ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅଦାଲତ ଅବମାନନା

ଭାଲଚନ୍ଦ୍ର ଷଡ଼ଙ୍ଗୀ

ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଅଦାଲତ ଅବମାନନା ଅଭିଯୋଗରେ ଦେଶର ସର୍ବୋଚ୍ଚ ଅଦାଲତ ଦ୍ୱାରା ବିଚାରଣା ଏବଂ ଦୋଷୀ ସାବ୍ୟସ୍ତକୁ ନେଇ ଦେଶବ୍ୟାପୀ ବିତର୍କ ଆରମ୍ଭ ହୋଇଛି। କେନ୍ଦ୍ରର କ୍ଷମତାସୀନ ଦଳ ସହିତ ସମ୍ପୃକ୍ତ ନେତା ଓ ବୁଦ୍ଧିଜୀବୀମାନେ ଅଦାଲତର ରାୟକୁ ସ୍ବାଗତ କରିଥିବା ବେଳେ ଦେଶର ଅନେକ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ଓକିଲ ଏପରି କି ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ଅନେକ ପୂର୍ବତନ ବିଚାରପତି ପ୍ରଶାନ୍ତ ଭୂଷଣଙ୍କ ସପକ୍ଷରେ ଖୋଲାଖୋଲି ଭାବେ ଠିଆହେବା ଦେଖାଯାଇଛି। ସାରା ଦେଶରେ ଗତ କିଛିଦିନ ଧରି ଓକିଲ ଏବଂ ସାମାଜିକ ଓ ରାଜନୈତିକ କର୍ମୀମାନେ ମତ ପ୍ରକାଶର ଅଧିକାରକୁ ସମର୍ଥନ କରି ହଜାର ହଜାର ସଂଖ୍ୟାରେ ରାସ୍ତା ଉପରକୁ ଆସିବାର ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ପ୍ରଶାନ୍ତ ଭୂଷଣଙ୍କ ମାମଲା ବାହାନାରେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅଦାଲତ ଅବମାନନାର ପ୍ରାସଙ୍ଗିକତାକୁ ନେଇ ପୁଣିଥରେ ଏକ ବିତର୍କର ସୂତ୍ରପାତ ହୋଇଛି।
ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅଦାଲତ ଅବମାନନାର ମାମଲାଟି ଗତ ଜୁନ ୨୭ ଓ ୨୯ରେ ସେ କରିଥିବା ଦୁଇଟି ଟୁଇଟ୍‌କୁ ଆଧର କରି ହୋଇଛି। ପ୍ରଥମଟିରେ ସେ କହିଥିଲେ ଯେ, ଆନୁଷ୍ଠାନିକ ଭାବେ ଜରୁରୀ ପରିସ୍ଥିତି ନ ଥାଇ ବି ଗତ ଛଅବର୍ଷ ମଧ୍ୟରେ କିପରି ଗଣତନ୍ତ୍ରକୁ ଧ୍ୱଂସ କରାଯାଇଛି ତା’ରି ସମ୍ପର୍କରେ ଭବିଷ୍ୟତରେ ଐତିହାସିକମାନେ ଯଦି ଦେଖିବେ ତା’ହେଲେ ସେଥିରେ ସୁପ୍ରିମ୍‌କୋର୍ଟ ଏବଂ ବିଶେଷ କରି ଶେଷ ଚାରି ଜଣ ମୁଖ୍ୟ ବିଚାରପତିଙ୍କ ଭୂମିକାକୁ ଚିହ୍ନିତ କରିବେ। ସେହିପରି ଦ୍ୱିତୀୟ ଟୁଇଟ୍‌ରେ ସେ ଲେଖିଛନ୍ତି, ”ସୁପ୍ରିମ୍‌କୋର୍ଟକୁ ଲକ୍‌ଡାଉନ୍‌ ମୋଡ଼ରେ ରଖିବା ଯୋଗୁ ଜନଗଣଙ୍କୁ ନ୍ୟାୟ ପାଇବାର ମୌଳିକ ଅଧିକାରରୁ ବଞ୍ଚତ୍ତ କରିଥିବା ମୁଖ୍ୟ ବିଚାରପତି, ନାଗପୁରର ରାଜଭବନଠାରେ ଜନୈକ ଭାଜପା ନେତାଙ୍କ ୫୦ ଲକ୍ଷ ଟଙ୍କାର ହାର୍ଲେ ଡିଭିଡ଼ସନ୍‌ ମୋଟରସାଇକେଲକୁ ବିନା ମାସ୍କ ଏବଂ ହେଲମେଟ୍‌ରେ ଚଢ଼ୁଛନ୍ତି।“
