Categories: ଖେଳ

ଗୌଡ଼ାଙ୍କ ପାଇଁ ଟ୍ରାଏଲ ତାରିଖ ଧାର୍ଯ୍ୟ ହୋଇନି

ନୂଆଦିଲ୍ଲୀ, ୧୬ା୨ (ପି.ଟି.)- କାମ୍ବାଲା ରେସର୍‌ ଶ୍ରୀନିବାସ ଗୌଡ଼ାଙ୍କ ଟ୍ରାଏଲ ପାଇଁ ପ୍ରକୃତ ଦିନ ଧାର୍ଯ୍ୟ ହୋଇନାହିଁ। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ବେଙ୍ଗାଲୁରୁସ୍ଥିତ ସେଣ୍ଟରଠାରେ ତାଙ୍କର ଦକ୍ଷତା ଆକଳନ କରାଯିବ। ଖବର ଅନୁସାରେ, ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରଠାରେ ସେ ସୋମବାର ପହଞ୍ଚତ୍ବେ ବୋଲି ଆଶା କରାଯାଉଛି। ପ୍ରକୃତ ଟ୍ରାଏଲ ପୂର୍ବରୁ ଗୌଡ଼ାଙ୍କୁ ଦିନେ ଅବା ଦୁଇଦିନ ବିଶ୍ରାମ ସହିତ ଅଭ୍ୟାସ ପାଇଁ ସମୟ ଦିଆଯିବ। କର୍ନାଟକରେ ପାରମ୍ପରିକ ମଇଁଷି ଦୌଡ଼ ପ୍ରତିଯୋଗିତାରେ ୨୮ ବର୍ଷୀୟ କାମ୍ବାଲା ଜକି ଗୌଡ଼ା ୧୦୦ ମିଟର ଦୂରତାକୁ ୯.୫୫ ସେକେଣ୍ଡ ଟାଇମିଂରେ ଅତିକ୍ରମ କରିଥିଲେ। ଏହାର ଭିଡିଓ କ୍ଲିପିଂ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ମୁଦାବିଦ୍ରି ବାସିନ୍ଦା ଗୌଡ଼ା ହେଉଛନ୍ତି ଜଣେ କନଷ୍ଟ୍ରକଶନ ଓ୍ବାର୍କର। ମାଙ୍ଗାଲୁରୁ ନିକଟବର୍ତ୍ତୀ ଆଇକାଲା ଗ୍ରାମରେ ଅନୁଷ୍ଠିତ କାମ୍ବାଲାରେ ସେ ମାତ୍ର ୧୩.୬୨ ସେକେଣ୍ଡରେ ୧୪୫ ମିଟର ଦୂରତା ଅତିକ୍ରମ କରିଥିଲେ। ସେ ତାଙ୍କର ପ୍ରଥମ ୧୦୦ ମିଟରକୁ ୯.୫୫ ସେକେଣ୍ଡରେ ଶେଷ କରିଥିଲେ। ସୋସିଆଲ ମିଡିଆରେ କେତେଜଣ ଗୌଡ଼ାଙ୍କୁ ଏକାଧିକଥର ଅଲିମ୍ପିକ ସ୍ବର୍ଣ୍ଣ ଜିତିଥିବା ଉସେନ ବୋଲ୍ଟଙ୍କ ସହିତ ତୁଳନା କରିଥିଲେ। ବୋଲ୍ଟଙ୍କ ନାମରେ ୯.୫୮ ସେକେଣ୍ଡ ଟାଇମିଂରେ ୧୦୦ ମିଟର ବିଶ୍ୱ ରେକର୍ଡ ରହିଛି।

Share