ଚହଲଙ୍କ ଅଲୋଡ଼ା ରେକର୍ଡ

ବର୍ମିଂହାମ, ୧।୭(ପି.ଟି.)- ଆୟୋଜକ ଇଂଲଣ୍ଡ ଓ ଭାରତ ମଧ୍ୟରେ ରବିବାର ଏଠାରେ ଖେଳାଯାଇଥିବା ବିଶ୍ୱକପ୍‌ର ଏକ ଗୁରତ୍ୱପୂର୍ଣ୍ଣ ମୁକାବିଲାରେ ଭାରତୀୟ ସ୍ପିନର ଯୁଜବେନ୍ଦ୍ର ଚହଲ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ଉଇକେଟ୍‌ ହରାଇ ୩୩୭ ରନ କରିଥିଲା। ଲେଗ୍‌-ସ୍ପିନର ଚହଲ ନିଜ ୧୦ ଓଭର କୋଟାରେ ୮୮ ରନ ବ୍ୟୟ କରିବା ସହ ଉଇକେଟ୍‌ ଶୂନ୍ୟ ରହି ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଯେଉଁଥିରେ ୭ ଚୌକା ଓ ୬ ଛକା ସାମିଲ ରହିଛି। ଦିନିକିଆ କ୍ରିକେଟ୍‌ରେ ଚହଲଙ୍କ ଏହା ସବୁଠାରୁ ଖରାପ ବୋଲିଂ ସ୍ପେଲ ମଧ୍ୟ ହୋଇଛି। ଚହଲ ଏଥିସହ ବିଶ୍ୱକପ୍‌ ଇତିହାସରେ ସବୁଠାରୁ ମହଙ୍ଗା ବୋଲିଂ କରିଥିବା ଭାରତୀୟ ବୋଲର ହେବାର ଅଲୋଡ଼ା ରେକର୍ଡକୁ ନିଜ ନାମରେ କରିଛନ୍ତି। ପୂର୍ବରୁ ଜାଭାଗଲ ଶ୍ରୀନାଥ ଏହି ରେକର୍ଡର ଅଧିକାରୀ ହୋଇଥିଲେ। ଶ୍ରୀନାଥ ପୂର୍ବରୁ ୨୦୦୩ ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ୮୭ ରନ ବ୍ୟୟ କରିଥିଲେ।

Share