Categories: ଖେଳ

ଗାଙ୍ଗୁଲିଙ୍କ ସପକ୍ଷରେ ବିସିସିଆଇ

ନୂଆଦିଲ୍ଲୀ, ୨୧ା୪ (ପି.ଟି.)-ସୌରଭ ଗାଙ୍ଗୁଲିଙ୍କ ବିରୋଧରେ ଆଗତ ସ୍ବାର୍ଥଜନିତ ମାମଲାର ଶୁଣାଣି ଶନିବାର ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅମ୍ବୁଡ୍‌ସମ୍ୟାନ ଜଷ୍ଟିସ ଡି.କେ.ଜୈନ ପୂର୍ବତନ ଭାରତୀୟ ଅଧିନାୟକଙ୍କଠାରୁ ଲିଖିତ ଜବାବ ଚାହିଁଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ବିସିସିଆଇ ଗାଙ୍ଗୁଲିଙ୍କ ସପକ୍ଷରେ ରହିଛି। ବେଙ୍ଗଲର ୩ଜଣ କ୍ରିକେଟପ୍ରେମୀ ଭାଶ୍ୱତି ଶାନ୍ତୁଜା, ଅଭିଜିତ ମୁଖାର୍ଜୀ ଏବଂ ରଣଜିତ ସିଲ୍‌ ଅଭିଯୋଗ କରିଛନ୍ତି ଯେ, ଗାଙ୍ଗୁଲି ଏବେ ବେଙ୍ଗଲ କ୍ରିକେଟ ଆସୋସିଏଶନ (ସିଏବି)ର ସଭାପତି ଏବଂ କ୍ରିକେଟ ପରାମର୍ଶଦାତା କମିଟିର ସଦସ୍ୟ ରହିଥିବା ବେଳେ ଆଇପିଏଲ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସର ଉପଦେଷ୍ଟା ଅଛନ୍ତି। ତାଙ୍କର ଏହି ଦ୍ୱୈତ୍ୟ ଭୂମିକାକୁ ନେଇ ସ୍ବାର୍ଥଗତ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଖବର ଅନୁସାରେ ଗାଙ୍ଗୁଲି ଦଣ୍ଡିତ ହୁଅନ୍ତୁ ବୋଲି ପ୍ରଶାସକ କମିଟି (ସିଓଏ) ଚାହୁଁନାହିଁ। ସିଓଏ କହିବା ଅନୁସାରେ ନୂଆ ସମ୍ବିଧାନ କାର୍ଯ୍ୟକାରୀ ହେବା ପରେ ସବ୍‌କମିଟିଗୁଡ଼ିକ ଭାଙ୍ଗିଦିଆଯାଇଛି। ଗାଙ୍ଗୁଲି ଆଇପିଏଲ ଟେକ୍‌ନିକାଲ କମିଟି ଏବଂ ଗଭର୍ନିଂ କାଉନ୍‌ସିଲରୁ ତାଙ୍କ ଇସ୍ତଫା ଦେଇସାରିଛନ୍ତି। କିନ୍ତୁ ସେ ଏବେ ସୁଦ୍ଧା କ୍ରିକେଟ ଉପଦେଷ୍ଟା କମିଟି (ସିଏସି)ର ଅଂଶବିଶେଷ ରହିଛନ୍ତି। କିନ୍ତୁ ଏହି କମିଟି ବୈଠକ ୪ବର୍ଷ ମଧ୍ୟରେ ଦୁଇଥର ବସିଛି। ଏହି ଦୃଷ୍ଟିରୁ ମାମଲାର ସମାଧାନ ସୂତ୍ର ବାହାର କରାଯିବା ଉଚିତ୍‌। ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ ସୂତ୍ରରୁ ଏହା ଜଣାପଡ଼ିଛି।

Share