କ୍ଷେତ୍ରବାଦ୍‌ ସଂକୀର୍ଣ୍ଣତା ବିକାଶର ପରିପନ୍ଥୀ

ଷ୍ଟାଲିନ୍‌ ମିଶ୍ର

ଓଡ଼ିଶାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଛି, ଯାହା ଉତ୍ଥାପନ କଲେ ନେତାମାନଙ୍କ ପ୍ରତି ଲୋକଙ୍କ ଆସ୍ଥା, ବିଶ୍ୱାସ ଫେରିପାରିବା ସହିତ ରାଜ୍ୟର ମଧ୍ୟ ହିତ ସାଧନ ହୋଇପାରନ୍ତା। କିନ୍ତୁ ଆମେ ସେସବୁ ପ୍ରସଙ୍ଗ ନିଜ ବ୍ୟକ୍ତିଗତ ଲାଭ କିମ୍ବା ନୈତିକତା ଅଭାବରୁ ଉଠାଉନାହଁୁ । ଅପ୍ରସଙ୍ଗକୁ ପ୍ରସଙ୍ଗ କରିବା ତଥା କାହା ବିରୋଧରେ ବ୍ୟକ୍ତିଗତ ଟିପ୍ପଣୀ ଦେବାକୁ ଆମେ ପରାକ୍ରମର ପରିଚୟ ବୋଲି ବିବେଚନା କରିଚାଲିଛୁ, ଯାହାଦ୍ୱାରା ଆମର କ୍ଷତି ସାଧନ ହେବା ସହିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକରୁ ଧ୍ୟାନ ହଟିଚାଲିଛି। କିଛି କଳାକାରଙ୍କ ବ୍ୟକ୍ତିଗତ ଝଗଡ଼ାର ଆଢୁଆଳରେ ରାଜ୍ୟ ବିଭାଜନ ପରି ଏକ ଅନାବଶ୍ୟକ ପ୍ରସଙ୍ଗ ବର୍ତ୍ତମାନ ଓଡ଼ିଶାର ରାଜନୈତିକ ବାତାବରଣକୁ ଉଷ୍ମ ତଥା ଓଡ଼ିଶାର ଜନସାଧାରଣଙ୍କ ହୃଦୟରେ ବିଭେଦର ବିଷମଞ୍ଜି ବୁଣିଚାଲିଛି।
ପ୍ରଥମ କଥା ହେଲା, ଏପରି ବିଭ୍ରାନ୍ତିକର କ୍ଷେତ୍ରବାଦ୍‌କୁ ପ୍ରଚଣ୍ଡ ବିରୋଧ କରାଯିବା ଉଚିତ। କ୍ଷେତ୍ରବାଦ୍‌ ଆଧାରରେ କୌଣସି ସ୍ଥାନ କିମ୍ବା ବ୍ୟକ୍ତିବିଶେଷ ପ୍ରତି ଆକ୍ଷେପ କରିବା କିମ୍ବା ବୈମାତୃକ ମନୋଭାବ ପୋଷଣ କରିବା କେବଳ ଅନ୍ୟାୟ ନୁହେଁ, ଏହା ଅପରାଧ ମଧ୍ୟ। ଓଡ଼ିଶା ପାଇଁ ଏହାର ଉପକୂଳ ଓଡ଼ିଶା ଯେତେ ଗୁରୁତ୍ୱପୂର୍ଣ୍ଣ ପଶ୍ଚିମ ଓଡ଼ିଶା ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ। ଆମକୁ ଭବାନୀପାଟଣାର ମା’ ମାଣିକେଶ୍ୱରୀଙ୍କ ଆଶୀର୍ବାଦ ଯେତିକି ଆବଶ୍ୟକ ଯାଜପୁରର ମା’ ବିରଜାଙ୍କ ଆଶୀର୍ବାଦ ସେତିକି ମହତ୍ତ୍ୱପୂର୍ଣ୍ଣ। କୋରାପୁଟର ଗୁପ୍ତେଶ୍ୱର ମହାଦେବ ଓ ଢେଙ୍କାନାଳର ପ୍ରଭୁ ଚନ୍ଦ୍ରଶେଖର ଉଭୟ ଆରାଧ୍ୟ। ଜଗନ୍ନାଥ ଦେଶ ଭାବେ ପରିଚିତ ଓଡ଼ିଶାର ଜନସାଧାରଣଙ୍କୁ ଭାଗ ଭାଗ କରି କିଛି ଲୋକଙ୍କୁ ତାଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କଠାରୁ ଦୂରେଇ ରଖିବା କିମ୍ବା