥିବା କ୍ଷୟକ୍ଷତି କେବଳ ଅଷ୍ଟ୍ରେଲିଆ ନୁହେଁ, ବରଂ ପ୍ରକୃତି ପାଇଁ ଆକଳନର ବାହାରେ। ଏପରି ସ୍ଥିତିରେ ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନ ଥିବାକୁ ନେଇ ପରିବେଶବିତ୍‌ମାନେ ଅଷ୍ଟ୍ରେଲିଆ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହି ଅବଧି ମଧ୍ୟରେ ଅଷ୍ଟ୍ରେଲିଆ ସରକାର ସେଠାରେ ଗଚ୍ଛିତ ଥିବା କୋଇଲା ଖଣି ଉତ୍ତୋଳନ ନିମନ୍ତେ ଭାରତୀୟ ଉଦ୍ୟୋଗ ଆଦାନି ଗ୍ରୁପ୍‌କୁ ଅନୁମତି ଦେବା ସ୍ଥାନୀୟ ଜନତାଙ୍କ ଅସନ୍ତୋଷର କାରଣ ହୋଇଥିଲା। ଏହା ପ୍ରକୃତିର ଶୋଷଣ ସହ କୋଇଲା ଦହନରୁ ପରିବେଶକୁ ହେଉଥିବା କ୍ଷତି ଏବଂ ମାତ୍ରାଧିକ କୋଇଲା ରପ୍ତାନିର ଜାହାଜ ଦ୍ୱାରା ଦଖଲରେ ରହୁଥିବା ଭାରତ ମହାସାଗରର ଇକୋ ସିଷ୍ଟମ୍‌ର ବଳୟ ଉପରେ ପଡୁଥିବା ପ୍ରଭାବକୁ ନେଇ ସେମାନେ ଉଦ୍‌ବେଗ ପ୍ରକାଶ କରିଥିଲେ।
ନିଜ ବାସସ୍ଥାନ ହରାଇ ଜଙ୍ଗଲ ନିଆଁରେ ଆଘାତପ୍ରାପ୍ତ ହୋଇ ଅନେକ ନିରୀହ ପ୍ରାଣୀଙ୍କ ଅର୍ଦ୍ଧଦଗ୍ଧ ଶରୀର ତଥା ଆର୍ତ୍ତ ଯନ୍ତ୍ରଣାରେ ଜର୍ଜରିତ ସ୍ଥିତିର ବାସ୍ତବ ପ୍ରତିଛବି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ହେଲିକପ୍ଟର୍‌ ମାଧ୍ୟମରେ ଜଙ୍ଗଲରେ ଫସିଥିବା ପଶୁମାନଙ୍କ କ୍ଷୁଧା ନିବାରଣ ପାଇଁ ଗାଜର ଓ ଅନ୍ୟାନ୍ୟ ସବୁଜ ପରିବା ଫିଙ୍ଗା ଯାଇଥିଲା, ଯାହାକୁ ସେମାନେ ଧରି ଖାଉଥିବା ଦେଖିବାକୁ ମିଳିଥିଲା।
ଅଗ୍ନି ନିର୍ବାପନ ନିମନ୍ତେ ଅନେକ ସାଧାରଣ ବ୍ୟକ୍ତି ମଧ୍ୟ ସ୍ବୟଂସେବକ ରୂପେ ଯୋଗ ଦେଇଥିଲେ, ଯାହା କି ସ୍ବାଗତଯୋଗ୍ୟ। ଅନେକ ଦେଶ ଅଗ୍ନି ନିର୍ବାପକର ଆଧୁନିକ ଗାଡି, ତାଲିମ୍‌ପ୍ରାପ୍ତ ଲୋକବଳ ଓ ଉପଯୁକ୍ତ ଫଣ୍ଡିଂ ମାଧ୍ୟମରେ ସହଯୋଗର ହାତ ବଢାଇଥିଲେ। ନିଆଁ ଲିଭାଇବା ପାଇଁ ଉଡାଜାହାଜରେ ପାଣି ବହନ କରି ଆକାଶ ମାର୍ଗରୁ ସିଞ୍ଚନ କରିବା ସମୟରେ ଦୁର୍ଭାଗ୍ୟବଶତଃ ଦୁର୍ଘଟଣା ଘଟିବାରୁ ୩ ଜଣ ଆମେରିକୀୟ କର୍ମୀଙ୍କ ପ୍ରାଣହାନି ହୋଇଥିଲା।
ଅପବୃଷ୍ଟି ଏହି ବିପର୍ଯ୍ୟୟକୁ ଅଧିକ ଗୁରୁତର କରିଥିଲା। ଅଗ୍ନିର ପରିସୀମା ବଢି ବଢି ଯାଇଥିଲା ଏବଂ ନିଆଁ ଲିଭାଇବା ପାଇଁ ଜଳ ବିନିଯୋଗ ପରେ ଅଷ୍ଟ୍ରେଲିଆରେ ଉକତ୍ଟ ଜଳାଭାବ ଦେଖା ଦେଇଥିଲା। ମରୁଡି ଭଳି ପରିସ୍ଥିତିରୁ ବର୍ତ୍ତିବା ପାଇଁ ଅଷ୍ଟ୍ରେଲିଆ ସରକାରଙ୍କୁ ୫,୦୦୦ରୁ ଊର୍ଦ୍ଧ୍ୱ ଓଟଙ୍କୁ ଗୁଳିକରି ମାରିବାକୁ ପଡିଥିଲା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖଦ। ସେମାନଙ୍କ ଯୁକ୍ତି ଥିଲା ଓଟମାନେ ମାତ୍ରାଧିକ ପାଣି ପିଇବା ସହ ସମୟ ସମୟରେ ଜଳାଶୟରେ ପଡି ମୃତ୍ୟୁମୁଖରେ ପଡ଼ିଥାନ୍ତି ଓ ଉକ୍ତ ଜଳାଶୟକୁ ଦୂଷିତ ତଥା ବ୍ୟବହାର ଅନୁପଯୋଗୀ କରିଥାନ୍ତି।
ବିଗତ ବର୍ଷ ଦକ୍ଷିଣ ଆମେରିକାରେ ଆମାଜନ୍‌ ରେନ୍‌ ଫରେଷ୍ଟରେ ନିଆଁ ଲାଗି ବ୍ୟାପକ କ୍ଷତି ଘଟିଥିଲା। ପୃଥିବୀର ଫୁସ୍‌ଫୁସ୍‌ କୁହାଯାଉଥିବା ଏହି ଆମାଜନ୍‌ ଜଙ୍ଗଲ ଏକ ରେନ୍‌ ଫରେଷ୍ଟ ହୋଇଥିବା ସତ୍ତ୍ବେ ନିଆଁ ଦ୍ୱାରା ଦୀର୍ଘଦିନ ପର୍ଯ୍ୟନ୍ତ କବଳିତ ରହିଲା। ଘଡ଼ଘଡ଼ି ବିଜୁଳି ତଥା ଝଡ଼ ସମୟରେ ଡାଳ ଡାଳ ଘର୍ଷଣ ଯୋଗୁ ନିଆଁ ଲାଗିବାର ପ୍ରାକୃତିକ କାରଣ ବ୍ୟତୀତ ଦୁଇଟି କାରଣକୁ ଏହି ଜଙ୍ଗଲ ନିଆଁ ପାଇଁ ଅନୁମାନ କରାଯିବା ସ୍ବାଭାବିକ୍‌। ପ୍ରଥମତଃ ମନୁଷ୍ୟକୃତ କାର୍ଯ୍ୟକଳାପ ଏହି ନିଆଁକୁ ପ୍ରଶ୍ରୟ ଦେଇଛି। ଜଙ୍ଗଲ ଭୂଇଁରେ ଚାଷ କାର୍ଯ୍ୟ ଓ ଗୋରୁମାନଙ୍କ ପାଇଁ ଚରାଭୂଇଁର ସୃଷ୍ଟି ନିମନ୍ତେ ନିଆଁ ଲଗାଇ ଗଛ ପଦା କରିବା ସମୟରେ ତାହା ଜଟିଳ ରୂପ ନେଇ ବ୍ୟାପି ଥିବା ସମ୍ଭବ। ଦ୍ୱିତୀୟରେ ସହରୀକରଣ, ଖଣି ଉତ୍ତୋଳନ, ରାସ୍ତା ନିର୍ମାଣ, ଡ୍ୟାମ୍‌ ନିର୍ମାଣ ଆଦି କାର୍ଯ୍ୟକଳାପ ଯୋଗୁ ଦୀର୍ଘଦିନରୁ ହୋଇ ଆସୁଥିବା ଜଙ୍ଗଲ ନଷ୍ଟର ଧାରା ପ୍ରାକୃତିକ ସନ୍ତୁଳନକୁ ବିଗାଡ଼ିି ଦେଇଛି। ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବୃକ୍ଷଗୁଡ଼ିକ ପତ୍ରରୁ ନିର୍ଗତ ଜଳୀୟବାଷ୍ପ ବୃଷ୍ଟିପାତରେ ସହାୟକ ହୋଇଥାଏ। ଜଙ୍ଗଲ ହ୍ରାସ ଯୋଗୁ ବୃଷ୍ଟିପାତରେ ଅନିୟମିତତା ପରିଲକ୍ଷିତ ହୋଇଛି। ସ୍ବଳ୍ପ ବର୍ଷା ପ୍ରାକୃତିକ ଉପାୟରେ ନିଆଁ ଲିଭାଇବାରେ ଅସମର୍ଥ, ଯେଉଁଥିପାଇଁ ଆମାଜନ୍‌ ଜଙ୍ଗଲ ବା ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଥିବା ଅଗ୍ନି ଉଗ୍ରରୂପ ଧାରଣ କରିଥିଲା।
ଭବିଷ୍ୟତରେ ଏହିପରି ବିପର୍ଯ୍ୟୟର କଡ଼ା ମୁକାବିଲା ନିମନ୍ତେ ବିଶ୍ୱବାସୀ ପ୍ରସ୍ତୁତ ରହିଥିବା ଜରୁରୀ। ଜଙ୍ଗଲ କ୍ଷୟକୁ ରୋକିବା ସହ ନୂତନ ଜଙ୍ଗଲ ସୃଷ୍ଟିକୁ ଗୁରୁତ୍ୱ ଦେବା ଏବଂ ଉପଯୁକ୍ତ ଆଇନ୍‌ ବ୍ୟବସ୍ଥାର କାର୍ଯ୍ୟକାରିତା ତଥା ପ୍ରଯୁକ୍ତି ଜ୍ଞାନ କୌଶଳ ଦ୍ୱାରା ଜଙ୍ଗଲ ନିଆଁର ନିରୀକ୍ଷଣତାକୁ ପ୍ରାଧାନ୍ୟ ଦେବା ଅପରିହାର୍ଯ୍ୟ। ଏହାବ୍ୟତୀତ ଦେଶର ସରକାର ଉଚିତ ନୀତି ପ୍ରଣୟନ ଓ ପ୍ରଶାସନର ତପତ୍ରତା ଉପରେ ଧ୍ୟାନ ଦେବା ଆବଶ୍ୟକ। ଜଙ୍ଗଲର କୋହକୁ ମଣିଷ ସମାଜ ହୃଦୟଙ୍ଗମ କରିବା ସଭ୍ୟତାର ଅସ୍ତିତ୍ୱ ବଜାୟ ରଖିବା ନିମନ୍ତେ ଏକାନ୍ତ ଆବଶ୍ୟକ।

ଅଂଶୁମାନ ଦାଶ,

ଡେପୁଟି ମ୍ୟାନେଜର, ଏନ୍‌ଟିପିସି, ଭୁବନେଶ୍ୱର, ମୋ-୯୪୩୭୫୬୫୩୯୩

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri