Categories: ଖେଳ

ଗ୍ୟାଲେରୀରେ ଆହିକା-ସୁତୀର୍ଥଙ୍କ ପିତାମାତା

କଟକ ଅଫିସ,୧୮ା୭- ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ବୁଧବାର ଉଦ୍‌ଘାଟିତ ହୋଇଛି । ପ୍ରଥମ ଦିବସରେ ଅନୁଷ୍ଠିତ ମ୍ୟାଚ୍‌କୁ ଉପଭୋଗ କରିବାପାଇଁ ଭାରତୀୟ ମହିଳା ଦଳର ଖେଳାଳି ଆହିକା ମୁଖାର୍ଜୀ ଓ ସୁତୀର୍ଥ ମୁଖାର୍ଜୀଙ୍କ ପିତାମାତାଙ୍କୁ ଗ୍ୟାଲେରୀର ୧୦ନଂ ବ୍ଲକରେ ବସିଥିବା ଦେଖିବାକୁ ମିଳିଥିଲା। ଉଭୟ ଖେଳାଳିଙ୍କ ପିତାମାତା ପାଖାପାଖି ବସିବା ସହ ନିଜ ଝିଅର ଖେଳକୁ ଉପଭୋଗ କରୁଥିଲେ । ପ୍ରତିଯୋଗିତାରେ ଭାରତ ଚାମ୍ପିୟନ ହେବ ବୋଲି ସେମାନେ ବେଶ୍‌ ଆବାଦୀ। ଆହିକା ମୁଖାର୍ଜୀଙ୍କ ପିତା ଗୌତମ ମୁଖାର୍ଜୀ ଓ ମା ସୌମା ମୁଖାର୍ଜୀ କହିଥିଲେ ଯେ, ଆହିକା ପିଲା ବେଳେ ମୋଟି ଥିଲା । ଯାହା ସେମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଥିଲା । ଏଣୁ ସାଢ଼େ ୩ବର୍ଷ ବୟସରେ ଟିଟି ଖେଳରେ ଆହିକାଙ୍କୁ ଭର୍ତ୍ତି କରାଯାଇଥିଲା । ପରେ ଆହିକା ନିଜେ ଭାରତୀୟ ଦଳରୁ ଦିନେ ଖେଳିବେ ବୋଲି କହିଥିଲେ । ଏହାପରଠାରୁ ପରିବାରର ଯାହା କର୍ତ୍ତବ୍ୟ ତାହା ଆମେ କରିଛୁ । ପିତା ଗୌତମ ବିଏସ୍‌ଏଫରେ ଜବାନ ଥିଲେ ମଧ୍ୟ କେବଳ ଆହିକାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଭିଆର୍‌ଏସ୍‌ ଜରିଆରେ ଚାକିରୀ ଛାଡ଼ିଥିଲେ । ଅଲିମ୍ପିକ ଖେଳିବାର ସ୍ବପ୍ନ ଦେଖିଥିବା ଆହିକା ଏହାକୁ ନିଶ୍ଚିତ ପୂରଣ କରିବେ ବୋଲି ତାଙ୍କ ପିତାମାତା କହିଛନ୍ତି । ପାଖରେ ବସିଥିବା ସୁତୀର୍ଥଙ୍କ ପିତା ଅଭିଜିତ ମୁଖାର୍ଜୀ ଓ ମାତା ନୀତା ମୁଖାର୍ଜୀଙ୍କ ମତ ମଧ୍ୟ ପ୍ରାୟ ସମାନ ଥିଲା । ପିଲା ବେଳେ ଓଜନ ଅଧିକ ଥିବାରୁ ସୁତୀର୍ଥଙ୍କୁ ଟିଟି ଖେଳରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଜଣେ ସମ୍ପର୍କୀୟ ଟିଟି ଖେଳିବାକୁ ପରାମର୍ଶ ଦେଇଥିଲେ । ଏହି ଟୁର୍ନାମେଣ୍ଟରେ ସୁତୀର୍ଥ ଭଲ ପ୍ରଦର୍ଶନ କରିବେ ଓ ଭାରତ ଚାମ୍ପିୟନ ହେବ ବୋଲି ଏହି ଦମ୍ପତି ମଧ୍ୟ କହିଛନ୍ତି ।

Share