Categories: ଖେଳ

ଗୋଇଠି ଅସ୍ତ୍ରୋପଚାର କରିବେ ପୋଗ୍‌ବା

ଲଣ୍ଡନ, ୨।୧ (ଏଏଫ୍‌ପି)- ଫିଫା ବିଶ୍ୱକପ୍‌ ବିଜୟୀ ଫ୍ରାନ୍ସ ଫୁଟ୍‌ବଲ ଦଳ ତଥା ମାଞ୍ଚେଷ୍ଟର ୟୁନାଇଟେଡ୍‌ର ଷ୍ଟାର୍‌ ଖେଳାଳି ପଲ୍‌ ପୋଗ୍‌ବାଙ୍କ ଗୋଇଠିରେ ଅସ୍ତ୍ରୋପଚାର ହେବ। ଫଳରେ ସେ ଆଉ ଗୋଟିଏ ମାସ ପଡ଼ିଆରୁ ଦୂରେଇ ରହିବେ। ଆର୍ସେନାଲଠାରୁ ୨-୦ ଗୋଲରେ ପରାସ୍ତ ହେବା ପରେ ମାଞ୍ଚେଷ୍ଟର ୟୁନାଇଟେଡ୍‌ କ୍ଲବର ମ୍ୟାନେଜର ଗୁନ୍ନାର ସୋଲ୍ସକେଜର ଏହା କହିଛନ୍ତି। ‘ସ୍କାନ ପରେ ତାଙ୍କ ଗୋଇଠିରେ ସମସ୍ୟା ରହିଥିବା ଜଣାପଡ଼ିଛି। କିନ୍ତୁ ଏହା ଗୁରୁତର ନୁହେଁ। ଡାକ୍ତରଙ୍କ ପରାମର୍ଶ ନେଇ ଅସ୍ତ୍ରୋପଚାର କରିବା ପାଇଁ କୁହାଯାଇଛି’ ବୋଲି ଗୁନ୍ନାର ପ୍ରକାଶ କରିଛନ୍ତି। ଆଘାତଜନିତ ସମସ୍ୟା ଲାଗି ୩ ମାସ ପରେ ପୋଗ୍‌ବା ୧୦ ଦିନ ତଳେ ଫୁଟ୍‌ବଲକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଚଳିତ ସିଜନରେ ସେ ମାଞ୍ଚେଷ୍ଟର ପାଇଁ ମାତ୍ର ୬ ମ୍ୟାଚ୍‌ ଖେଳିଛନ୍ତି। ପୋଗ୍‌ବାଙ୍କ ଅନୁପସ୍ଥିତି ଯୋଗୁ ମାଞ୍ଚେଷ୍ଟର ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ରିମିୟର ଲିଗ୍‌ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି।

Share