Categories: ଖେଳ

ଗାଙ୍ଗୁଲି ଡାଲମିଆ ବକ୍ତୃତା ପ୍ରଦାନ କରିବେ

କୋଲକାତା,୬।୨(ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଜଗମୋହନ ଡାଲମିଆ ଆନୁଆଲ କନ୍‌କ୍ଲେଭରେ ବକ୍ତୃତା ପ୍ରଦାନ କରିବେ। ଏ ନେଇ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ଅଧ୍ୟକ୍ଷ ଅଭିଷେକ ଡାଲମିଆ ଘୋଷଣା କରିନ୍ତି। ଆଗାମୀ ମାର୍ଚ୍ଚରେ ଖେଳାଯିବାକୁ ଥିବା ଭାରତ- ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ମ୍ୟାଚ୍‌ର ଅବ୍ୟବହିତ ପୂର୍ବରୁ ୧୮ ତାରିଖରେ ଐତିହାସିକ ଇଡେନ ଗାର୍ଡେନ୍ସରେ ଏହି କନ୍‌କ୍ଲେଭର ଆୟୋଜନ ହେବ। ଗାଙ୍ଗୁଲି ଏ ନେଇ ସମ୍ମତି ପ୍ରକାଶ କରିଛନ୍ତି ବୋଲି ଅଭିଷେକ କହିଛନ୍ତି। ଗତଥର ୨୦୧୮ରେ ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଗ୍ରେମ୍‌ ସ୍ମିଥ୍‌ ବକ୍ତୃତା ପ୍ରଦାନ କରିଥିଲେ। ଏହି ଅବସରରେ କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା ଉପସ୍ଥିତ ଥିଲେ। ଉଲ୍ଲେଖଥାଉ କି, ପୂର୍ବତନ ବିସିସିଆଇ ସଭାପତି ତଥା ବରିଷ୍ଠ କ୍ରିକେଟ ପ୍ରଶାସକ ଜଗମୋହନ ଡାଲମିଆଙ୍କ ସ୍ମୃତିରେ ଏହା ଆୟୋଜିତ ହୋଇଆସୁଛି। ପ୍ରଥମ ସଂସ୍କରଣରେ କପିଳ ଦେବ ବକ୍ତୃତା ପ୍ରଦାନ କରିଥିଲେ। ସେତେବେଳେ ଶ୍ରୀଲଙ୍କା କ୍ରିକେଟ ଅଧ୍ୟକ୍ଷ ଥିଲଙ୍ଗା ସୁମାଥିପାଲା ଓ ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ଉପସ୍ଥିତ ଥିଲେ।

Share