ଚାରିଛକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଘଟଣ: ରୋଗୀଙ୍କ ଉପରେ ପଡ଼ିଲା କଂକ୍ରିଟ୍‌ ଖଣ୍ଡ, ୩ ଆହତ

ନିମାପଡ଼ା,୧୨ା୧(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ମହିଳା ଓ୍ବାର୍ଡର ଛାତରୁ କଂକ୍ରିଟ୍‌ ଖଣ୍ଡ ଖସିପଡ଼ିବା ଯୋଗୁ ୨ ଜଣ ମହିଳା ରୋଗୀଙ୍କ ସହ ୩ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ବାହାରେଣା ଗ୍ରାମର ମୁନି ବିବି, ମେହେବୁନ୍‌ ବିବି ଏବଂ ଇଫ୍‌ତେଶ୍ୟାମ ବିବି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଜଣେ ୫ଦିନର ଶିଶୁ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପ୍ରସୂତି ଏବଂ ସେମାନଙ୍କ ଆଟେଣ୍ଡାଣ୍ଟ ଶୋଇଥିବା ବେଳେ ହଠାତ୍‌ ଛାତରୁ କଂକ୍ରିଟ ଖଣ୍ଡ ଖସିପଡିଥିଲା। ଓ୍ବାର୍ଡରେ ଚିକିତ୍ସିତ ହେଉଥିବା ରଶ୍ମିତା ମୁଦୁଲି, ରୀତାଞ୍ଜଳି ନାୟକ ଏବଂ ବର୍ଷା ଭୋଇ ପ୍ରମୁଖ ଘଟଣାକୁ ନେଇ ଭୟଭୀତ ଥିବା କହିଛନ୍ତି । ତେବେ ଏହା ପ୍ରଥମ ଘଟଣା ନୁହଁ, ପୂର୍ବରୁ ମଧ୍ୟ ବହୁଥର ଛାତରୁ ସିମେଣ୍ଟ ଖଣ୍ଡ ଖସିଛି । ଏ ନେଇ ଚିକିତ୍ସା ଦାୟିତ୍ୱରେ ଥିବା ଡା.ସୁକାନ୍ତ କୁମାର ଜେନା କୁହନ୍ତି, ସିମେଣ୍ଟ ଖଣ୍ଡ ଖସିପଡ଼ିବା ଯୋଗୁ ଦୁଇ ଜଣ ମହିଳା ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଅନ୍ୟ ରୁମ୍‌କୁ ସ୍ଥାନାନ୍ତର କରାଯାଇଥିବା ସେ କହିଛନ୍ତି । ଅଞ୍ଚଳର ଶହଶହ ରୋଗୀ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ବାରମ୍ବାର ଦୁର୍ଘଟଣା ଘଟୁଥିବା ଫଳରେ ରୋଗୀମାନେ ଭୟରେ ରହୁଛନ୍ତି । ଏଠାରେ ଚିକିତ୍ସିତ ହେବାକୁ ସୁରକ୍ଷିତ ମଣୁନାହାନ୍ତି। ସ୍ବାସ୍ଥ୍ୟସେବା ଦିଗରେ ରାଜ୍ୟ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ୫-ଟି ମଧ୍ୟ ଲାଗୁ ହୋଇଛି । କିନ୍ତୁ ଚାରିଛକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହାର ସୁଫଳ ପହଞ୍ଚିପାରୁନି। ତୁରନ୍ତ ଅସୁରକ୍ଷିତ କୋଠାଗୁଡ଼ିକର ମରାମତି ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।