Categories: ଖେଳ

କ୍ରମାଗତ ପରାଜୟ ଧାରା ଭାଙ୍ଗିଲା ଶ୍ରୀଲଙ୍କା

ଲଣ୍ଡନ,୨୨।୫(ଏଏଫ୍‌ପି)- କ୍ରମାଗତ ୮ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ହାରିବା ପରେ ଶ୍ରୀଲଙ୍କା ବିଶ୍ୱକପ୍‌ ପୂର୍ବରୁ ପ୍ରଥମ ବିଜୟ ସ୍ବାଦ ଚାଖିଛି। ଏଡିନ୍‌ବର୍ଗଠାରେ ସ୍କଟଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌କୁ ଶ୍ରୀଲଙ୍କା ଦଳ ୩୫ ରନ୍‌ରେ ଜିତି ନେଇଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବର୍ଷା କାରଣରୁ ସମ୍ଭବ ହୋଇପାରି ନ ଥିଲା। ଫଳରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିିଜ୍‌କୁ ଶ୍ରୀଲଙ୍କା ୧-୦ ବ୍ୟବଧାନରେ ଜିତିନେଇଛି।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିିଥିବା ଶ୍ରୀଲଙ୍କା ଦଳ ଧାର୍ଯ୍ୟ ୫୦ ଓଭରରେ ୮ ଉଇକେଟ ହରାଇ ୩୨୨ ରନ୍‌ କରିଥିଲା। ଦଳର ନୂଆ ଅଧିନାୟକ ଦିମୁଥ କରୁଣାରତ୍ନେ ସର୍ବାଧିକ ୭୭ ରନ୍‌ କରିଥିଲେ। ଏହା ତାଙ୍କ କ୍ୟାରିୟରର ଦ୍ୱିତୀୟ ଅର୍ଦ୍ଧଶତକ। ତାଙ୍କ ବ୍ୟତୀତ ଅଭିଶକା ଫର୍ନାଣ୍ଡୋ ୭୪, କୁସାଲ ମେଣ୍ଡିସ ଓ ଲାହିରୁ ଥିରିମାନେ ୪୪ ରନ୍‌ କରିଥିଲେ। ବୋଲିଂ ସ୍କଟଲାଣ୍ଡ ଲାଗି ବ୍ରାଡଲି ଓ୍ବେଲା ୩ ଓ ସାଫ୍ୟାନ ଶାରିଫ ୨ ଉଇକେଟ ନେଇଥିଲେ। ବର୍ଷା କାରଣରୁ ସ୍କଟଲାଣ୍ଡ ଆଗରେ ୩୪ ଓଭରରେ ୨୩୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ନୂଆନ ପ୍ରଦୀପଙ୍କ ଘାତକ ବୋଲିଂ ଯୋଗୁ ସ୍କଟଲାଣ୍ଡ ୧୯୯ ରନ୍‌ରେ ସୀମିତ ରହିଥିଲା। ଘରୋଇ ଦଳ ପାଇଁ ମାଥ୍ୟୁ କ୍ରସ ୫୫ ଓ ଜର୍ଜ ମୁନ୍‌ସେ ୬୧ ରନ୍‌ କରିଥିବାବେଳେ ବିଜୟୀ ଦଳ ପକ୍ଷରୁ ପ୍ରଦୀପ ୪ ଉଇକେଟ ନେଇଥିଲେ।

Share