Categories: ଖେଳ

ଛକା, ଚୌକା ବର୍ଷା: କୋଲକାତା ବିଜୟୀ

କୋଲକାତା, ୨୯।୪- ଛକା, ଚୌକା ବର୍ଷା ମଧ୍ୟରେ କୋଲକାତା ନାଇଟ ରାଇଡର୍ସ ରବିବାର ଇଡେନ ଗାର୍ଡେନରେ ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ୩୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। କୋଲକାତା ପକ୍ଷରୁ ଧାର୍ଯ୍ୟ ୨୩୩ ରନ ବିଜୟ ଲକ୍ଷ୍ୟର ପିଛା କରି ମୁମ୍ବାଇ ୨୦ ଓଭରରେ ୭ ଉଇକେଟ ହରାଇ ୧୯୮ ରନ କରିବାକୁ ସକ୍ଷମ ହୋଇଛି। ଟପ୍‌ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ସହଜରେ ହାର ମାନି ନ ଥିଲା ମୁମ୍ବାଇ। ହାର୍ଦ୍ଦିକ ପାଣ୍ଡ୍ୟା ୩୪ ବଲ୍‌ରୁ ବିସ୍ଫୋରକ ୯୧(୬ ଚୌକା, ୯ ଛକା) ରନର ଇନିଂସ ଖେଳି କୋଲକାତା ବୋଲରଙ୍କ ନିଦ ହଜାଇ ଦେଇଥିଲେ। ତେବେ ଏହି ଅଲରାଉଣ୍ଡର ଆଉଟ ହେବା ପରେ ମୁମ୍ବାଇର ବିଜୟ ଆଶା ଶେଷ ହୋଇଯାଇଥିଲା। ମ୍ୟାଚରେ ୩୫ଟି ଚୌକା ଓ ୨୯ଟି ଛକା ଦେଖିବାକୁ ମିଳିଥିଲା। ଚଳିତ ଆଇପିଏଲରେ କ୍ରମାଗତ ୬ମ୍ୟାଚ ହାରିବା ପରେ କୋଲକାତାର ଏହାଥିଲା ପ୍ରଥମ ବିଜୟ। ଅନ୍ୟପକ୍ଷରେ ୪ ସିଜନ ପରେ ମୁମ୍ବାଇ ବିପକ୍ଷରେ ପ୍ରଥମଥର ପାଇଁ ବିଜୟୀ ହୋଇଛି କୋଲକାତା। ଏଥିସହ ଦଳ ୧୨ ମ୍ୟାଚରୁ ୫ମ ବିଜୟ ସହ ୧୦ ପଏଣ୍ଟରେ ପହଞ୍ଚତ୍ ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରଖିଛି। ଅନ୍ୟପକ୍ଷରେ ମୁମ୍ବାଇ ସମାନ ସଂଖ୍ୟାକ ମ୍ୟାଚ ଖେଳି ୧୪ ପଏଣ୍ଟରେ ସ୍ଥିର ରହିଛି।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କୋଲକାତା ଶୁବମନ ଗିଲ୍‌ ଓ କ୍ରିସ୍‌ ଲିନ୍‌ଙ୍କ ମାଧ୍ୟମରେ ଚମତ୍କାର ଆରମ୍ଭ କରିଥିଲା। ଦୁହେଁ ଓପନିଂ ଯୋଡ଼ିରେ ୫୭ ବଲ୍‌ରୁ ୯୬ ରନ ସଂଗ୍ରହ କରି ବୃହତ୍‌ ସ୍କୋର ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ୨ ଜଣ ଯାକ ଓପନର ବିସ୍ଫୋରକ ଇନିଂସ ଖେଳିଥିଲେ। ଲିନ୍‌ ୨୯ ବଲ୍‌ରୁ ୮ ଚୌକା ଓ ୨ ଛକା ସହାୟତାରେ ୫୪ ରନ କରି ୧୦ମ ଓଭରର ତୃତୀୟ ବଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଶୁବମନ ୪୫ ବଲ୍‌ରୁ ୬ ଚୌକା ଓ ୪ ଛକା ସହ ୭୬ ରନ କରିଥିଲେ। ବ୍ୟାଟିଂ କ୍ରମରେ ପଦୋନ୍ନତି ପାଇ ଆନ୍ଦ୍ରେ ରସେଲ ୩ ନମ୍ବରରେ ଆସିବା କୋଲକାତା ପାଇଁ ଶୁଭଙ୍କର ହୋଇଥିଲା। ଫର୍ମରେ ଥିବା ରସେଲ ଧୂଆଁଧାର ବ୍ୟାଟିଂ କରି ୪୦ ବଲ୍‌ରୁ ୬ ଚୌକା ଓ ୮ ଛକା ସହାୟତାରେ ୮୦ ରନରେ ଅପରାଜିତ ରହିବାରୁ ନାଇଟ ରାଇଡର୍ସ ୨୦ ଓଭରରେ ୨ ଉଇକେଟ ହରାଇ ୨୩୨ ରନ ସ୍କୋର କରି ପାରିଥିଲା। ଅଧିନାୟକ ଦୀନେଶ କାର୍ତ୍ତିକ ୭ ବଲ୍‌ରୁ ୧୫(୧ ଚୌକା, ୧ ଛକା) ରନରେ ଅପରାଜିତ ରହିଥିଲେ। ୨୩୨ ରନ ଚଳିତ ସିଜନରେ ସର୍ବାଧିକ ଦଳଗତ ଇନିଂସ। ମୁମ୍ବାଇର ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିବାବେଳେ ରାହୁଲ ଚହର ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ରୋହିତ ଶର୍ମା ଅଧିନାୟକଭାବେ ଏଠାରେ ୧୦୦ତମ ମ୍ୟାଚ ଖେଳିଥିଲେ। ଅନ୍ୟପକ୍ଷରେ ନାଇଟ ରାଇଡର୍ସର ଟି୨୦ରେ ଏହାଥିଲା ୧୦୦ତମ ବିଜୟ।

Share