ଉପରୋକ୍ତ ଦୁଇଟି ଟୁଇଟ୍‌କୁ ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ, ଅଦାଲତର ଅବମାନନା ବୋଲି ମନେକରି ଏହା ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳ ଅଙ୍ଗ ରୂପେ ପରିଚିତ ନ୍ୟାୟପାଳିକାର ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି ବୋଲି କହିଛନ୍ତି। ଏଠାରେ ପ୍ରଶ୍ନ ଉଠେ ଯେ ଜଣେ ବ୍ୟକ୍ତିର ଦୁଇଟି ମାତ୍ର ଟୁଇଟ୍‌କୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଏତେ ବ୍ୟସ୍ତ କାହିଁକି ? ଦେଶରେ ଅନେକ ବଡ଼ ବଡ଼ ତଥା ଜରୁରୀ ପ୍ରସଙ୍ଗ ବିଚାର ପାଇଁ ସ୍ଥଗିତ ରହିଥିବା ବେଳେ ସୁପ୍ରିମକୋର୍ଟ ଯେଉଁଭଳି ତରବରିଆ ଭାବେ ଏହି ମାମଲାକୁ ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି ତାକୁ ନେଇ ସବୁଆଡ଼େ ସନ୍ଦେହ ପ୍ରକାଶ ପାଇଛି। ଯଦି କୋର୍ଟ ନିଜର ରାୟ ଅନୁଯାୟୀ ସତରେ ଏହି ଟୁଇଟ୍‌ ପଛରେ କୌଣସି ଗଭୀର ଷଡ଼ଯନ୍ତ୍ର ରହିଥିବା କଥା ଭାବୁଛନ୍ତି, ତା’ହେଲେ ଏ ନେଇ ତଥ୍ୟ ଏବଂ ପ୍ରମାଣ ରଖିବା କଥା। କିନ୍ତୁ ସେପରି କରିନାହାନ୍ତି। ବରଂ ନିଜର ୧୩୦ ପୃଷ୍ଠାର ଜବାବରେ ପ୍ରଶାନ୍ତ ଭୂଷଣ ଗତ ଛଅ ବର୍ଷ ମଧ୍ୟରେ କିପରି ଗତ ଚାରି ଜଣ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକାଳରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ଉଦ୍ୟମ ହୋଇଛି ତଥ୍ୟ ଓ ପ୍ରମାଣ ସହିତ ତା’ର ଏକ ତାଲିକା ପ୍ରଦାନ କରିଛନ୍ତି।
ତେବେ ଅଦାଲତ ଅବମାନନାର ଅଭିଯୋଗଟି କେବଳ ପ୍ରଶାନ୍ତ ଭୂଷଣଙ୍କଠାରେ ହିଁ ସୀମିତ ରହିନି। ଦୁଇ ବର୍ଷ ତଳେ ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ତତ୍କାଳୀନ ଭାଜପା ସଭାପତି ଖୋଲାଖୋଲି ସମାଲୋଚନା କରିଥିଲେ ମଧ୍ୟ ଅଦାଲତ ତାକୁ ଅବମାନନା ରୂପେ ନେବା ଦେଖାଯାଇନି। ଏପରି କି ଆଜିକୁ ୨୮ ବର୍ଷ ତଳେ ଉତ୍ତର ପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ବାବ୍ରୀ ମସଜିଦ୍‌ର ସୁରକ୍ଷା ପାଇଁ ଖୋଦ୍‌ ସର୍ବୋଚ୍ଚ ନ୍ୟାୟାଳୟରେ ସତ୍ୟପାଠ କରି ପରେ ତା’ର ଅବମାନନା କରିଥିଲେ ମଧ୍ୟ ଏଯାଏ ସେଥିପାଇଁ ତାଙ୍କର ବିଚାରଣା ହୋଇପାରିଲାନି।
ଆମ ଦେଶରେ ଅଦାଲତ ଅବମାନନାଟି ସିଭିଲ ଓ ଫୌଜଦାରି ପରି ଦୁଇ ପ୍ରକାରର। କୋର୍ଟର ନିର୍ଦ୍ଦେଶ ବା ରାୟକୁ ନ ମାନିବା ସିଭିଲ ଅବମାନନା ପର୍ଯ୍ୟାୟଭୁକ୍ତ ହୋଇଥାଏ। ଏହି କ୍ଷେତ୍ରରେ ଖୋଦ୍‌ ସରକାର ହିଁ ସବୁଠାରୁ ବଡ଼ ଅଭିଯୁକ୍ତ। ଖୋଦ୍‌ ସୁପ୍ରିମକୋର୍ଟର ତଥ୍ୟ ଅନୁଯାୟୀ ୨୦୧୬-୧୭ରେ ଦେଶରେ ଏଭଳି ୯୬,୩୧୦ଟି ଅବମାନନାର ଅଭିଯୋଗ ରହିଥିଲା। ସେହିଭଳି ଫୌଜଦାରି ଅବମାନନାର ବି ଦେଶରେ ୭୦୦ରୁ ଅଧିକ ମାମଲା ପଡ଼ି ରହିଛି। କିନ୍ତୁ କୋର୍ଟ ସେସବୁ ମାମଲାରେ ଯେଉଁଭଳି ତପତ୍ରତା ଦେଖାଇବା କଥା ଦେଖାଯାଉନି।
ଅସଲ କଥା ହେଉଛି, ନ୍ୟାୟପାଳିକାର ସମ୍ମାନଟି ଜଣେ ବ୍ୟକ୍ତିର ଟୁଇଟ୍‌ ଉପରେ ନିର୍ଭର କରେନାହିଁ। ବରଂ ନ୍ୟାୟପାଳିକାର କାର୍ଯ୍ୟକଳାପର ଆଧାରରେ ହିଁ ତା’ର ସମ୍ମାନରେ ବୃଦ୍ଧି କିମ୍ବା ହ୍ରାସ ହୋଇଥାଏ। ଭଲ ଭଲ ରାୟ ନ୍ୟାୟାପାଳିକାର ସମ୍ମାନକୁ ବୃଦ୍ଧି କରୁଥିବା ବେଳେ ପକ୍ଷପାତପୂର୍ଣ୍ଣ ରାୟ ଅଥବା କାର୍ଯ୍ୟାନୁଷ୍ଠାନ ଶୂନ୍ୟତା ତା’ର ସମ୍ମାନକୁ କ୍ଷୁଣ୍ଣ କରିଥାଏ। ଗତ କିଛି ବର୍ଷ ମଧ୍ୟରେ ଏପରି ଅନେକଗୁଡ଼ିଏ ଘଟଣା ହୋଇଛି, ଯାହା କି ସର୍ବୋଚ୍ଚ ଅଦାଲତର ସମ୍ମାନକୁ କ୍ଷୁଣ୍ଣ କରିଛି। ଏହା କେବଳ ପ୍ରଶାନ୍ତ ଭୂଷଣ ହିଁ କହି ନାହାନ୍ତି, ଖୋଦ୍‌ ସୁପ୍ରିମକୋର୍ଟର ଚାରିଜଣ ବରିଷ୍ଠ ବିଚାରପତି ବିଧିବଦ୍ଧ ତଥା ଅଭୂତପୂର୍ବ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି। ସେମାନେ ଖୋଲାଖୋଲି ଭାବେ ତତ୍କାଳୀନ ମୁଖ୍ୟ ବିଚାରପତିଙ୍କ ଉପରେ ଅଭିଯୋଗ ଆଣି କିଛି ସ୍ପଷ୍ଟକାତର ନିର୍ଦ୍ଦିଷ୍ଟ ମାମଲାର ଏକ ନିର୍ଦ୍ଦିଷ୍ଟ ପରିଣାମ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦିଷ୍ଟ ଖଣ୍ଡପୀଠକୁ ଦିଆଯାଉଥିବା କଥା କହିଥିଲେ। ବର୍ଷ ବର୍ଷ ଧରି ସୁପ୍ରିମକୋର୍ଟର କାର୍ଯ୍ୟକାରିତା ନେଇ ଅନେକଙ୍କ ମନରେ ଯେଉଁସବୁ ପ୍ରଶ୍ନ ଆସୁଥିଲା ତାକୁ ହିଁ ସେମାନେ ଏକରକମ ସ୍ବୀକାର କରିଥିଲେ।
