କରୋନା ବନାମ ବିଶ୍ବଗ୍ରାମ ଯୋଜନା

ଜ୍ଞାନବିଜ୍ଞାନର ଦ୍ରୁତ ବିକାଶ ଫଳରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଣିଷ ପାଇଛି ଅଭୂତପୂର୍ବ ସଫଳତା। ମାତ୍ର ବିଶ୍ବବ୍ୟାପୀ ବିଶେଷଜ୍ଞମାନଙ୍କ ନିରବଚ୍ଛିନ୍ନ ଓ ନିଷ୍ଠାପର ଉଦ୍ୟମ ସତ୍ତ୍ବେ ଥମିବାର ନାଁ ଧରୁନି କରୋନା ସଂକ୍ରମଣ। ଯେଉଁ ଆମେରିକାର ଧମକରେ ଥରହର ହୁଏ ସମଗ୍ର ବିଶ୍ବ, ସେଭଳି ଶକ୍ତିଶାଳୀ ରାଷ୍ଟ୍ର ବି ଆଜି ଖୋଜିପାଉନି କରୋନା ସଂକ୍ରମଣରୁ ବର୍ତ୍ତିବାର ଉପାୟ। ଅର୍ଥାତ୍‌ କରୋନା ଆଗରେ ଏଯାବତ ହାର ମାନିଛି ଜ୍ଞାନଗରିମା, ଅର୍ଥ ଓ ପ୍ରତିପତ୍ତି। ସେଥିପାଇଁ ସାରା ବିଶ୍ବରେ ଏବେ ସେହି ଗୋଟିଏ ଆତଙ୍କ କରୋନା ଭାଇରସ୍‌ ବା କୋଭିଡ-୧୯। ଏହା କେଉଁଠୁ ବାହାରିଲା, କେମିତି ବ୍ୟାପିଲା, କେଉଁ ଦେଶରେ ସଂକ୍ରମଣ ହାର କେତେ ବଢ଼ିଲା ଓ କେଉଁଠି କି ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଗଲା ଆଦି ତଥ୍ୟକୁ ନେଇ ଏବେ ଅତିମାତ୍ରାରେ ସକ୍ରିୟ ଅଛି ଗଣମାଧ୍ୟମ। ତଥ୍ୟ କହେ, ଗତ ଡିସେମ୍ବରରେ ଚାଇନାର ଉହାନ ପ୍ରଦେଶରୁ ଆରମ୍ଭ ହୋଇଥିବା କରୋନାକୁ ଆବିଷ୍କାର କରିଥିଲେ ଜଣେ ବିଶେଷଜ୍ଞ ଡାକ୍ତର। ଏଥିରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଡାକ୍ତର ଜଣକ ସେବା ଯୋଗାଇ ଦେଇଥିଲେ ନିଜ ଜୀବନକୁ ବାଜି ଲଗେଇ। ଦୁର୍ଭାଗ୍ୟର ବିଷୟ ସଂକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିଲେ ଉତ୍ସର୍ଗୀକୃତ ସେବା ଯୋଗାଇ ଦେଇଥିବା ଡାକ୍ତର ଜଣକ। ଅନ୍ୟ କେଉଁ ଦେଶ ହୋଇଥିଲେ ସେଭଳି ଡାକ୍ତରଙ୍କ ଉପରେ ଅଜାଡି ହୋଇ ପଡିଥାନ୍ତା ପ୍ରଶଂସା ଓ ସହାନୁଭୂତି। ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଆଗେଇ ଆସିଥାନ୍ତା ରାଷ୍ଟ୍ର। ମାତ୍ର ଏସବୁ ତ ଦୂରର କଥା ଚିକିତ୍ସା କରୁଥିବା ବେଳେ ଘଟଣା ପ୍ରଘଟ ନ କରିବା ପାଇଁ ତାଙ୍କ ଉପରେ କଟକଣା ଜାରି କରିଥିଲେ ଚାଇନା ସରକାର।
