Categories: ଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ୨୧ ବର୍ଷରୁ କମ୍‌ ପୁରୁଷ ହକିରେ ଓଡ଼ିଶାକୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୨।୧ (ସ୍ପୋର୍ଟ୍ସ ବ୍ୟୁରୋ)- ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୨୧ ବର୍ଷରୁ କମ୍‌ ପୁରୁଷ ହକିରେ ଓଡ଼ିଶା ଦଳ ବ୍ରୋଞ୍ଜ ପଦକ ଜିତିଛି। ପୂର୍ବରୁ ସୋମବାର ୧୭ ବର୍ଷରୁ କମ୍‌ ମହିଳା ହକିରେ ମଧ୍ୟ ଓଡ଼ିଶା ଦଳ ସମାନ ସଫଳତା ପାଇଥିଲା। ହକି ପ୍ରତିଯୋଗିତାର ମଙ୍ଗଳବାର ଅନ୍ତିମ ଦିବସ ରହିଥିଲା। ୨୧ ବର୍ଷରୁ କମ୍‌ ପୁରୁଷ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଓଡ଼ିଶାର ମୁକାବିଲା ଚଣ୍ଡିଗଡ଼ ସହିତ ହୋଇଥିଲା। ଏଥିରେ ଓଡ଼ିଶା ପେନାଲ୍ଟି ଶୁଟ୍‌ଆଉଟରେ ୩-୧ ଗୋଲରେ ବିଜୟୀ ହୋଇ ୩ୟ ସ୍ଥାନ ଲାଭ କରଛି। ଏହି ମ୍ୟାଚ୍‌ର ନିର୍ଦ୍ଧାରିତ ସମୟସୀମା ସୁଦ୍ଧା ଉଭୟ ଦଳ ୫ଟି ଲେଖାଏ ଗୋଲସ୍କୋର କରିଥିଲେ। ଓଡ଼ିଶା ପକ୍ଷରୁ ସମୀର ଏକ୍କା (୧୫ତମ ଓ ୨୮ତମ ମିନିଟ୍‌), ଅଭିଷେକ ଲାକ୍ରା (୩୮ତମ), ରାହୁଲ ଏକ୍କା (୪୪ତମ) ଓ ଅମନଦୀପ ଲାକ୍ରା (୫୯ତମ) ଗୋଲ ଦେଇଥିଲେ। ଫଳରେ ମ୍ୟାଚ୍‌ ୫-୫ର ସାମନସ୍ତରରେ ରହିଥିଲା। ଏହାପରେ ପେନାଲ୍ଟି ଶୁଟ୍‌ଆଉଟରେ ଓଡ଼ିଶା ବିଜୟୀ ହୋଇଥିଲା। ଶୁଟ୍‌ଆଉଟ୍‌ରେ ଓଡ଼ିଶା ଗୋଲକିପର ସାହିଲ ନାୟକ ପ୍ରତିପକ୍ଷର ୩ଟି ପ୍ରୟାସକୁ ବିଫଳ ହେବାକୁ ଦେଇଥିବାବେଳେ ସୁଶୀଳ ଧନଓ୍ବାର, ସୁନୀତ ଲାକ୍ରା ଓ କ୍ରିଷ୍ଣା ଲାକ୍ରା ଗୋଟିଏ ଲେଖାଏ ସ୍କୋର କରିଥିଲେ। ୨୧ ବର୍ଷରୁ କମ୍‌ ପୁରୁଷ ବିଭାଗ ହକିରେ ହରିୟାଣାକୁ ହରାଇ ଉତ୍ତରପ୍ରଦେଶ ଏବଂ ମହିଳା ବର୍ଗରେ ଝାଡ଼ଖଣ୍ଡକୁ ପରାସ୍ତ କରି ହରିୟାଣା ଚାମ୍ପିୟନ ହୋଇଛି।

Share