Categories: ଖେଳ

ଖୋର୍ଦ୍ଧା ଜିଲା ଚେସ୍‌:ସ୍ବପ୍ନିଳ ଚାମ୍ପିୟନ, ସୌମ୍ୟ ରନର୍ସଅପ୍‌

ଭୁବନେଶ୍ୱର, ୨୮।୧(କ୍ରୀଡ଼ା ପ୍ରତିନିଧି)-
ଖୋର୍ଦ୍ଧାଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସ୍ବପ୍ନିଳ ପ୍ରିୟଦର୍ଶୀ ଓ ଫିଡେ ମାଷ୍ଟର ସୌମ୍ୟରଞ୍ଜନ ମିଶ୍ର ୬.୫ ପଏଣ୍ଟ ଲେଖାଏ ପାଇଛନ୍ତି। ତେବେ ବୁକୋଲଜ ପଏଣ୍ଟରେ ସ୍ବପ୍ନିଳ ଚାମ୍ପିୟନ ଓ ସୌମ୍ୟ ରନର୍ସଅପ୍‌ ହୋଇଛନ୍ତି। ଫଳରେ ଟ୍ରଫି ସହ ସ୍ବପ୍ନିଳ ୫,୦୦୦ ଓ ସୌମ୍ୟ ୩,୦୦୦ଟଙ୍କାର ପୁରସ୍କାର ରାଶି ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦାଶରଥି ସାହୁ, ସୁଶାନ୍ତ କୁମାର ଷଡ଼ଙ୍ଗୀ, ପ୍ରତ୍ୟୁଷ ମହାପାତ୍ର, ପ୍ରିୟବ୍ରତ ସାମନ୍ତ ସିଂ, ୟାଶିତା ରାଉତ, ସୃଜନ ରାୟ, ହୃଦାନନ୍ଦ ସାମନ୍ତରାୟ, ଅମିତ ମହାନ୍ତି, ଓମ୍‌ ଆଦିତ୍ୟ ଖାଡ଼ଙ୍ଗା ଓ ଶାଶ୍ୱତ ମଲିକ ଶୀର୍ଷ ୧୨ ମଧ୍ୟରେ ରହି ପୁରସ୍କୃତ ହୋଇଛନ୍ତି। ମୋଟ ୪୪ ଜଣଙ୍କୁ ଆର୍ଥିକ ପୁରସ୍କାର ଏବଂ ୩୧ ଜଣଙ୍କୁ ଟ୍ରଫି ଦିଆଯାଇ ସମ୍ମାନିତ କରାଯାଇଛି। ୭, ୮, ୯, ୧୦, ୧୧, ୧୩ ଓ ୧୫ ବର୍ଷରୁ କମ୍‌ କାଟେଗୋରିର ବାଳିକା ବାଳକ ବିଭାଗରେ ଶ୍ରେଷ୍ଠ ୨ ଜଣ ଲେଖାଏ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ନବନିତା ପଟ୍ଟନାୟକ ଓ ଅନୋତୟା ଚାଟାର୍ଜୀ ଶ୍ରେଷ୍ଠ ଦୁଇ ମହିଳା ଖେଳାଳିଭାବେ ପୁରସ୍କୃତ ହୋଇଛନ୍ତି। ସେହିପରି ମହେଶ୍ୱjର ମିଶ୍ର ଓ ଭୀମସେନ ପ୍ରଧାନ ଶ୍ରେଷ୍ଠ ଭେଟେରାନ ଖେଳାଳି ପୁରସ୍କାର ପାଇଛନ୍ତି। ଖୋର୍ଦ୍ଧା ଉପଜିଲାପାଳ ଶାନ୍ତନୁ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଦୁରଦର୍ଶୀ ସମ୍ପାଦକ ଦୁର୍ଗା ପ୍ରସାଦ ସାମନ୍ତରାୟ, ଏଚ୍‌ଡିଏଫସି ବ୍ୟାଙ୍କ୍‌ (ଭୁବନେଶ୍ୱର) ଉପସଭାପତି ଅଭିଷେକ ମହାପାତ୍ର, ଖୋର୍ଦ୍ଧା ଜିଲା ଚେସ୍‌ ଆସୋସିଏଶନ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସରୋଜ କିଶୋର ବେହେରା, ଏସଆର ଚେସ୍‌ ସେଣ୍ଟର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆର୍ବିଟର ଭବେଷ ମହାନ୍ତି ଓ ସନ୍ତୋଷ ମହାପାତ୍ର ଟୁର୍ନାମେଣ୍ଟ ପରିଚାଳନା କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ଏହି ପ୍ରତିଯୋଗିତାରେ କେବଳ ଖୋର୍ଦ୍ଧା ଜିଲା ଖେଳାଳିମାନେ ଭାଗ ନେଇଥିଲେ।

Share