ଘରଭଙ୍ଗା ତଦନ୍ତରେ ଅନିୟମିତତା: ସତ୍ୟବାଦୀ ତହସିଲ ଅଫିସ ଘେରାଉ କଲେ ଫନୀ କ୍ଷତିଗ୍ରସ୍ତ

ସାକ୍ଷୀଗୋପାଳ, ୨୧।୧(ଡି.ଏନ୍‌.ଏ)-ଫନୀ ପ୍ରଭାବରେ କ୍ଷତିଗ୍ରସ୍ତ ପରିବାର ନ୍ୟାୟ ପ୍ରଦାନ ଦାବିରେ ମଙ୍ଗଳବାର ସତ୍ୟବାଦୀ ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଘରଭଙ୍ଗା ତଦନ୍ତରେ ଅନିୟମିତତା ଅଭିଯୋଗ କରି ସେମାନେ ପୂର୍ବରୁ ତହସିଲରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଦାବି ଗ୍ରହଣ କରି ତହସିଲଦାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଏକମାସ ମଧ୍ୟରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର କିଛି ସୁଫଳ ମିଳି ନ ଥିଲା। ଫଳରେ ଅସନ୍ତୋଷ ପ୍ରକାଶ କରି ସେମାନେ ପୁରୀ ଅତିରିକ୍ତ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରି ନ୍ୟାୟ ପ୍ରଦାନ କରା ନ ଗଲେ ତହସିଲ କାର୍ଯ୍ୟାଳୟରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଥିଲେ। ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ ଦେଇ ଯୋଗ୍ୟ ପରିବାରଗୁଡ଼ିକୁ ସହାୟତା ଯୋଗାଇ ଦେବାକୁ ଦୃଢ଼ ଦାବି କରି ନାରାବାଜି ଦେଇଥିଲେ। ଗୋବିନ୍ଦ ମହାପାତ୍ର, ସଚ୍ଚିକାନ୍ତ ବରାଳ, ଦୁର୍ଗେଶ ମିଶ୍ର, ପୀତାମ୍ବରୀ ଦାସ, ସତ୍ୟଭାମା ଦାସ, ଗିରିଧାରୀ ବରାଳ, ଉମା ବାରିକ ପ୍ରମୁଖ ଅତିରିକ୍ତ ତହସିଲଦାର ମୌସୁମୀ ମିଶ୍ର ଓ ଥାନା ଆଇଆଇସି ଶକୁନ୍ତଳା ପତିଙ୍କ ସହ ଆଲୋଚନା କରିଥିଲେ। ତହସିଲଦାର କସ୍ତୁରୀ ପ୍ରଧାନ ଦାବି ପୂରଣ ନେଇ ଆଗାମୀ ୨ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏଣୁ ଆନ୍ଦୋଳନ ସ୍ଥଗିତ ରଖାଯାଇଛି।