ବରଗଡ,୨୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ରହିଛି। ତେବେ ଏହି ବୈଠକ ପୂର୍ବରୁ ସକାଳୁ ପୋଲିସ କେତେକ ଚାଷୀନେତାଙ୍କୁ ଉଠାଇ ନେଇ ବିଭିନ୍ନ ଥାନାରେ ଅଟକ ରଖିବା ଚର୍ଚ୍ଚାର ବିଷୟ ହୋଇଛି। ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ଚାଷୀନେତା ଈଶାନ୍ତ ଭୋଇ, ଉତ୍ପନ୍ନ କୁମାର ଭୋଇ, ସୁଦାମ ପାତ୍ର ପ୍ରମୁଖଙ୍କୁ ଏଭଳି ପୋଲିସ ଅଟକ ରଖିଛି।
ସୂଚନାଯୋଗ୍ୟ, ପଞ୍ଜୀକରଣରୁ ବାଦ ପଡି ଏପର୍ଯ୍ୟନ୍ତ ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି କରି ପାରି ନାହାନ୍ତି। ଏହାର ପ୍ରତିବାଦରେ ସମ୍ପୃକ୍ତ ଚାଷୀମାନେ ଗତମାସ ୯ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରଖିଛନ୍ତି। ଫଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଧାନ ସଂଗ୍ରହ କମିଟି ବୈଠକ ପୂର୍ବରୁ ପୋଲିସ ଏଭଳି ପଦକ୍ଷେପ ନେଇଥିବା ଆଲୋଚିତ ହେଉଛି। ଅନ୍ୟପକ୍ଷରେ ଧାନ ସଂଗ୍ରହ କମିଟି ବୈଠକ ପୂର୍ବରୁ ଚାଷୀନେତାଙ୍କୁ ପୋଲିସ ଅଟକ ରଖିବା ପ୍ରଥମ ଘଟଣା ହୋଇଥିବା ଯୋଗୁ ପୋଲିସର ଏଭଳି ଗିରଫଦାରୀକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି।
Dharitri – Odisha’s No.1 Odia Daily

