Categories: ଖେଳ

ଗୋଆ ଠାରୁ ହାରି ଓଡ଼ିଶା ବିଦା

କଟକ ଅଫିସ,୧୩ା୬- ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶେନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ କଟକରେ ଚାଲିଥିବା ସବ୍‌ଜୁନିୟର ବାଳିକା ଜାତୀୟ ଫୁଟବଲ ଚାମ୍ପିୟନଶିପରୁ ଘରୋଇ ଓଡ଼ିଶା ଦଳ ବିଦାୟ ନେଇଛି। ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ୦-୨ ଗୋଲରେ ଗୋଆଠାରୁ ପରାସ୍ତ ହୋଇଛି। ଗୋଆ ପକ୍ଷରୁ ୨୧ତମ ମିନିଟରେ ଥାଇସ ମ୍ୟାରି ଓ ୮୦ତମ ମିନିଟରେ ଭିଏନା ଜୁଲିଆ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଗ୍ରୁପ-ଇ’ରେ ସ୍ଥାନ ପାଇଥିବା ଓଡ଼ିଶା ଉତ୍ତରାଖଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ଡ୍ର’ ରଖିଥିଲା। ପରାଜୟ ସହ ଓଡ଼ିଶାର ଅଭିଯାନ ଶେଷ ହୋଇଛି। ବୁଧବାର ଅନୁଷ୍ଠିତ ଅନ୍ୟ ମ୍ୟାଚ୍‌ରେ ମଣିପୁର ୨-୦ ଗୋଲରେ ଦିଲ୍ଲୀକୁ, ମେଘାଳୟ ୭-୧ ଗୋଲରେ ଜମ୍ମୁ ଓ କାଶ୍ମିରୀକୁ, ଅରୁଣାଚଳ ପ୍ରଦେଶ ୪-୦ ଗୋଲରେ ହିମାଚଳପ୍ରଦେଶକୁ, ମିଜୋରାମ ୧୨-୦ ଗୋଲରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଛି।

Share