ଚିକିତ୍ସା ପରେ ଫେରିବେ ଆଣ୍ଡାମାନର ନାବିକ: ୨୬ ଦିନ ସମୁଦ୍ର ପାଣି ପିଇ ବଞ୍ଚିଥିଲେ

ବ୍ରହ୍ମଗିରି/କୃଷ୍ଣପ୍ରସାଦ, ୨୭ା୧୦(ଡି.ଏନ୍‌.ଏ.): ଅଥଳ ସମୁଦ୍ର ମଧ୍ୟରେ ହେଲା ସାମୁଦ୍ରିକ ଝଡ଼। ବୋଟ୍‌ରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଦିଗହରା ହୋଇ ପହଞ୍ଚିଲେ ମ୍ୟାନ୍‌ମାର ଉପକୂଳରେ। ସାଙ୍ଗରେ ଥିଲେ ସାଥୀ ନାବିକ ଦିବ୍ୟରଞ୍ଜନ ବିଶ୍ୱାସ। ସେଠାରୁ ତଟ ସୁରକ୍ଷା ବାହିନୀଙ୍କ ସହାୟତାରେ କିଛି ବାଟ ଅତିକ୍ରାନ୍ତ କରିବା ପରେ ପୁନର୍ବାର ଦୁହେଁ ଆଉ ଏକ ସାମୁଦ୍ରିକ ଝଡର ଶିକାର ହେଲୁ। ଏଥିରେ ବୋଟ୍‌ଟି କ୍ଷତିଗ୍ରସ୍ତ ହେବା ସହ ଦିବ୍ୟରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ୩ଦିନ ଧରି ମୃତ ସାଥୀଙ୍କୁ ବୋଟ୍‌ରେ ରଖିବାପରେ ଦୁର୍ଗନ୍ଧ ହେବାରୁ ଶେଷରେ ବାଧ୍ୟହୋଇ ମୃତଦେହକୁ ସମୁଦ୍ରରେ ଫିଙ୍ଗିବାକୁ ପଡ଼ିଲା। ବୋଟ୍‌ରୁ ତେଲ ସରିଯାଇଥିବାବେଳେ ପାଖରେ ଖାଦ୍ୟ କି ପାଣି ମୁନ୍ଦେ ନ ଥିଲା। କେବଳ ସମୁଦ୍ରର ପାଣି ହିଁ ଜୀବନ ବଞ୍ଚାଇବାର ଏକମାତ୍ର ଉପାଦାନ ଥିଲା। ଏହି ଲୁଣି ପାଣି ପିଇ ୨୬ଦିନ ଧରି ସଂଘର୍ଷ କରି ଶେଷରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଖିରିସାହି ସମୁଦ୍ର ଉପକୂଳରେ ପହଞ୍ଚିଲେ। ଏପରି କୋହଭରା କଣ୍ଠରେ ନିଜ ଦୁଃଖଦ କାହାଣୀ କହିିଛନ୍ତି ସୁଦୂର ଆଣ୍ଡାମାନର ନାବିକ ଅମ୍ରିତ କୁଜୁର।
କୁଜୁରଙ୍କ ଘର ଆଣ୍ଡାମାନ ମାୟାଭୁନ୍ଦେର ଲାଉଖି ନାଲାହର ଅଞ୍ଚଳରେ। ସେ ଦିବ୍ୟରଞ୍ଜନଙ୍କ ସହ ଗତ ଅଗଷ୍ଟ ୨୮ରେ ପୋର୍ଟବ୍ଲେୟାରରୁ ପଣ୍ୟ ସାମଗ୍ରୀ ନେଇ ବୋଟରେ ବାହାରିଥିଲେ। ଏହାର ପ୍ରାୟ ୫୭ଦିନ ପରେ ଗତ ଗୁରୁବାର ରାତିରେ ତାଙ୍କ ଭଙ୍ଗା ବୋଟ୍‌ ଭାସି ଆସି ଲାଗିଥିଲା ଖିରିସାହି କୂଳରେ। ୨ ଥର ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହେବା ଏବଂ ୨୬ ଦିନ ଭୋକ ଉପାସରେ ରହିବା ସତ୍ତ୍ୱେ ଜୀବନ ବଞ୍ଚତ୍ୟାଇଥିବାରୁ ସେ ଭଗବାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାସହ ଫୋନ ଯୋଗେ ସ୍ତ୍ରୀ ଲିଲି ନିଛପଙ୍କୁ ଘଟଣା ସମ୍ପର୍କରେ କହି କାନ୍ଦି ପକାଇଥିଲେ। ପୁରୀ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି, ନାବିକ କୁଜୁରଙ୍କ ଚିକିତ୍ସା ଚାଲିଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ତାଙ୍କୁ ଆଣ୍ଡାମାନ ପଠାଇ ଦିଆଯିବ। ସେ ଏଠାରେ ପହଞ୍ଚିବା ନେଇ ଆଣ୍ଡାମାନ ପ୍ରଶାସନକୁ ଅବଗତ କରାଯାଇଛି।