ସାଧାରଣତଃ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ କେହି ଅନାହାରରେ ମରିଗଲେ ସାରା ଦେଶରେ ସୃଷ୍ଟି ହୁଏ କମ୍ପନ। ଆରମ୍ଭ ହୋଇଯାଏ ସରକାର ଓ ବିରୋଧୀଙ୍କ ଭିତରେ ଲଢେଇ। ମାତ୍ର ଚାଇନା ଭଳି କମ୍ୟୁନିଷ୍ଟ ରାଷ୍ଟ୍ରରେ ଶହ ଶହ ଲୋକ ସଂକ୍ରମଣରେ ମରିଗଲେ ବି ବାହାରକୁ ପ୍ରକାଶ ପାଏନି ତଥ୍ୟ। କାରଣ ଗଣତାନ୍ତ୍ରିକ ରାଷ୍ଟ୍ରରେ ଖବର ପ୍ରକାଶ କରିବା ପାଇଁ ଗଣମାଧ୍ୟମ ଯେମିତି ତତ୍ପର, ସେଠାରେ ଖବର ଘୋଡ଼ାଇବା ପାଇଁ ସରକାର ସେତିକି ସକ୍ରିୟ। ଏ କଥା କିନ୍ତୁ ସତ୍ୟ ଯେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଆର୍ଥିକ ଦୃଷ୍ଟିରୁ ଚାଇନା ଏକ ଶକ୍ତିଶାଳୀ ରାଷ୍ଟ୍ର। ସେହି କାରଣରୁ ତା’ର ସମସ୍ତ ମାନବ ସମାଜକୁ ବିନିଯୋଗ କରି ସେ ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିପାରିଛି ବହୁମାତ୍ରାରେ। ବାସ୍ତବରେ ସେଠାରେ କରୋନା ଯେଭଳିି ବ୍ୟାପକ ରୂପ ଧାରଣ କରିଥିଲା, ତାହା ଅନ୍ୟ କେଉଁ ଦୁର୍ବଳ ଦେଶ ହୋଇଥିଲେ ତାକୁ କେବେ ନିୟନ୍ତ୍ରଣକୁ ଆଣି ପାରି ନ ଥାନ୍ତା । ସେ ଯାହା ବି ହେଉ କରୋନାର ଉତ୍ପତ୍ତି ସ୍ଥଳ ଚାଇନାରେ ଏହା କିଛି ପରିମାଣରେ ନିୟନ୍ତ୍ରଣକୁ ଆସିଥିବା ବେଳେ ତାହା ଉଗ୍ରରୂପ ଧାରଣ କରୁଛି ଅନ୍ୟାନ୍ୟ ରାଷ୍ଟ୍ରରେ। ପରିସ୍ଥିତି ସବୁଠୁ ଜଟିଳ ହୋଇପଡିଛି ଇଟାଲୀରେ।
କରୋନା ବିରୋଧରେ ଏବେ ସାରା ବିଶ୍ବରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ଚାଲିଛି ମିଳିତ ଚକ୍ରବୂ୍ୟହ ରଚନା। ମାତ୍ର କରୋନାକୁ ନିରସ୍ତ୍ର କରିବା ପାଇଁ ବିଶ୍ବର କୌଣସି ଦେଶ ଏଯାଏ ପାଇନି ସଫଳତା। ଅର୍ଥାତ ଏକ ଭୂତାଣୁ ଆଗରେ ଅସହାୟ ହୋଇପଡିଛି ସର୍ବଶକ୍ତିମାନ ମଣିଷ। କେବଳ ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ କରୋନା ପୀଡ଼ିତ ରାଷ୍ଟ୍ରଗୁଡିକ ଗ୍ରହଣ କରିଛନ୍ତି ସ୍ବଚ୍ଛତା ଓ ସଚେତନତା ରୂପକ ପ୍ରାରମ୍ଭିକ ରଣନୀତି। ଭୂତାଣୁ ଓ ମଣିଷ ଭିତରେ ଆରମ୍ଭ ହୋଇଥିବା ଏ ବିଶ୍ବ ଯୁଦ୍ଧରେ ମଣିଷର ଜିତାପଟ ହୋଇପାରେ, ମାତ୍ର ଏହା କେତେ ଦିନ ଚାଲିବ ଓ ମଣିଷକୁ କେତେ ମୂଲ୍ୟ ଦେବାକୁ ପଡ଼ିବ,ତାହା ଅନୁମାନ ଓ ଆକଳନ ବାହାରେ।
ବିଡମ୍ବନାର ବିଷୟ ହେଉଛି ଏକବିଂଶ ଶତାବ୍ଦୀର ଏହି ଦୁଃଖଦାୟକ ଘଟଣାର ଅନ୍ତ କେମିତି ହେବ,ତାହା ମଣିଷ ସମାଜ ଆଗରେ ଏକ ବିରାଟ ପ୍ରଶ୍ନବାଚୀ ହୋଇ ଉଭା ହୋଇଥିବା ବେଳେ କରୋନା ଉପରେ ସମ୍ଭାବ୍ୟ ବିଷୟକୁ ନେଇ ଦେଶ ଦେଶ ଭିତରେ ଆରମ୍ଭ ହୋଇଗଲାଣି ବିବାଦ। କଥାରେ ଅଛି ‘ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ’। ତେଣୁ କରୋନା ଭାଇରସ୍‌ର ପ୍ରତିଷେଧକ ଟିକା ବିକଶିତ କରିବା ଦିଗରେ ପ୍ରତିଯୋଗିତା ଏକ ଶୁଭ ଲକ୍ଷଣ। ମାତ୍ର ଏଭଳି ସଙ୍କଟ ବେଳେ କୌଣସି ଉନ୍ନତ ରାଷ୍ଟ୍ର ଯଦି ନିଜର ବ୍ୟବସାୟିକ ବୁଦ୍ଧି ପ୍ରୟୋଗ କରି ଅୟୁତ କୋଟି ଡଲାର ରୋଜଗାର ମତଲବରେ ରହନ୍ତି, ତାହା କରୋନା ଭାଇରସ୍‌ଠାରୁ ବି ଭୟଙ୍କର।
ତୁଳନାତ୍ମକ ଭାବରେ ଭାରତରେ କରୋନା ସଂକ୍ରମଣ ଏତେ ଭୟଙ୍କର ହୋଇ ନ ଥିଲେ ମଧ୍ୟ ଭାରତ ସରକାରଙ୍କ ପକ୍ଷରୁ ଏହାକୁ ଜାତୀୟ ବିପତ୍ତି ବୋଲି ଘୋଷଣା ହେବା ସହିତ ଗ୍ରହଣ କରାଯାଇଛି ବ୍ୟାପକ ସତର୍କତାମୂଳକ ପଦକ୍ଷେପ। କାରଣ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ଅନ୍ୟାନ୍ୟ ରାଷ୍ଟ୍ରଠାରୁ ଦୁର୍ବଳ। ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରକାଶିତ (୨୦୧୬) ଏକ ତଥ୍ୟ ଅନୁସାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତର ବ୍ୟୟବରାଦ ହେଉଛି ମୋଟ ବଜେଟର ମାତ୍ର ୩.୧୪ ପ୍ରତିଶତ। ଏହି ସମୟରେ ଏହା ଚାଇନାରେ ୯.୦୫ ହୋଇଥିବା ବେଳେ ଇଟାଲୀରେ ୧୩.୪୭ ପ୍ରତିଶତ।
ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି ଭାରତରେ ଟିକା, ଔଷଧ ଓ ଚିକିତ୍ସା ଉପକରଣ ଶିଳ୍ପ ନିର୍ଭର କରେ ଚାଇନାର କଞ୍ଚାମାଲ ଉପରେ। ଚାଇନାର ବିପତ୍ତି ଓ ବାଣିଜ୍ୟ କଟକଣା ଯଦି ଜାରି ରହେ ତେବେ ଗୁରୁତର ଭାବେ ପ୍ରଭାବିତ ହେବ ଭାରତର ଔଷଧ ଶିଳ୍ପ। ଏହି ସବୁ ଦିଗକୁ ବିଚାରକରି ଘାତକ କରୋନା ବିରୋଧରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଏଯାବତ କରୋନାର ପ୍ରତିଷେଧକ ଟିକା ବାହାରି ନ ଥିବାରୁ ସଚେତନତା ଓ ସଂଯମକୁ ସର୍ବୋତ୍ତମ ପ୍ରତିଷେଧକ ଭାବରେ ଗ୍ରହଣ କରିନେବା ଉଚିତ ଏବଂ ଏହା ଭଲ ଭାବେ ଉପଲବ୍ଧି କରିସାରିଛନ୍ତି ଭାରତର ଜନସାଧାରଣ। ଏହାକୁ ଦୃଷ୍ଟିରେ ରଖି ସାଧାରଣ ଜୀବନଯାତ୍ରା ଉପରେ କଟକଣା ଜାରି ହୋଇଛି ଏବଂ ଏହାଦ୍ବାରା ସୃଷ୍ଟି ହୋଇଛି କିଛି ଅତିରିକ୍ତ ସଂକଟ। ଏପ୍ରିଲ ପନ୍ଦର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ଲକ୍‌ଡାଉନ୍‌ ଅବଧି। ଆପାତକାଳୀନ ବ୍ୟବସ୍ଥା ପାଇଁ ଏହା ଏକମାତ୍ର ଉପାୟ ହୋଇପାରେ, ମାତ୍ର ଏହି ଅବଧି ମଧ୍ୟରେ ସରକାର ଦିନ ମଜୁରିଆ ଓ ଅନ୍ୟାନ୍ୟ ଖଟିଖିଆ ଲୋକଙ୍କ ପ୍ରତି ଦୃଷ୍ଟି ନ ଦେଲେ ସେମାନଙ୍କ ପାଇଁ ଚମତ୍କାର ହୋଇପଡ଼ିବ ଖାଦ୍ୟଚିନ୍ତା।
କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସବୁ ଦେଶ ଏବେ ଗ୍ରହଣ କରିନେଇଛି ସଙ୍ଗରୋଧ ନୀତି। କରୋନାକୁ ନେଇ ନିଜ ନିଜ ସୀମାକୁ ଆବଦ୍ଧ କରି ସାରିଲେଣି ସବୁ ଦେଶ। ସୀମାପାର ଯାତାୟାତ ଓ ଆମଦାନୀ ରପ୍ତାନି ଉପରେ ଲାଗିଲାଣି କଟକଣା। ସାଂଘାତିକ ଭାବରେ ପ୍ରଭାବିତ ହେଲାଣି ବିଶ୍ବ ବାଣିଜ୍ୟ ଓ ଅର୍ଥନୀତି। ଏହି ସଙ୍ଗରୋଧ ଫଳରେ ଜଗତୀକରଣଠାରୁ ଏକ ନିଃସଙ୍ଗ ବିଶ୍ବ ଆଡ଼କୁ ଟାଣିହୋଇ ଯାଉଛି ପ୍ରତ୍ୟେକ ଦେଶ। ଏଭଳି ସ୍ଥିତିରେ ଭୌତିକ ଜଗତୀକରଣ ନୁହେଁ, ଭାରତୀୟମାନେ କହି ଆସିଥିବା ଆତ୍ମିକ ବିଶ୍ବାୟନର ମହତ୍ତ୍ୱ ଉପଲବ୍ଧି କରୁଛି ବିଶ୍ବ। ଆଲିଙ୍ଗନ ଓ କରମର୍ଦ୍ଦନ ବଦଳରେ ନମସ୍କାରକୁ ଭକ୍ତି ଓ ସମ୍ମାନର ପ୍ରତୀକ ଭାବେ ଗ୍ରହଣ କରିଆସିଛି ଭାରତୀୟ ସଂସ୍କୃତି। ତାକୁ ଅସ୍ପୃଶ୍ୟତାର ପ୍ରତୀକ କହି ନାକ ଟେକୁଥିବା ପାଶ୍ଚାତ୍ୟବାସୀ ଆଜି ମର୍ମେ ମର୍ମେ ଅନୁଭବ କରୁଛନ୍ତି ହାତଯୋଡ଼ି ନମସ୍କାର କରିବାର ମହତ୍ତ୍ୱ। ଭାରତୀୟ ସଂସ୍କୃତି କହେ, ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।’ ଏବେ ଏହି ମନ୍ତ୍ରକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ରୋଗୀସେବା କରୁଛନ୍ତି ଡାକ୍ତରମାନେ। ଜୀବନକୁ ବାଜି ଲଗାଇ ରଣାଙ୍ଗନର ସୈନିକ ପରି ସେମାନେ ଲଢ଼ି ଚାଲିଛନ୍ତି କରୋନା ବିରୋଧରେ। ବିବିଧତା ମଧ୍ୟରେ ଏକତା ହିଁ ଭାରତର ଶକ୍ତି ଓ ସଂହତି। ଜାତୀୟ ସ୍ବାର୍ଥ ତଥା ଦେଶ ଓ ବିଶ୍ବବାସୀଙ୍କ କଲ୍ୟାଣ ପାଇଁ ଦଳଗତ ନିର୍ବିଶେଷରେ ଭାରତବାସୀ ଏବେ ଯେଉଁ ଏକତା ଓ ସଂହତି ପ୍ରଦର୍ଶନ କରିଛନ୍ତି, ସେଥିରେ ଚକିତ ହୋଇଛି ବିଶ୍ବ।
ରୋଗ ହେଉ ବା ଯୁଦ୍ଧ, ଏହା କେବଳ ନିର୍ଦ୍ଦିଷ୍ଟ ଲୋକଙ୍କୁ ପ୍ରଭାବିତ କରେନି, ବରଂ ଏଥିରେ ପ୍ରଭାବିତ ହୁଏ ସମଗ୍ର ଦେଶ ଓ ମଣିଷ ଜାତି। ବିଶ୍ବତାପନ ଯୋଗୁ ବିସ୍ତୀର୍ଣ୍ଣ ବରଫାବୃତ ମହାଦେଶରେ ଜଳପ୍ଳାବନ ସୃଷ୍ଟି ହେବା ସହ ହଜାର ହଜାର ବର୍ଷ ଧରି ହିମଖଣ୍ଡରେ ଲୁଚି ରହିଥିବା ଜୀବାଣୁ, ଭୂତାଣୁମାନେ ସାରା ବିଶ୍ବକୁ ଆକ୍ରାନ୍ତ କରିବା ନେଇ ବୈଜ୍ଞାନିକମାନେ ଯେଉଁ ସତର୍କ ବାଣୀ ଶୁଣାଇଥିଲେ , ସେ ସମୟ ବୋଧହୁଏ ଉପନୀତ। ଏଭଳି ସ୍ଥିତିରେ ଭୟଭୀତ ନ ହୋଇ ସତର୍କତାର ସହ କରୋନାର ମୁକାବିଲା ନିମନ୍ତେ ସାହସ ସଞ୍ଚୟ କରିବା ସବୁଠାରୁ ବଡ଼କାମ।

ଡ. ପ୍ରଫୁଲ୍ଲ କୁମାର ସାହୁ,
ଅଧ୍ୟକ୍ଷ, ଫୁଲମତୀ ହେମ୍ଭ୍ରମ ମହାବିଦ୍ୟାଳୟ, ପଡ଼ିଆବେଡ଼ା, ମୟୂରଭଞ୍ଜ ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri