Categories: ଖେଳ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ରାଞ୍ଚତ୍ଠାରୁ ହାରିଲା ସମ୍ବଲପୁର

ଭୁବନେଶ୍ୱର, ୨୩।୨ (ସ୍ପୋଟର୍‌ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟର ଶନିବାର ୨ୟ ଦିବସରେ ବିଭିନ୍ନ ଇଭେଣ୍ଟରେ ଖେଳ ଅନୁଷ୍ଠିତ ହୋଇଯାଇଛି। କିଟ୍‌ କ୍ୟାମ୍ପସ୍‌-୧୩ସ୍ଥିତ ହକି ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ବିଭାଗ ହକିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ୧-୨ ଗୋଲରେ ରାଞ୍ଚତ୍ ବିଶ୍ୱବିଦ୍ୟାଳୟଠାରୁ ପରାସ୍ତ ହୋଇଛି। ରାଞ୍ଚତ୍ ପକ୍ଷରୁ ପ୍ରମିଳା ସୋରେନ (୧୭ତମ ମିନିଟ୍‌) ଓ ବେଟନ ଡୁଙ୍ଗ୍‌ଡୁଙ୍ଗ୍‌ (୨୫ତମ) ଗୋଲ ସ୍କୋର କରିଥିଲେ। ସମ୍ବଲପୁରର ଜାହ୍ନବୀ ପ୍ରଧାନ ୫୫ତମ ମିନିଟ୍‌ରେ ଗୋଟିଏ ଗୋଲ ଶୁଝିଥିଲେ।
ଭଲିବଲ୍‌ରେ ଉତ୍କଳର ଡବଲ୍‌ ପରାଜୟ-
କିଟ୍‌ କ୍ୟାମ୍ପସ୍‌-୧୩ସ୍ଥିତ ଇନ୍‌ଡୋର ହଲ୍‌ରେ ଅପରାହ୍ନ ୪ଟାରେ ଖେଳାଯାଇଥିବା ପୁରୁଷ ବିଭାଗ ଭଲିବଲରେ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟକୁ ନିରାଶ ହେବାକୁ ପଡ଼ିଛି। ଉତ୍କଳ ୦-୩ ସେଟ୍‌ରେ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟ (କେରଳ)ଠାରୁ ପରାସ୍ତ ହୋଇଛି। ଦିବସରେ ଉତ୍କଳ ଏହାର ୨ୟ ମ୍ୟାଚ୍‌ରେ ମଧ୍ୟ ୦-୩ ସେଟ୍‌ରେ ଡିରେକ୍ଟର ଫିଜିକାଲ ଏଜୁକେଶନ ୟୁନିଭରର୍ସିଟି (କେରଳ)ଠାରୁ ମଧ୍ୟ ହାରିଯାଇଛି।
ଫୁଟ୍‌ବଲ-
କିଟ୍‌ କ୍ୟାମ୍ପସ-୧୩ ସ୍ଥିତ ଫୁଟ୍‌ବଲ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ମହିଳା ବିଭାଗ ମ୍ୟାଚ୍‌ରେ ଆନ୍ନାମାଲାଇ ବିଶ୍ୱବିଦ୍ୟାଳୟ (ତାମିଲନାଡ଼ୁ) ୯-୦ ଗୋଲରେ ଏକପାଖିଆ ଭାବେ ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟ (ରୋହତକ)କୁ ପରାସ୍ତ କରିଛି। ସେହିଭଳି ଗୁରୁନାନନକ ଦେବ ବିଶ୍ୱବିଦ୍ୟାଳୟ (ଅମ୍ରିତସର)୧-୦ ଗୋଲରେ ଲକ୍ଷ୍ମୀବାଇ ନାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକାଲ ଏଜୁକେଶନକୁ, ଗୋଆ ବିଶ୍ୱବିଦ୍ୟାଳୟ ୩-୧ ଗୋଲରେ ପଞ୍ଜାବ ବିଶ୍ୱବିଦ୍ୟାଳୟକୁ ମାତ୍‌ ଦେଇଛି।
ବାସ୍କେଟବଲ
ଶନିବାର ମହିଳା ଓ ପୁରୁଷ ବିଭାଗ ବାସ୍କେଟବଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି। କିଟ୍‌ କ୍ୟାମ୍ପସ-୧୩ସ୍ଥିତ ଇନ୍‌ଡୋର ହଲ୍‌ରେ ଅନୁଷ୍ଠିତ ମହିଳା ବିଭାଗ ମ୍ୟାଚ୍‌ରେ ହିନ୍ଦୁସ୍ତାନ ଆଇଟିଏସ୍‌ (ଚେନ୍ନାଇ) ୮୫-୬୫ରେ ଆଇଟିଏ ବିଶ୍ୱବିଦ୍ୟାଳୟ (ଗ୍ବାଲିୟର)କୁ, ଗୁରୁ ନାନକଦେବ ବିଶ୍ୱବିଦ୍ୟାଳୟ (ଅମ୍ରିତସର) ୭୦-୩୫ରେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟକୁଳ, ଲକ୍ଷ୍ମୀବାଇ ନାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକାଲ ଏଜୁକେଶନ ୧୦୭-୪୮ରେ ପଞ୍ଜାବକୁ, ମାଡ୍ରାସ ବିଶ୍ୱବିଦ୍ୟାଳୟ ୭୨-୪୩ରେ ଜାମିଆ ମିଲିଆ ଇସ୍‌ଲାମିଆ (ନୂଆଦିଲ୍ଲୀ)କୁ ପରାସ୍ତ କରିଛି।
ଟେନିସ-
ପୁରୁଷ ସିଙ୍ଗଲ୍ସ ଟେନିସରେ କିଟ୍‌ର ସିଦ୍ଧାନ୍ତ ମହତା ୦-୬, ୦-୬ରେ ଜି. ମନୀଷ ଫିଜିକାଲ ଏଜୁକେଶନ ବିଶ୍ୱବିଦ୍ୟାଳୟ (ମହୀଶୂର)ଙ୍କଠାରୁ ହାରିଯାଇଛନ୍ତି। ସେହିଭଳି କିଟ୍‌ର ଆଦିତ୍ୟ ଶତପଥୀଙ୍କୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡ଼ିଛି।

Share