ଗୀତାଭିନୟ ଯୁଗର ସ୍ରଷ୍ଟା

ବିମଳ ପ୍ରସନ୍ନ ଦାସ

ମଧ୍ୟଯୁଗୀୟ ସାହିତ୍ୟରେ ସଙ୍ଗୀତ ଏତେ ନିବିଡ଼ ଓ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଯେ ଗୋଟିଏ ଜଳର ଗଭୀରତା ହେଲେ ଅନ୍ୟଟି ତା’ର ନୀଳିମା। ସେ ଯୁଗର କବିମାନଙ୍କର କାବ୍ୟକୃତି ଏହାର ଯଥାର୍ଥତା ପ୍ରତିପାଦନ କରିବା ସଙ୍ଗେ ସଙ୍ଗେ ଏହାର ପ୍ରାଧାନ୍ୟକୁ ବଜ୍ରନିର୍ଘୋଷ ସ୍ବରରେ ସ୍ବୀକାର କରିଛି। ସଙ୍ଗୀତ ଏକ ନୈସର୍ଗିକ କଳା। ଏହା ଜୀବନର ସବୁ ସ୍ତରରେ ପରିବ୍ୟାପ୍ତ ଓ ଏହାର ସାର୍ବଜନୀନ ଆବେଦନ ଯୁଗେ ଯୁଗେ ରହି ଯାଇଛି। ସେଥିପାଇଁ ସଙ୍ଗୀତ ସାହିତ୍ୟ ଓ ରସ ଅନଭିଜ୍ଞଙ୍କ ସଂଖ୍ୟା ଏ ସଂସାରରେ ନିଶ୍ଚିତ ସ୍ବଳ୍ପ। ଯେକୌଣସି ସାହିତ୍ୟରେ ପଦ୍ୟଠାରୁ ଗଦ୍ୟର ସୃଷ୍ଟି ଅର୍ବାଚୀନ। ଗଦ୍ୟ ଭାଷାର ମାଧ୍ୟମରେ ଆତ୍ମପ୍ରକାଶ କଲାବେଳେ, ସଙ୍ଗୀତ ଓ ପଦ୍ୟ ହୃଦୟର ଆବେଗମୟତାର ଆତ୍ମପ୍ରକାଶ। ହୃଦୟର ଗଭୀରତମ ପ୍ରଦେଶରୁ ଏହାର ସୃଷ୍ଟି ଓ ସେହିଠାରେ ଏହାର ବିଲୟ। ସାହିତ୍ୟ ବହୁ ପୂର୍ବରୁ ସଙ୍ଗୀତର ସୃଷ୍ଟି। ଓଁକାର ସୃଷ୍ଟିର ଆଦ୍ୟ ସଙ୍ଗୀତ, ନୀରବ, ନିସ୍ପନ୍ଦ ସୃଷ୍ଟି ଏହି ପ୍ରଥମ ଶବ୍ଦରେ ଶବ୍ଦାୟିତ ହୋଇଛି।
ଏହି ପରିପ୍ରେକ୍ଷୀରେ ଗଣକବି ବୈଷ୍ଣବ ପାଣିଙ୍କ କୃତି ଓ କୀର୍ତ୍ତି ବିଚାର୍ଯ୍ୟ, ବିଶେଷତଃ ତାଙ୍କ ରଚିତ ଗୀତିନାଟ୍ୟ, ଯାତ୍ରା, ନୃତ୍ୟ ସଙ୍ଗୀତର ଅନବଦ୍ୟ ସୃଷ୍ଟି ସମ୍ଭାର, ତାଙ୍କ ପ୍ରତିଭାର ଅଲିଭା ସ୍ବାକ୍ଷର। ଓଡ଼ିଆ ଯାତ୍ରା- ସାହିତ୍ୟର କ୍ରମବିକାଶ ଦିଗରେ ଯେଉଁମାନେ ବତିଖୁଣ୍ଟ ପରି ଆମ ଜନଜୀବନକୁ ଆଲୋକିତ କରିଛନ୍ତି, ସେମାନଙ୍କ ମଧ୍ୟରେ ଗଣକବି ବୈଷ୍ଣବ ପାଣି ଅଗ୍ରଗଣ୍ୟ। କାରଣ ଗୋପାଳ ଦାଶ, ଜଗନ୍ନାଥ ପାଣି, ବାଳକୃଷ୍ଣ ମହାନ୍ତି, ରାମଚନ୍ଦ୍ର ସ୍ବାଇଁ ଓ କୃଷ୍ଣପ୍ରସାଦ ବସୁ – ଏମାନଙ୍କ ତୁଳନାରେ ପାଣିକବିଙ୍କ ଗୀତିନାଟ୍ୟ ଓ ଯାତ୍ରା – ସାହିତ୍ୟ ଜନମାନସକୁ ଗଭୀର ଭାବେ ସ୍ପର୍ଶ କରିପାରିଛି। ପୌରାଣିକ କଥାବସ୍ତୁକୁ ଗ୍ରାମୀଣ ଭାଷାରେ ପରିବେଷଣ, ନିଜସ୍ବ ଅନ୍ତର୍ଦୃଷ୍ଟି, ସମାଜ ଓ ଜୀବନ ପ୍ରତି ଶାଣିତ ଦୃଷ୍ଟିଭଙ୍ଗୀ, ଶ୍ରୁତିମଧୁର ଶବ୍ଦ ସମ୍ଭାର ଏବଂ ସର୍ବୋପରି ଆଶୁ କବିତ୍ୱର କାଉଁରି ସ୍ପର୍ଶ, ତାଙ୍କର ବୈଶିଷ୍ଟ୍ୟ ଓ ସଫଳ ସ୍ବାକ୍ଷର। ଏସବୁ ବିରଳ ବିଭବର ସମାହାର ତାଙ୍କୁ ଜନ ମାନସରେ ମୁକୁଟବିହୀନ ସମ୍ରାଟ ଭାବରେ ଅଭିଷିକ୍ତ କରିଛି।
ଯାତ୍ରା ଆମ ନାଟ୍ୟ ସାହିତ୍ୟର ସୁପ୍ରାଚୀନ କଳା ‘କାବ୍ୟେଷୁ ନାଟକମ୍‌ ରମ୍ୟଂ’। ପାଣି ସାହିତ୍ୟ ଏହି ଉକ୍ତିର ସାର୍ଥକ ପ୍ରତିଛବି। ପ୍ରାଚୀନ ଓଡ଼ିଶୀ ଯାତ୍ରାକୁ ଆଧୁନିକ କରିବାରେ ଆନ୍ଦୋଳନକାରୀ ହେଉଛନ୍ତି ବୈଷ୍ଣବ ପାଣି। ପାଶ୍ଚାତ୍ୟ ପ୍ରଭାବରେ ସେତେବେଳେ ଓଡ଼ିଆ ନାଟ୍ୟକଳା ବିଲୁପ୍ତପ୍ରାୟ, ସେତିକିବେଳେ ନିଜ ପ୍ରତିଭାର ଯାଦୁକରି ସ୍ପର୍ଶରେ ପୂର୍ଣ୍ଣ-ପ୍ରଚଳିତ ଭାବ, ଭାଷା ଓ ଶୈଳୀକୁ ମାର୍ଜିତ କରି ଯାତ୍ରା ସାହିତ୍ୟକୁ ପାଣି ନୂତନ ରୂପ ଓ ରଙ୍ଗ ଦେବାକୁ ସମର୍ଥ ହୋଇଥିଲେ। ସେଥିପାଇଁ ସେ ପ୍ରାଚୀନ ଓ ଆଧୁନିକ ନାଟ୍ୟ ଶୈଳୀର ସେତୁ ଭାବରେ ଅଭିନନ୍ଦିତ। ଗୁଣାତ୍ମକ ଦୃଷ୍ଟିରୁ ତାଙ୍କର ଗୀତିନାଟ୍ୟଗୁଡ଼ିକ ଅନବଦ୍ୟ ସୃଷ୍ଟି। ତାଙ୍କର ଅମର ଲେଖନୀରୁ ଜନ୍ମ ନେଇଛି ‘ମେଘନାଦ ବଧ’, ‘ରଙ୍ଗସଭା’, ‘ନଳ ଦମୟନ୍ତୀ’, ‘ଧ୍ରୁବ ଚରିତ’, ‘ଦାନବୀର ହରିଶ୍ଚନ୍ଦ୍ର’, ‘ଦୁର୍ଯ୍ୟୋଧନ ଘୋଷଯାତ୍ରା’, ‘ଦକ୍ଷଯଜ୍ଞ’, ‘ଅଭିମନ୍ୟୁ ବଧ’, ‘ରାବଣ ବଧ’, ‘କୀଚକ ବଧ’, ‘ବ୍ରଜଲୀଳା’, ‘ସାକ୍ଷୀଗୋପାଳ’, ‘ଶୁକଦେବ ଜନ୍ମ’, ‘କପଟ ପାଶା’, ‘ଭକ୍ତ ସୁଦାମା’, ‘ବସନ୍ତ ରାସ’, ‘କଳା ପାହାଡ଼’ ଇତ୍ୟାଦି। ଏହିସବୁ ସାରସ୍ବତ ସୃଷ୍ଟି ଯାତ୍ରା ସାହିତ୍ୟକୁ ପ୍ରତିଷ୍ଠିତ କରିବା ସଙ୍ଗେ ସଙ୍ଗେ ନୂତନ ମୂଲ୍ୟବୋଧ ସୃଷ୍ଟି କଲା। ମୁକ୍ତ ରଙ୍ଗମଞ୍ଚରେ ସାମାନ୍ୟ ବାଦ୍ୟ ଯନ୍ତ୍ରକୁ ସମ୍ବଳ କରି ବିଶାଳ ଜନ-ଅରଣ୍ୟକୁ ଆକୃଷ୍ଟ କରିବାରେ ପାଣିଙ୍କର ଯାଦୁକରି ଶକ୍ତି ଥିଲା। ଦର୍ଶକ ମନର ରସ କଦମ୍ବରେ ଶିହରଣ ସୃଷ୍ଟି କରିପାରିଲା ଭଳି ସଂଳାପ ଓ ସଙ୍ଗୀତ ତାଙ୍କ ନୈସର୍ଗିକ କବି ପ୍ରତିଭାର ଉଜ୍ଜ୍ୱଳ ସ୍ବାକ୍ଷର। ତାଙ୍କ ରଚିତ ଗୀତିନାଟ୍ୟଗୁଡ଼ିକ ଯେତିକି ରସପୂର୍ଣ୍ଣ, ସଙ୍ଗୀତମୟ ସଂସ୍କାର ଧର୍ମୀ, ସେତିକି ସାହିତ୍ୟ ସଙ୍ଗୀତ ଓ ସଂସ୍କୃତିର ମଞ୍ଜୁଳ ସମାହାର।
ବାଲ୍ୟ ଓ କୈଶୋର ଜୀବନ ଅକଥନୀୟ ଦାରିଦ୍ର୍ୟର ଦଂଶନରେ କ୍ଷତବିକ୍ଷତ। ସେଥିପାଇଁ ଷଷ୍ଠ ଶ୍ରେଣୀ ପରେ ତାଙ୍କ ଅଧ୍ୟୟନର ଉଦ୍‌ଯାପନ। କୋଠପଦା ମହନ୍ତ ମହାରାଜଙ୍କ ମଠରେ ମାତ୍ର ଏଗାର ଟଙ୍କା ମାସିକ ବେତନରେ ଫୁଲ ତୋଳାଳି, ଗାଈ ଜଗୁଆଳି ଏପରି କି ମାସିକ ମାତ୍ର ଅଢ଼େଇଟଙ୍କା ବେତନରେ ପୂଜାରୀ କାମ ତାଙ୍କୁ କରିବାକୁ ହୋଇଛି। ଜୀବନର ମଧ୍ୟାହ୍ନରେ ‘ହର’ ନାମ୍ନୀ ଏକ ବିବାହିତା ରଜକୀର ପ୍ର୍ରେମରେ ଆବଦ୍ଧ ହୋଇ ଜୀବନସାଥୀ ଭାବରେ ଗ୍ରହଣ କରିବାରୁ ରକ୍ଷଣଶୀଳ ବ୍ରାହ୍ମଣ ପରିବାରରୁ ବିତାଡ଼ିତ ହେବାକୁ ପଡ଼ିଛି। ଯେଉଁ ଦାରୁଦେବତାଙ୍କ କୃପା ତାଙ୍କ ଜୀବନାଦର୍ଶ, ଶେଷରେ ଜୀବନର ଅନ୍ତିମ ପର୍ଯ୍ୟାୟରେ ବ୍ୟାଧିଗ୍ରସ୍ତ ହୋଇ ତାଙ୍କ ଅନୁତପ୍ତ ତଥା ଅଭିମାନୀ ହୃଦୟ ‘ନୀଳାଚଳ ବିହାରୀ’ଙ୍କ ଉଦ୍ଦେଶ୍ୟରେ ଅଜସ୍ର ଭକ୍ତି ସଙ୍ଗୀତ ଦରଦୀ ଅର୍ଘ୍ୟ ସ୍ବରୂପ ଅର୍ପଣ କରି ଯାଇଛନ୍ତି। ଶିଶୁପାଳ, କଂସ ଆଦି ତାଙ୍କୁ ବିରୋଧ କରି ମୋକ୍ଷ ଲାଭ କଲେ। ଅଥଚ କବି ତାଙ୍କୁ ଅତ୍ୟନ୍ତ ଆପଣାର ମନେକରି ଯେତେ ଭକ୍ତି କଲେ ମଧ୍ୟ ତାଙ୍କ ଆକୁଳ ନିବେଦନ ସେ ଘେନା କରି ନାହାନ୍ତି। ତେଣୁ ସେ ତାଙ୍କୁ ଥଟ୍ଟା କରି ଗାଇଛନ୍ତି :-
”ମିଛେ ନୀଳାଚଳ ନାଥ ବସିଇଛୁ ନୀଳାଚଳେ/ ପଣ୍ଡାର ରନ୍ଧା ଭାତ ଡାଲି ଗିଳିଣ ବଡ଼ ଦେଉଳେ“। କେବଳ ଏତିକିରେ ତାଙ୍କ ଯନ୍ତ୍ରଣା ଜର୍ଜରିତ ପ୍ରାଣ ସନ୍ତୁଷ୍ଟ ହୋଇନାହିଁ। ଅଭିମାନୀ, ବେଦନା ବିଧୁର କବି ପ୍ରାଣ ତାଙ୍କୁ ଆହୁରି ଭର୍ତ୍ସନା କରିଛି। ବିଦାୟୀ ଶରରେ ଅପୂର୍ବ ଶୋଭା ସମ୍ଭାର ଓ ସବୁଜିମାରେ ଜନ୍ମ ହୋଇ ପୂର୍ଣ୍ଣମୀ ଚନ୍ଦ୍ର ପରି ଓଡ଼ିଆ ସାହିତ୍ୟାକାଶକୁ ଜ୍ୟୋତ୍ସ୍ନାୟିତ କରି ୧୯୫୫ ବଇଶାଖୀ ଅମାବାସ୍ୟା ତିଥିରେ ସେ ଇହଲୀଳା ସମ୍ବରଣ କଲେ। ସତେ ଯେପରି ତାଙ୍କ ଆବିର୍ଭାବ ଓ ତିରୋଭାବ ଓଡ଼ିଶାର ସାରସ୍ବତ ଗଗନରେ ଆଲୋକ ଓ ଅନ୍ଧକାରର ପ୍ରତୀକ। ସେହି କାଳଜୟୀ ପ୍ରତିଭାଙ୍କର ପବିତ୍ର ଜୟନ୍ତୀ ସପ୍ତାହ ପାଳନ ଅବସରରେ କବିବରଙ୍କ ଉକ୍ତିକୁ ଉଦ୍ଧାର କରି ତାଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ନିବେଦନ କରୁଛି।
ମୋ:୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri