Categories: ଖେଳ

କ୍ରିକେଟ୍‌ ଅଷ୍ଟ୍ରେଲିଆ ସିଇଓ ଦୌଡ଼ରେ ଷ୍ଟ୍ରସ୍‌

ମେଲବୋର୍ନ, ୧୮।୬- କରୋନା ମହାମାରୀ ଲାଗି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦ ଲାଗି ଇଂଲଣ୍ଡର ପ୍ରାକ୍ତନ ଅଧିନାୟକ ଆଣ୍ଡ୍ରିଉ ଷ୍ଟ୍ରସ୍‌ ଦୌଡ଼ରେ ରହିଛନ୍ତି। ନିକଟରେ କେଭିନ୍‌ ରବଟର୍‌ସ ସିଏର ସିଇଓ ପଦରୁ ଇସ୍ତଫା ଦେବାପରେ ଏହା ଖାଲି ପଡ଼ିଥିଲା। କରୋନା ମହାମାରୀ ବ୍ୟାପିବା ପରଠାରୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଆର୍ଥିକ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛି। ଏହି ସମସ୍ୟାରୁ ବର୍ତ୍ତିବା ଲାଗି ରବଟର୍‌ସ ଏପ୍ରିଲରେ ସିଏର ୮୦ ପ୍ରତିଶତ କର୍ମଚାରୀଙ୍କ ପାଉଣା କମ୍‌ କରିଦେଇଥିଲେ। ସେହିଭଳି ସିଏ ବୁଧବାର ବ୍ୟାଟିଂ କୋଚ୍‌ ଗ୍ରେମ୍‌ ହିକ୍‌ଙ୍କୁ ମିଶାଇ ଏହାର ୪୦ ଜଣ କର୍ମଚାରୀଙ୍କୁ ଛଟେଇ କରିଦେଇଛି। ତେବେ କିଛି ନିଷ୍ପତ୍ତି ଲାଗି ରବଟର୍‌ସଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ସ୍ଥାନୀୟ ପ୍ରମୁଖ ଗଣମାଧ୍ୟମ ‘ଦି ଅଷ୍ଟ୍ରେଲିଆନ’ ରିପୋର୍ଟ ଅନୁଯାୟୀ, କ୍ରିକେଟ୍‌ ଅଷ୍ଟ୍ରେଲିଆର ଜଣେ ପ୍ରଭାବଶାଳୀ ବ୍ୟକ୍ତି ସିଇଓ ପଦ ପାଇଁ ଷ୍ଟ୍ରସ୍‌ଙ୍କୁ ଆବେଦନ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି। ଷ୍ଟ୍ରସ୍‌ ଏଥିପୂର୍ବରୁ ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇ ସାରିଛନ୍ତି। ୨୦୦୦୩ରୁ ୨୦୧୧ ପର୍ଯ୍ୟନ୍ତ ଷ୍ଟ୍ରସ୍‌ ଇଂଲଣ୍ଡ ଜାତୀୟ ଦଳ ପକ୍ଷରୁ ୧୦୦ ଟେଷ୍ଟ, ୧୨୭ ଦିନିକିଆ ଓ ୪ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି।

Share