ଛୋଟ ସୁନା ଦୋକାନୀଙ୍କ ଉପରେ ଚଢ଼ାଉ, ବଡ଼ ବଡ଼ିଆଙ୍କୁ ମାଫ୍‌

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): କଟକ ଓ ଭୁବନେଶ୍ୱରରେ ଥିବା ବଡ଼ ବଡ଼ ସୁନାଦୋକାନ ଉପରେ ଯୋଗାଣ ବିଭାଗ ଅଧିକାରୀ ଚଢ଼ାଉ କରିବାକୁ ସାହସ ଜୁଟାଉନାହାନ୍ତି। କେତେକ ହାତଗଣତି ଛୋଟ ସୁନାଦୋକାନ ଉପରେ ଚଢ଼ାଉ କରି ଦାୟିତ୍ୱ ଶେଷ କରୁଛନ୍ତି। ଏହି ଦାୟିତ୍ୱରେ ଥିବା ସରକାରୀ ଅଧିକାରୀମାନଙ୍କ ସାଧୁତା ଏବଂ ସଚ୍ଚୋଟତା ଉପରେ ପ୍ରଶ୍ନ ଉଠିଛି। କଟକ ଓ ଭୁବନେଶ୍ୱରରେ ଥିବା ଗୋଟିଏ ମାତ୍ର ସୁନାଦୋକାନ ଉପରେ ଚଢ଼ାଉ କରାଯାଇ ନ ଥିବା ନେଇ ବୁଧବାର ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହି ଦୁଇଟି ସହରରେ ବଡ଼ ବଡ଼ ଏବଂ ନାମକରା ସୁନାଦୋକାନ ଥିଲେ ମଧ୍ୟ କୌଣସି ଗୋଟିଏ ସୁନାଦୋକାନର ନାମ ଯୋଗାଣ ବିଭାଗ ପକ୍ଷରୁ ଦିଆଯାଇଥିବା ତାଲିକାରେ ନାହିଁ। ପ୍ରଶ୍ନୋତ୍ତର ବେଳେ କେବଳ ଶାସକ ଏବଂ ବିରୋଧୀ ସଦସ୍ୟ ନୁହନ୍ତି, ଖୋଦ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ସନ୍ଦେହ ପ୍ରକଟ କରିଛନ୍ତି। ବିଭିନ୍ନ ମାପ ଓ ଓଜନ ପକାଇ ଚଢ଼ାଉ ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ଉଭୟ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଏହି ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଦେବାକୁ ବାଚସ୍ପତି ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ମଧ୍ୟ କହିଛନ୍ତି ଯେ,ସାରୁ ଭିତରେ ନାରୁ ରହିଛି। ଏହାର ବିଧିବଦ୍ଧ ତଦନ୍ତ କରିବାକୁ ମୁଁ ଗୃହକୁ ପ୍ରତିଶ୍ରୁତି ଦେଉଛି ବୋଲି ମନ୍ତ୍ରୀ କହିଛନ୍ତି।