ଜଗନମୋହନଙ୍କ ନିଷ୍ପତ୍ତିକୁ ଶ୍ରୀକାନ୍ତଙ୍କ ସମର୍ଥନ: କହିଲେ ଏହା ‘ଐତିହାସିକ’; ଓଡ଼ିଶାରେ ଅତିକମ୍‌ରେ ୩ ଜଣଙ୍କୁ କରାଯାଉ

ଭୁବନେଶ୍ୱର,୭।୬(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ମନ୍ତ୍ରୀମଣ୍ଡଳରେ ୫ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ଏ ନେଇ ସେ ଶୁକ୍ରବାର ଘୋଷଣା କରିବା ପରେ ଦେଶ ତଥା ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ବିଶେଷକରି ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ଓ କପୁ ସମୁଦାୟର ୫ ଜଣଙ୍କୁ ସେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛନ୍ତି। ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଶୁକ୍ରବାର କହିଛନ୍ତି।

ଧରିତ୍ରୀ ସହ ସାକ୍ଷାତକାର ସମୟରେ ଶ୍ରୀକାନ୍ତ କହିଛନ୍ତି, ଜଗନମୋହନ ରେଡ୍ଡିଙ୍କ ଏହି ନିଷ୍ପତ୍ତି ଏକ ଐତିହାସିକ ନିଷ୍ପତ୍ତି। ଏହାର ଏକ ଦୂରଗାମୀ ପ୍ରଭାବ କେବଳ ଆନ୍ଧ୍ର ରାଜନୀତିରେ ନୁହେଁ ବରଂ ଭାରତର ରାଜନୀତିରେ ପଡ଼ିବାକୁ ଯାଉଛି। ଓଡ଼ିଶାରେ ମଧ୍ୟ ଜଣେ ଆଦିବାସୀ, ଦଳିତ ତଥା ପଛୁଆ ବର୍ଗର ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ଏବଂ ଅନ୍ୟମାନଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ମୁଁ ପୂର୍ବରୁ କହିଥିଲି। ହେଲେ ଘଟଣାକୁ ନେଇ ମୋତେ କଂଗ୍ରେସରୁ ବିଦା ହେବାକୁ ପଡ଼ିଥିଲା। ଏବେ ଜଗନମୋହନଙ୍କ ଏହି ପଦକ୍ଷେପକୁ ନେଇ ମୁଁ ବହୁତ ଖୁସି। ସେ ସବୁ ବର୍ଗକୁ ନେଇ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ଦିଗରେ ଉଦ୍ୟମ କରିଛନ୍ତି। ଭାବୁଛି ଦେଶରେ ଅନ୍ୟ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହାକୁ ଅନୁସରଣ କରିବେ। ଓଡ଼ିଶା ଏଭଳି ଏକ ରାଜ୍ୟ ଯେଉଁଠାରେ ପଛୁଆ ତଥା ଦଳିତ ଲୋକଙ୍କ ସଂଖ୍ୟା ୯୪ଭାଗ। ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କୁ ବଛା ଯାଇ ସାରିଲାଣି। ଏଣୁ ଏବେ ଶୀଘ୍ର ଅତିକମ୍‌ରେ ୩ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ସେ ଆଶା କରୁଥିବା କହିଛନ୍ତି।

Share