ଗୁଣିଗାରେଡ଼ି ସନ୍ଦେହରେ ଡବଲ ମର୍ଡର

ଆମ୍ବାଦୋଳା,୨୧।୬(ଡ଼ି.ଏନ.ଏ)- ରାୟଗଡ଼ା ଜିଲା ଆମ୍ବାଦୋଳା ଥାନା ଅନ୍ତର୍ଗତ ସୁକଲାଭଟା ଗ୍ରାମରେ ଗୁରୁବାର ଗୁଣି ଗାରେଡ଼ି ସନ୍ଦେହରେ ଦୁଇଜଣଙ୍କୁ ହତ୍ୟା କରାଯାଇଛି । ମୃତକ ଦ୍ୱୟ ହେଲେ ମକର ନାଏକ (୫୫) ଓ କରୁଣା ନାଏକ(୪୫) । ଏହି ଘଟଣାରେ ପୋଲିସ ନକୁଳ ନାଏକଙ୍କୁ ଗିରଫ କରିଛି । ପୋଲିସ ଦୁଇଟି ପୃଥକ୍‌ ପୃଥକ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ପ୍ରକାଶ ଯେ, ସୁକଲାଭଟା ଗ୍ରାମର ମକର ନାଏକ(୫୫) ଜମିରେ ହଳ କରି ଘରକୁ ଫେରୁଥିଲେ। ଏହି ସମୟରେ ଗ୍ରାମ ନିକଟ ଜଙ୍ଗଲିଆ ରାସ୍ତାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଉକ୍ତ ଗାଁର କରୁଣା ନାଏକ ତାଙ୍କୁ ଏକ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିଲେ ।ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । କରୁଣା ମୃତଦେହକୁ ଜଙ୍ଗଲରେ ପତ୍ରରେ ଘୋଡ଼ାଇ ଦେଇ ଚାଲିଯାଇଥିଲେ । ପରେ ଗାଁକୁ ଆସି ଠେଙ୍ଗା ବୁଲାଇ ହତ୍ୟା କରିଥିବା ନେଇ ଚିତ୍କାର କରିଥିଲେ । ଏହା ଶୁଣି ମକରଙ୍କ ଭାଇ ନକୁଳ ଆସି କରୁଣାଙ୍କୁ ଗୋଡ଼ାଇ ଗୋଡ଼ାଇ ହରିଜନସାହି ନିକଟରେ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଖବରପାଇ ଆମ୍ବାଦୋଳା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ୨ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ା ପରେ ନକୁଳ ନାଏକଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।