ମହୋଦଧି, କୋଣାର୍କ, ଲିଙ୍ଗରାଜ, ଖଣ୍ଡଗିରି, ଉଦୟଗିରି ପରି କୀର୍ତ୍ତିରାଜିଠାରୁ ବଞ୍ଚତ୍ତ କରିବା ଓଡ଼ିଆଙ୍କ ଅଧିକାରକୁ କ୍ଷୁଣ୍ଣ କରିବା ପାଇଁ ହୀନ ପ୍ରୟାସ ମାତ୍ର। ଦେଶ ବିଭାଜନ ପରେ ଯେପରି ଆମେ ଭାରତୀୟ ହିନ୍ଦୁ କୁଶ ପର୍ବତ, ସିନ୍ଧୁନଦୀ, ମା’ ଢାକେଶ୍ୱରୀ ମନ୍ଦିର ଉପରୁ ନିଜ ଅଧିକାର ହରାଇଲୁ, ଓଡ଼ିଶା ବିଭାଜନ ପରେ ଏପରି ଅନେକ ମହତ୍ତ୍ୱପୂର୍ଣ୍ଣ ଜିନିଷ ଉଭୟ ପକ୍ଷ ପାଇଁ ପର ହୋଇଯିବନାହିଁ କି? କବିବର ରାଧାନାଥ ଓ ସ୍ବଭାବକବି ଗଙ୍ଗାଧରଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା କ’ଣ ନିହାତି ଆବଶ୍ୟକ? ଓଡ଼ିଶା ରାଜ୍ୟ, ଓଡ଼ିଆ ଭାଷା ତଥା ଓଡ଼ିଆ ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ଅବଦାନ ଅନେକ। ଆମକୁ ଆମ ଇତିହାସ ଆଉଥରେ ପଢ଼ିବା ଉଚିତ୍‌। ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ପୂର୍ବପୁରୁଷମାନଙ୍କ ସମସ୍ତ ତ୍ୟାଗ, ବଳିଦାନ ରାଜ୍ୟ ବିଭାଜନ ହେଲେ ବ୍ୟର୍ଥ ଯିବନାହିଁ କି?
କଳା, ସଂସ୍କୃତି ତଥା କଳାକାର ହୃଦୟ ଯୋଡ଼ିବା ପାଇଁ କାର୍ଯ୍ୟ କରିଥା’ନ୍ତି। କିନ୍ତୁ ଯିଏ ରାଜ୍ୟ କିମ୍ବା ଦେଶ ବିଭାଜନ ଲାଗି ଷଡ଼ଯନ୍ତ୍ର କରନ୍ତି, ଜନତାଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ପ୍ରେରଣା ଦିଅନ୍ତି ସେମାନେ କଦାପି କଳାକାର ନୁହନ୍ତି । ଯାଜପୁର ଖଣିଖାଦାନରେ ଭରପୂର। ଏସିଆର ବୃହତ୍ତମ ଇସ୍ପାତ୍‌ ନଗରୀ, କୋଟି କୋଟି ରାଜସ୍ବ ଦେଉଥିବା ଜିଲା। ତଥାପି ଏହି ଜିଲାରେ ଗୋଟେ ବି ସରକାରୀ ବା ବେସରକାରୀ ଇଞ୍ଜିନିୟରିଂ କଲେଜ ନାହିଁ କି ମ୍ୟାନେଜ୍‌ମେଣ୍ଟ ଶିକ୍ଷାନୁଷ୍ଠାନ ନାହିଁ। ନଗଡ଼ା ପରି ସ୍ଥାନ ଯାଜପୁରରେ ଅବସ୍ଥିତ। ଅଧିକାଂଶ ଯୁବକ ବାହାର ରାଜ୍ୟକୁ ଦାଦନ ଖଟିଯିବାକୁ ବାଧ୍ୟ। ଜିଲା ମୁଖ୍ୟାଳୟକୁ ରେଳ ସଂଯୋଗ ହୋଇନାହିଁ, ଏତେ ଶିଳ୍ପାନୁଷ୍ଠାନ ଥିଲେ ମଧ୍ୟ ବିମାନବନ୍ଦର ନାହିଁ। ସ୍ବାସ୍ଥ୍ୟ, ଶିକ୍ଷା ସେବା ପାଇଁ ଆମେ କଟକ, ଭୁବନେଶ୍ୱର ଉପରେ ନିର୍ଭରଶୀଳ। ବାହାର ଚାକଚକ୍ୟ, କିନ୍ତୁ ଭିତର ଫମ୍ପା ସଦୃଶ।