ସେ ନିର୍ବାଚନ ବଣ୍ଡ ମାମଲା ହେଉ କିମ୍ବା ବିଚାରପତିଙ୍କ ସମ୍ପତ୍ତି ତାଲିକା ହେଉ ଅଥବା ହିବଅସ୍‌ କର୍ପସ୍‌ ପରି ଜରୁରୀ ମାମଲାରେ ବର୍ଷ ବର୍ଷ ଧରି ଶୁଣାଣି ନ କରି ପକେଇ ରଖିବା ଜରିଆରେ ହେଉ, ଏସବୁ ଦ୍ୱାରା ଖୋଦ୍‌ ନ୍ୟାୟପାଳିକା ନିଜ ପ୍ରତି ଲୋକଙ୍କର ସନ୍ଦେହକୁ ବଢ଼ାଇବା ଦେଖାଯାଇଛି। ଏପରି କି ବାରମ୍ବାର ସରକାର ସପକ୍ଷରେ ଅନେକ ଅସ୍ବାଭାବିକ ରାୟ ଦେବା ପରେ ସମ୍ପୃକ୍ତ ମୁଖ୍ୟ ବିଚାରପତି ଅବସର ନେବାର ତିନି ମାସ ନ ପୂରୁଣୁ ସେହି ସରକାର ଦ୍ୱାରା ରାଜ୍ୟ ସଭାର ସଦସ୍ୟ ରୂପେ ମନୋନୀତ ହେବା ନ୍ୟାୟାଳୟର ବିଶ୍ୱସନୀୟତାକୁ କଦାପି ବୃଦ୍ଧି କରୁନି। ଅତଏବ ନ୍ୟାୟାଳୟ କାହାରିକୁ ମାତ୍ର କିଛି ପଦ ସମାଲୋଚନା ପାଇଁ ଦଣ୍ଡ ଦେଇ ବା ନିଜର କ୍ଷମତାକୁ ପ୍ରଦର୍ଶନ ଜରିଆରେ ନୁହେଁ ବରଂ ନିଜର କାର୍ଯ୍ୟ ବିଶେଷ କରି ସକ୍ରିୟତା, ପାରଦର୍ଶିତା ଏବଂ ନିରପେକ୍ଷତା ଜରିଆରେ ହିଁ ସମ୍ମାନକୁ ବଢ଼ାଇ ପାରିବ।
ପ୍ରଶାନ୍ତ ଭୂଷଣଙ୍କ ବାହାନାରେ ଅଦାଲତ ଅବମାନନା ପ୍ରସଙ୍ଗ ନେଇ ବିତର୍କ ସୃଷ୍ଟି ହେବା ଭଲ କଥା। କାରଣ ବିଶ୍ୱର ଉନ୍ନତ ଗଣତନ୍ତ୍ର କୁହାଯାଉଥିବା ଦେଶମାନଙ୍କରେ ଏହାକୁ ଗଣତନ୍ତ୍ର ପାଇଁ ଏକ ଅନାବଶ୍ୟକ କଥା ବୋଲି ବିଚାର କରିଥାନ୍ତି। ଯେଉଁ ବ୍ରିଟିଶ ଆଇନ ଦ୍ୱାରା ଅନୁପ୍ରାଣୀତ ହୋଇ ଆମେ ଆମର ସମ୍ବିଧାନରେ ଏହି ବ୍ୟବସ୍ଥାକୁ ରଖିଛୁ ତାକୁ ସେମାନେ ହିଁ ୨୦୧୩ ମସିହାରୁ ନିଜ ସମ୍ବିଧାନରୁ ଉଚ୍ଛେଦ କରି ସାରିଛନ୍ତି। ଏପରି କି ଏହି ଆଇନ ଥିବାବେଳେ ବି ନିଜର ସମାଲୋଚନା ନେଇ ସେଠାକାର ବିଚାର ବ୍ୟବସ୍ଥାର ଉଦାରତାର ଅନେକ ଉଦାହରଣ ରହିଛି।
ପ୍ରଶାନ୍ତ ଭୂଷଣ ନିଜର ଗତ ୩୦ ବର୍ଷର ଓକିଲାତିରେ ଅଗଣିତ ଥର ସାଧାରଣ ଲୋକଙ୍କ ପକ୍ଷ ରଖିଛନ୍ତି। ପୂର୍ବର ଉପା ସରକାରଠାରୁ ଆରମ୍ଭ କରି ବର୍ତ୍ତମାନର ସରକାର ସମୟରେ ହୋଇଥିବା ଅନେକ ଭ୍ରଷ୍ଟାଚାରକୁ ଉଜାଗର କରିବାରେ ତାଙ୍କର ଏକ ପ୍ରମୁଖ ଭୂମିକା ରହି ଆସିଛି। ତାଙ୍କ ଦ୍ୱାରା ଦାଏର ଜନସ୍ବାର୍ଥ ମାମଲାରେ ଲକ୍ଷ ଲକ୍ଷ ସାଧାରଣ ଲୋକ ଲାଭାନ୍ବିତ ହୋଇଛନ୍ତି। ଅତଏବ ତାଙ୍କ ଦ୍ୱାରା କରାଯାଇଥିବା ନ୍ୟାୟପାଳିକାର ସମାଲୋଚନା ଏକ ସୁସ୍ଥ ସମାଲୋଚନା ମାତ୍ର। ଗଣତନ୍ତ୍ରରେ ଏଭଳି ସମାଲୋଚନା ବିଚାର ବ୍ୟବସ୍ଥାକୁ ଦୁର୍ବଳ କରି ନ ଥାଏ ବରଂ ସେଥିରେ ରହିଥିବା ତ୍ରୁଟିକୁ ସୁଧାରିବା ପାଇଁ ଏକଦମ୍‌ ଜରୁରୀ । ବରଂ ଅଦାଲତ ଅବମାନନା ନାଁରେ ମତ ପ୍ରକାଶର ଅଧିକାରକୁ ସଙ୍କୁଚିତ କରିବାର ଉଦ୍ୟମ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ହିଁ ଦୁର୍ବଳ କରିଦେବ।
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri