Categories: ଖେଳ

ଚତୁଃରାଷ୍ଟ୍ରୀୟ ଯୁବ ସିରିଜ୍‌ ଜିତିଲା ଭାରତ

ଡର୍ବନା,୧୦।୧(ପି.ଟି.)- ଉଇକେଟକିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୋରେଲଙ୍କ ଶତକ ଓ ବାମହାତୀ ସ୍ପିନର ଆଥର୍ଭ ଆଙ୍କୋଲେକରଙ୍କ ୪ ଉଇକେଟ ସଫଳତା ଯୋଗୁ ଘରୋଇ ଦକ୍ଷିଣ ଆଫ୍ରିକାକୁ ୬୯ ରନ୍‌ରେ ହରାଇ ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ଚତୁଃରାଷ୍ଟ୍ରୀୟ ସିରିଜ୍‌ ଜିତି ନେଇଛି। ଗୁରୁବାର ଅନୁଷ୍ଠିତ ଫାଇନାଲରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଇନିଂସ ଆରମ୍ଭରୁ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ଦଳ ୬.୧ ଓଭରରେ ୧୩ ରନ୍‌ରେ ୩ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ସଙ୍କଟଜନକ ସ୍ଥିତିରେ ଜୋରେଲ ୧୦୧ (୧୧୫ ବଲ, ୮ ଚୌକା ଓ ୨ ଛକା), ତିଲକ ବର୍ମା ୭୦(୭ ଚୌକା ଓ ୧ ଛକା) ଓ ସିଦ୍ଦେଶ ବୀର (୪୮)ଙ୍କ ଯୋଗଦାନ ଯୋଗୁ ଭାରତ ଧାର୍ଯ୍ୟ ୫୦ ଓଭରରେ ୭ ଉଇକେଟ ହରାଇ ୨୫୯ ରନ୍‌ କରିଥିଲା। ଜବାବରେ ଆଙ୍କୋଲେକରଙ୍କ ଯାଦୁଗରୀ ବୋଲିଂର ସମ୍ମୁଖୀନ ହୋଇ ନ ପାରି ଘରୋଇ ଦଳ ୪୩.୧ ଓଭରରେ ୧୯୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ବିଜୟୀ ଦଳ ପାଇଁ ଆଙ୍କୋଲେକର ୪ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବି ବିଷ୍ନୋଇ ୨, ଆକାଶ ସିଂ, ବୀର ଓ ବର୍ମା ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ। ସିରିଜ୍‌ରେ ୩ୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚ୍‌ରେ ଜିମ୍ବାଓ୍ବେ ୨ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି।

Share