Categories: ଖେଳ

ଚିତ୍ରାଙ୍କୁ ସ୍ବର୍ଣ୍ଣ, ଅଜୟଙ୍କୁ ରୌପ୍ୟ

ଦୋହା, ୨୫।୪(ପି.ଟି.)- ଭାରତର ପି.ୟୁ. ଚିତ୍ରା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ନିଜର ମହିଳା ୧୫୦୦ ମିଟର ଟାଇଟଲ ବଜାୟ ରଖିଛନ୍ତି। ସେ ୪:୧୪.୫୬ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରତିଯୋଗିତାରେ ଭାରତର ଏହାଥିଲା ତୃତୀୟ ସ୍ବର୍ଣ୍ଣ ପଦକ। ଚିତ୍ରା ଭୁବନେଶ୍ୱରରେ ଅନୁଷ୍ଠିତ ପୂର୍ବ ସଂସ୍କରଣରେ ମଧ୍ୟ ୪:୧୭.୯୨ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପୁରୁଷ ୧୫୦୦ ମିଟରରେ ଅଜୟ କୁମାର ସରୋଜ ସିଜନ ଶ୍ରେଷ୍ଠ ୩:୪୩.୧୮ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ଇଭେଣ୍ଟରେ ବାହାରିନର ଆବ୍ରାହମ୍‌ କିପ୍‌ଚିର୍‌ଚିର୍‌ ରୋଟିଚ୍‌ ୩:୪୨.୮୫ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୪x୪୦୦ ମିଟର ରିଲେରେ ଭାରତ ରୌପ୍ୟ ପଦକ ହାସଲ କରିଛି। ପ୍ରାଚୀ, ପୁଭମ୍ମା ରାଜୁ ମଚେତିରା, ସରିତାବେନ ଲକ୍ଷ୍ମଣଭାଇ ଗାଏକ୍ୱାଡ ଓ ବିସ୍ମୟା ଭେଲୁଭାକୋର୍ଥଙ୍କୁ ନେଇ ଗଠିତ ଭାରତୀୟ ଦଳ ୩:୩୨.୨୧ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଏଥିରେ ବାହାରିନ(୩:୩୨.୧୦ ସେକେଣ୍ଡ) ଦଳକୁ ସ୍ବର୍ଣ୍ଣ ପଦକ ମିଳିଥିଲା।

Share