Categories: ଖେଳ

କ୍ରସ୍‌ କଣ୍ଟ୍ରି ଚାମ୍ପିୟନ ଫିସିହା ୪ ବର୍ଷ ବାସନ୍ଦ

ଷ୍ଟକ୍‌ହୋମ୍‌, ୧୫ା୫ (ଏଏଫ୍‌ପି)-ୟୁରୋପିଆନ କ୍ରସ୍‌ କଣ୍ଟ୍ରିି ଚାମ୍ପିୟନ ସ୍ବିଡେନ୍‌ର ରୋବେଲ ଫିସିହା ୪ବର୍ଷ ବାସନ୍ଦ ହୋଇଛନ୍ତି ବୋଲି ସ୍ବିଡିଶ ଆଣ୍ଟି ଡୋପିଂ ଅଥରିଟି ଗୁରୁବାର ସୂଚନା ଦେଇଛି। ଫିସିହାଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପଲରେ ନିଷିଦ୍ଧ କୃତ୍ରିମ ଟେଷ୍ଟୋଷ୍ଟେରନ ଦ୍ରବ୍ୟ ଠାବ କରାଯାଇଥିଲା। ଏଥିପାଇଁ ତାଙ୍କୁ ୨୦୨୦ ଫେବୃୟାରୀ ୫ରୁ ୨୦୨୪ ଫେବୃୟାରୀ ୪ ପର୍ଯ୍ୟନ୍ତ ବାସନ୍ଦ କରାଯାଇଥିବା ସ୍ବିଡିଶ ଆଣ୍ଟି ଡୋପିଂ ବୋର୍ଡର ସଭାପତି ଆକେ ଥିମ୍‌ଫୋର୍ସ ପ୍ରକାଶ କରିଛନ୍ତି। ଇରିଟ୍ରିଆନ୍‌ ବଂଶୋଦ୍ଭବ ୨୪ ବର୍ଷୀୟ ଫିସିହା ଚାହିଁଲେ ଜୁନ୍‌ ୧ ମଧ୍ୟରେ ବାସନ୍ଦ ବିରୋଧରେ ଅପିଲ କରିପାରିବେ। ୨୦୧୩ରେ ଜଣେ ଶରଣାର୍ଥୀ ଭାବେ ସ୍ବିଡେନରେ ଆଶ୍ରୟ ନେଇଥିବା ଫିସିହା ୨୦୧୮ ଶେଷ ଭାଗରେ ଜଣେ ଅନ୍ତର୍ଜାତୀୟ ଧାବିକା ଭାବେ ତାଙ୍କ ପୋଷ୍ୟ ଦେଶରୁ ପ୍ରତିନିଧିତ୍ୱ କରିଥିଲେ। ଏହାର ବର୍ଷକ ପରେ ଅର୍ଥାତ ୨୦୧୯ ଗତ ଡିସେମ୍ବରରେ ଲିସ୍‌ବନଠାରେ ସେ ୟୁରୋପିଆନ ଚାମ୍ପିୟନ ହୋଇଥିଲେ। ୟୁରୋପିଆନ ସଫଳତାର ଦୁଇ ସପ୍ତାହ ପୂର୍ବରୁ ୨୦୧୯ ନଭେମ୍ବର ୨୫ରେ ଇଥିଓପିଆରେ ଏକ ଟ୍ରେନିଂ କ୍ୟାମ୍ପରେ ତାଙ୍କର ଡୋପ୍‌ ସାମ୍ପଲ ସଂଗ୍ରହ କରାଯାଇଥିଲା। ଫିସିହା କହିଛନ୍ତି, ସେ ଏକ କଫ ଔଷଧ ସେବନ କରିଥିଲେ। ଏଥିପାଇଁ ତାଙ୍କ ବାସନ୍ଦ କରାଯାଇଥିବା ଶୁଣି ସେ ମର୍ମାହତ।

Share