Categories: ଖେଳ

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ସଫଳ ଆୟୋଜନ ଉପରେ କ୍ରୀଡ଼ାମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୬।୨(କ୍ରୀଡ଼ା ପ୍ରତିନିଧି)- ଚଳିତ ମାସ ୨୨ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଓଡ଼ିଶାରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଅନୁଷ୍ଠିତ ହେବ। ଏହାର ସଫଳ ଆୟୋଜନ ଉପରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ବୁଧବାର କ୍ରୀଡ଼ାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ା ଏହି ମେଗା ଇଭେଣ୍ଟର ଆୟୋଜନ ଲାଗି କ’ଣ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି, ସେ ସଂପର୍କରେ କ୍ରୀଡ଼ାମନ୍ତ୍ରୀ ତଦାରଖ କରିଥିଲେ। ଖେଳାଳିମାନେ ଆସିବାଠାରୁ ଆରମ୍ଭ କରି ଯିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାର ସୁପରିଚାଳନା ନେଇ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଉଦ୍‌ଘାଟନ ଏବଂ ଉଦ୍‌ଯାପନ ଉତ୍ସବର ସଫଳ ଆୟୋଜନ, କଳିଙ୍ଗ ଷ୍ଟାଡିୟମ୍‌, କିଟ୍‌, କଟକ ସ୍ଥିତ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ ଆଦି ବିଭିନ୍ନ ସ୍ଥାନରେ ହେବାକୁ ଥିବା ଖେଳର ଆୟୋଜନ ଲାଗି କ’ଣ ପ୍ରସ୍ତୁତି ହୋଇଛି ସେ ବିଷୟରେ କ୍ରୀଡ଼ାମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କଠାରୁ ଅବଗତ ହୋଇଥିଲେ ା
ବର୍ତ୍ତମାନ ସୁଦ୍ଧା ୧୭୭ଟି ବିଶ୍ୱବିଦ୍ୟାଳୟ ନାମ ପଞ୍ଜୀକୃତ କରିଥିବାବେଳେ ୩୦୦୦ ପାଖାପାଖି ଖେଳାଳି ଓ ଅଫିସିଆଲ୍‌ ଏଥିରେ ଅଂଶଗ୍ରହଣ କରିବାର ଆଶା ରହିଛି। ଖେଳାଳି ଓ ଅଫିସିଆଲ୍‌ମାନଙ୍କ ପାଇଁ କିଟ୍‌ରେ ରହିବାର ବ୍ୟବସ୍ଥା କରାଯାଇଛି ା ଏଥିରେ ହେବାକୁ ଥିବା ୧୭ଟି ଇଭେଣ୍ଟ ମଧ୍ୟରୁ ୨ଟି କଟକରେ ଖେଳାଯିବାକୁ ଥିବାବେଳେ ଅନ୍ୟ ଇଭେଣ୍ଟଗୁଡ଼ିକ କଳିଙ୍ଗ ଷ୍ଟାଡିୟମ୍‌, କିଟ୍‌, ସାଇ ଇଣ୍ଟରନ୍ୟାସନାଲ୍‌ ଏବଂ ବାରଙ୍ଗରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ା ଚଳିତ ମାତ ୨୧ ତାରିଖରେ କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ଠାରେ ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ମେଗା ଇଭେଣ୍ଟର ସଫଳ ଆୟୋଜନ ସହ ଏଠାକୁ ଆସୁଥିବା ପ୍ରତ୍ୟେକ ଖେଳାଳି ଓ ଅଫିସିଆଲ୍‌ ଏକ ଭଲ ଅନୁଭବ ନେଇ ଯିବେ ତାହାକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟକୁ ସଫଳତାର ସହ ଆୟୋଜନ ଲାଗି କ୍ରୀଡ଼ା ବିଭାଗ, ସାଇ, କିଟ ଏବଂ ଖେଳ ଆୟୋଜନକାରୀ ସଂସ୍ଥା ସଜାଗ ରହିବାକୁ ମନ୍ତ୍ରୀ କହିଥିଲେ ା ଓଡ଼ିଶାରେ କ୍ରୀଡ଼ାକୁ ଶିଖରରେ ପହଞ୍ଚାଇବାର ଯେଉଁ ଲକ୍ଷ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଛନ୍ତି, ତାହାର ସଫଳ ରୂପାୟନ ସହ ରାଜ୍ୟର ଗରିମାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ କ୍ରୀଡ଼ା ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ମନ୍ତ୍ରୀ ବେହେରା ଆହ୍ବାନ ଦେଇଥିଲେ ା

Share