କୌଣସି ସ୍ଥାନ କେତେ ସମୃଦ୍ଧ ତାହା ତାହାର ଭୌଗୋଳିକ ଅବସ୍ଥିତି, ଉପଲବ୍ଧ ପ୍ରାକୃତିକ ସମ୍ପଦ, ଜଳବାୟୁ ତଥା ପରିବେଶ ଉପରେ ନିର୍ଭରକରେ। ଠିକ୍‌ ସେପରି ଉକ୍ତ ସ୍ଥାନର ବିକାଶ ସେଇ ଅଞ୍ଚଳର ଉନ୍ନତ ମସ୍ତିଷ୍କ, ଲୋକପ୍ରତିନିଧିଙ୍କ ଯୋଗ୍ୟତା, ଇଚ୍ଛାଶକ୍ତି ତଥା ପ୍ରଗତିଶୀଳ ଦୃଷ୍ଟିକୋଣ ଉପରେ ନିର୍ଭର କରେ। ଯଦି ବିକାଶ ହୋଇନି ତା’ହେଲେ ସେ ଅଞ୍ଚଳର ଲୋକପ୍ରତିନିଧିଙ୍କ ଉଦାସୀନତା ଦାୟୀ ଏବଂ ଯଦି ବିକାଶ ହୋଇଛି ତା’ହେଲେ ସେ ଅଞ୍ଚଳର ଲୋକପ୍ରତିନିଧିଙ୍କ ପାଇଁ ସମ୍ଭବ ହୋଇଥାଏ। କିନ୍ତୁ ବିକାଶ ପାଇଁ ବିଭାଜନ ଜରୁରୀ ଦାବି କରିବା ମୂର୍ଖତା। ଯେଉଁ ନେତାମାନେ ଏପରି ବିଭାଜନ ପାଇଁ ଉସ୍‌କାଉଛନ୍ତି ସେମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ପିଢ଼ି ପରେ ପିଢ଼ି ଦୀର୍ଘଦିନ ରହି କ୍ଷମତା ତଥା ସରକାରୀ ସୁବିଧା ସୁଯୋଗ ଉପଭୋଗ କରି ମଧ୍ୟ ସେ ସ୍ଥାନର ବିକାଶ କରିବାକୁ କେବେ ଚେଷ୍ଟା କରିନାହାନ୍ତି କିମ୍ବା ତାଙ୍କ ପାଖରେ ଇଚ୍ଛାଶକ୍ତିର ଘୋର ଅଭାବ ରହିଛି। ସେମାନଙ୍କୁ ବିଶ୍ୱାସ କରିବା କିମ୍ବା ତାଙ୍କ କଥାରେ ଅରାଜକତା ସୃଷ୍ଟି କରିବା ନିର୍ବୋଧତା। ଅବହେଳା ପାଇଁ ସେମାନଙ୍କୁ ପ୍ରଥମେ ଉତ୍ତରଦାୟୀ କରନ୍ତୁ କିମ୍ବା କ’ଣ କରିଛନ୍ତି ବୋଲି ପ୍ରଶ୍ନ କରନ୍ତୁ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ରାଜନୈତିକ ବହିଷ୍କାର କରି ନୂତନ ଶିକ୍ଷିତ ଯୁବପିଢ଼ିଙ୍କ ହାତରେ ଶାସନ କ୍ଷମତା ଅର୍ପଣ କରିବାକୁ ପଦକ୍ଷେପ ନିଅନ୍ତୁ। ଯେଉଁ ନେତାମାନେ ଦୀର୍ଘବର୍ଷ କ୍ଷମତାରେ ରହି ମଧ୍ୟ ନିଜ ଅଞ୍ଚଳର ବିକାଶ ପ୍ରତି ଅବହେଳା କରି ଆସିଛନ୍ତି, ନୂତନ ରାଜ୍ୟ ସୃଷ୍ଟିହେଲେ ମଧ୍ୟ ସେମାନଙ୍କ ଚରିତ୍ରରେ କୌଣସି ପରିବର୍ତ୍ତନ ହେବନାହିଁ। ବରଂ ନୂତନ ରାଜ୍ୟର ନୂତନ ରାଜଧାନୀ, ନୂତନ ସରକାରଙ୍କ ଦପ୍ତର, ନୂତନ ରାଜଭବନ, ନୂତନ ସଚିବାଳୟ ତଥା ଅନ୍ୟାନ୍ୟ ଆବଶ୍ୟକ ସରକାରୀ ଭିତ୍ତିଭୂମି ନିର୍ମାଣ ପାଇଁ ଯେଉଁ ଅନାବଶ୍ୟକ ବ୍ୟୟବରାଦ ହେବ, ତାହାର ବୋଝ ଏହି ନିରୀହ ଜନତା ଉଠାଇବାକୁ ବାଧ୍ୟହେବେ।
