Categories: ଖେଳ

କ୍ରିକେଟରୁ ସାମୟିକ ବିରତି ନେଲେ ମ୍ୟାକ୍ସଓ୍ବେଲ୍‌

ମେଲବୋର୍ନ, ୩୧।୧୦ (ପି.ଟି.)- ଅଷ୍ଟ୍ରେଲିଆ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସଓ୍ବେଲ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧ କାରଣ ଲାଗି ‘ସାମୟିକ’ ସମୟ ପାଇଁ କ୍ରିକେଟରୁ ବିରତି ନେଇଛନ୍ତି। ଫଳରେ ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଟି୨୦ ସିରିଜର ବଳକା ମ୍ୟାଚ୍‌ ଲାଗି ତାଙ୍କ ସ୍ଥାନରେ ଡି ଆର୍ସି ଶର୍ଟଙ୍କୁ ଦଳରେ ସାମିଲ କରାଯାଇଛି। କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ଏକ ବିଜ୍ଞପ୍ତିରେ ଗୁରୁବାର ଏହା କୁହାଯାଇଛି। କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ଏଥିରେ ଉଲ୍ଲେଖ କରାଯାଇଛି ଯେ, ମ୍ୟାକ୍ସଓ୍ବେଲ ତାଙ୍କ ମାନସିକ ସ୍ବାସ୍ଥ୍ୟ ସମସ୍ୟା ନେଇ ଦଳର ସପୋର୍ଟ ଷ୍ଟାଫ୍‌ ଓ ତାଙ୍କ ଘରୋଇ ଟିମ୍‌ ଭିକ୍ଟୋରିଆକୁ ଅବଗତ କରାଇଥିଲେ। ଫଳରେ କ୍ରିକେଟ୍‌ ଅଷ୍ଟ୍ରେଲିଆର ମନୋବିଜ୍ଞାନୀ ଡ. ମାଇକେଲ ଲୟଡ୍‌ ତାଙ୍କୁ ସାମୟିକ ସମୟ ଲାଗି କ୍ରିକେଟ୍‌ରୁ ବିରତି ନେବା ପାଇଁ ପରାମର୍ଶ ଦେଇଥିଲେ। ଏହି ସମୟ ମଧ୍ୟରେ ମ୍ୟାକ୍ସଓ୍ବେଲ ତାଙ୍କ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଦୂର କରିବାକୁ ଚେଷ୍ଟା କରିବେ ବୋଲି ଜଣାପଡ଼ିଛି।
ଶ୍ରୀଲଙ୍କା ବିପକ୍ଷରେ ରବିବାର ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ମ୍ୟାକ୍ସଓ୍ବେଲ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୮ ବଲରୁ ୬୨ ରନର ଦ୍ରୁତ ଇନିଂସ ଖେଳିଥିଲେ। ଏହା ମଧ୍ୟରେ ୭ ଚୌକା ଓ ୩ ଛକା ସାମିଲ ରହିଥିଲା। ଡେଭିଡ୍‌ ଓ୍ବାର୍ନର ମଧ୍ୟ ଏହି ମ୍ୟାଚ୍‌ରେ ଶତକୀୟ ଇନିଂସ ଖେଳି ଅଷ୍ଟ୍ରେଲିଆକୁ ୧୩୪ ରନରେ ବିଜୟୀ କରାଇଥିଲେ। ଏହାପରେ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦କୁ ମଧ୍ୟ ୯ ଉଇକେଟ୍‌ରେ ଜିତି ଅଷ୍ଟ୍ରେଲିଆ ୨-୦ରେ ଆଗୁଆ ସିରିଜ କବ୍‌ଜା କରିନେଇଛି। ସିରିଜର ଅନ୍ତିମ ତଥା ୩ୟ ମ୍ୟାଚ୍‌ ଶୁକ୍ରବାର ମେଲବୋର୍ନରେ ଖେଳାଯିବ।

Share