Categories: ଖେଳ

ଖେଲୋ ଇଣ୍ଡିଆ ବ୍ୟାଡମିଣ୍ଟନ: ପୁରୁଷରେ ଆନ୍ଧ୍ର, ମହିଳାରେ ଜୈନ ଚାମ୍ପିୟନ

କଟକ ଅଫିସ,୨୭ା୨-  ସ୍ଥାନୀୟ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନଭର୍ସିଟି ଗେମ୍ସର ବ୍ୟାଡମିଣ୍ଟନ ଇଭେଣ୍ଟ ବୁଧବାର ଶେଷ ହୋଇଛି। ଏହି ଇଭେଣ୍ଟର ପୁରୁଷ ବର୍ଗରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଓ ମହିଳା ବର୍ଗରେ ଜୈନ ବିଶ୍ୱବିଦ୍ୟାଳୟ ଚାମ୍ପିୟନ ହୋଇଛି। ଗୁରୁବାରଠାରୁ ଏଠାରେ ଟେବୁଲ ଟେନିସ୍‌ ପ୍ରତିଯୋଗିତା ଆରମ୍ଭ ହେବ।
ପୁରୁଷ ବର୍ଗରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ୩-୧ ସେଟରେ ପଞ୍ଜାବ ବିଶ୍ୱବିଦ୍ୟାଳୟକୁ ହରାଇଥିଲା। ପଞ୍ଜାବର କାର୍ତ୍ତିକ ଜିନ୍ଦଲ ୨୧-୭, ୨୧-୬ ପଏଣ୍ଟରେ ଆନ୍ଧ୍ରପ୍ରଦେଶ ଦଳର ପ୍ରଣୟ ରେଡ୍ଡୀଙ୍କୁ ହରାଇ ପ୍ରଥମ ସେଟରେ ଅଗ୍ରଣୀ ନେଇଥିଲେ। ପରବର୍ତ୍ତୀ ସେଟରେ ଆନ୍ଧ୍ରର ଜଗଦୀଶ କଲାଗା ୨୧-୧୬, ୨୧-୧୯ ପଏଣ୍ଟରେ ପଞ୍ଜାବର ଅଭିଶେକ ସାଇନିଙ୍କୁ ପରାସ୍ତ କରି ମ୍ୟାଚ୍‌କୁ ସମାନ ସ୍ଥିତିରେ ପହଞ୍ଚାଇଥିଲେ। ୩ୟ ସେଟ ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମିକ୍ସଡ ଡବଲ୍ସ ପର୍ଯ୍ୟାୟରେ ପଞ୍ଜାବର କାର୍ତ୍ତିକ ଜିନ୍ଦଲ-ହାର୍ଦ୍ଦିକ ମକରଙ୍କ ଯୋଡ଼ି ଭେଟିଥିଲା ଆନ୍ଧ୍ରର ଗରାଗ କ୍ରୀଷ୍ଣା ପ୍ରସାଦ ଓ ଶ୍ରୀକ୍ରୀଷ୍ଣା ସାଇ କୁମାରଙ୍କ ଯୋଡ଼ିକୁ। ଆନ୍ଧ୍ରର ଯୋଡ଼ି ପ୍ରଥମ ରାଉଣ୍ଡକୁ ୧୨-୨୧ ପଏଣ୍ଟରେ ହାରିବା ପରେ ପରବର୍ତ୍ତୀ ଦୁଇ ରାଉଣ୍ଡରେ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପରବର୍ତ୍ତୀ ଦୁଇଟି ଯାକ ରାଉଣ୍ଡ ୨୧-୧୮, ୨୧-୧୫ ପଏଣ୍ଟରେ ଜିତିଥିଲା ଆନ୍ଧ୍ରପ୍ରଦେଶ। ଏଥି ସହିତ ମ୍ୟାଚ୍‌ରେ ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟ ୨-୧ ସେଟରେ ଅଗ୍ରଣୀ ହାସଲ କରିଥିଲା। ୪ର୍ଥ ତଥା ନିର୍ଣ୍ଣାୟକ ସେଟରେ ଆନ୍ଧ୍ର ବିଜୟୀ ହୋଇ ଚାମ୍ପିୟନ ହୋଇଛି। ଏହି ସେଟରେ ଆନ୍ଧ୍ରର ଆଦିତ୍ୟ ବାପିନିଦୁ ୨୧-୧୪, ୨୧-୧୭ ପଏଣ୍ଟରେ ପଞ୍ଜାବର ହାର୍ଦ୍ଦିକ ମକରଙ୍କୁ ପରାସ୍ତ କରିଥିଲେ। ମହିଳା ବର୍ଗର ଫାଇନାଲ ମୁକାବିଲାରେ ଜୈନ ବିଶ୍ୱବିଦ୍ୟାଳୟ ୨-୦ ସେଟରେ ତାମିଲନାଡୁର ଏଏସ୍‌ଆରଏମ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି। ଶିଖା ରାଜେଶ ଗୌତମ ୨୧-୧୨, ୨୧-୮ ପଏଣ୍ଟରେ ଏଏସ୍‌ଆରଏମର ନିଭେତା ମୁଥୁକୁମାରଙ୍କୁ ହରାଇ ପ୍ରଥମ ସେଟକୁ ଜୈନ ବିଶ୍ୱବିଦ୍ୟାଳୟ ନାମରେ କରିଥିଲେ। ପରବର୍ତ୍ତୀ ସେଟ୍‌ଟି ମହିଳା ଡବଲ୍ସ ପର୍ଯ୍ୟାୟରେ ଖେଳାଯାଇଥିଲା। ଏଥିରେ ଜୈନ ଦଳର ଅଶ୍ୱିନୀ କେ ଭଟ୍ଟ- ଶିଖା ରାଜେଶ ଗୌତମଙ୍କ ଯୋଡ଼ି ୨୧-୭, ୨୧-୧୪ ପଏଣ୍ଟରେ ଏଏସ୍‌ଆରଏମ ବିଶ୍ୱବିଦ୍ୟାଳୟର ଭେଙ୍କଟ ରାମ୍ୟା ତୁଳସୀ-ଭି ନୀଲାଙ୍କୁ ହରାଇଥିଲେ।

Share