ପାକିସ୍ତାନ ସୃଷ୍ଟି ପାଇଁ ପଞ୍ଜାବ, ବେଲୁଚ୍‌ କିମ୍ବା ସିନ୍ଧ୍‌ର ମୁସ୍‌ଲିମ୍‌ କେବେ ଦାବି କରି ନ ଥିଲେ। ଦାବି ଓ ସହଯୋଗ କରିଥିଲେ ଉତ୍ତର ଭାରତର ଧନୀକ ଶ୍ରେଣୀର ମୁସ୍‌ଲିମ୍‌ ତଥା ନବାବ ଜାଗିର୍‌ଦାରମାନେ। କିନ୍ତୁ ଦେଶ ବିଭାଜନ ପରେ ଦାବି କରିଥିବା ଅଧିକାଂଶ ଲୋକ ଭାରତରେ ରହିଲେ। ବିଭାଜନ ବିଭୀଷିକା ପଞ୍ଜାବ, ସିନ୍ଧ୍‌, ବଙ୍ଗଳାର ନିରୀହ ଜନତା ଭୋଗକଲେ ତଥା ଆଜି ଏକ ଗରିବ ଅନୁନ୍ନତ ଦେଶର ଦୟନୀୟ ନାଗରିକ ହୋଇ ରହିବାକୁ ବାଧ୍ୟହେଲେ। ବିଭାଜନ ବିଭୀଷିକା ଆଣେ ବିକାଶ ନୁହେଁ। ଆଜି ବି ଯେଉଁମାନେ ଓଡ଼ିଶା ବିଭାଜନ ପାଇଁ ବିଷମଞ୍ଜି ବୁଣିଚାଲିଛନ୍ତି ସେମାନଙ୍କ ପୂର୍ବପୁରୁଷ ଏହି ଉପକୂଳ ଅଞ୍ଚଳରୁ ଯାଇ ପଶ୍ଚିମ ଓଡ଼ିଶାର ନିରୀହ ଜନତାଙ୍କୁ ଶୋଷଣକରି ଧନୀ ହୋଇଛନ୍ତି। ତାଙ୍କ କଥାରେ ଯେଉଁମାନେ ଉନ୍ମାଦ ସୃଷ୍ଟି କରୁଛନ୍ତି ସେମାନେ ଥରେ ସେହି ନେତାମାନଙ୍କ ଇତିହାସ, ଭୂଗୋଳ ପରଖି ଦେଖନ୍ତୁ। ସେମାନେ ଯଦି ନିଜ ପଦବୀ, କ୍ଷମତା ଓ ବୁଦ୍ଧିକୁ କେବଳ ନିଜ ସିନ୍ଦୁକ ଭରିବା ତଥା ଅଂଶବାଦ୍‌ ରାଜନୀତିକୁ ସୁଦୃଢ଼ କରିବା ପାଇଁ ପ୍ରୟୋଗ କରି ନ ଥାନ୍ତେ ତା’ହେଲେ ଆଜି ସେହି ସ୍ଥାନ ନିଶ୍ଚୟ ବିକାଶର ସ୍ବାଦ ଚାଖିପାରିଥା’ନ୍ତା। ରାଜ୍ୟର ବିଚ୍ଛିନ୍ନାଞ୍ଚଳଗୁଡ଼ିକୁ ପୁନଃ ମିଶ୍ରଣ ପାଇଁ ଆନ୍ଦୋଳନ ନ କରି ଖାଲି ଯାହା ବଞ୍ଚତ୍ଛି ତାକୁ ଖଣ୍ଡ ଖଣ୍ଡ କରିବା ପାଇଁ ଷଡ଼ଯନ୍ତ୍ର କରିବାରେ ଆମ ନେତାଗିରି ସୀମିତ ରଖିବା ଦୁର୍ଭାଗ୍ୟପୂର୍ଣ୍ଣ। ବିଭାଜନ ଯଦି ବିକାଶ ଆଣେ ତେବେ ପାକିସ୍ତାନ, ବାଂଲାଦେଶ ବିକଶିତ ରାଷ୍ଟ୍ର ହୋଇ ପାରିଥା’ନ୍ତେ। କ୍ଷେତ୍ରବାଦ୍‌ ସଂକୀର୍ଣ୍ଣତା ବିକାଶର ପରିପନ୍ଥୀ। ରାଜନୈତିକ ଷଡ଼ଯନ୍ତ୍ରର ଶିକାର ନ ହୋଇ ଏବଂ ହୀନମନ୍ୟତା ପରିତ୍ୟାଗ କରି ଆସନ୍ତୁ ସମସ୍ତେ ଏକ୍‌ ହୋଇ ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢ଼ିତୋଳିବାକୁ ପ୍ରତିଜ୍ଞାବଦ୍ଧ ହେବା।
ମୋ: ୯୩୪୩୯୩୫୩୪୧


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri