Categories: ଖେଳ

କୋଭିଡ-୧୯: ଲଣ୍ଡନ ଡାଇମଣ୍ଡ ଲିଗ୍‌ ମିଟିଂ ବାତିଲ

ଲଣ୍ଡନ,୧୨।୫ (ଏଏଫ୍‌ପି): କୋଭିଡ-୧୯ ମହାମାରୀ କାରଣରୁ ଆଉ ଏକ ବଡ଼ ଆଥଲେଟିକ୍‌ ଇଭେଣ୍ଟ ବାତିଲ ହୋଇଛି। ଜୁଲାଇ ପ୍ରାରମ୍ଭରେ ଲଣ୍ଡନରେ ଆୟୋଜନ ହେବାକୁ ଥିବା ଡାଇମଣ୍ଡ ଲିଗ୍‌ ମିଟିଂକୁ ବାତିଲ କରାଯାଇଛି ବୋଲି ବ୍ରିଟିଶ ଆଥଲେଟିକ୍ସ କହିଛି। ଏହି ମେଗା ଇଭେଣ୍ଟ ଲଣ୍ଡନ୍‌ ଷ୍ଟାଡିୟମରେ ଜୁଲାଇ ୪ ଓ ୫ ତାରିଖରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। କରୋନା ଭାଇରସ ଜନିତ ବିଶ୍ୱରେ ଦେଖା ଦେଇଥିବା ସ୍ବାସ୍ଥ୍ୟ ସଙ୍କଟ କାରଣରୁ ଏହି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟକୁ ବାତିଲ କରିବାକୁ ହେଲା ବୋଲି ୟୁକେ ଆଥଲେଟିକ୍ସ ମୁଖ୍ୟ ଜୋଆନା କୋଟ୍ସ କହିଛନ୍ତି। ଏହି ଖରାପ୍‌ ସମୟରେ ଆମେ ପୂରା ଆଥଲେଟିକ୍ସ ପରିବାରର ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ପ୍ରାଥମିକତା ଦେଉଛୁ ବୋଲି ସେ କହିଛନ୍ତି।

ଏହି ମହାମାରୀ କାରଣରୁ ପୂରା ଡାଇମଣ୍ଡ ଲିଗ୍‌ ସେସନ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ଏପ୍ରିଲ ୧୭ରୁ ଦୋହାରେ ଡାଇମଣ୍ଡ ଲିଗ୍‌ ସେସନ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ଏହାର ପ୍ରଥମ ୬ଟି ଇଭେଣ୍ଟକୁ ବାତିଲ କରାଯାଇଛି। ଜୁନ୍‌ ୧୧ରେ ଓସ୍‌ଲୋରେ ପ୍ରଥମ ମିଟିଂ ଆୟୋଜନ ହେବାର ଥିଲା। ସେହିପରି ପ୍ୟାରିସ୍‌ ଓ ଲସେନ୍‌ର ଇଭେଣ୍ଟକୁ ମଧ୍ୟ ବାତିଲ କରାଯାଇଛି।

Share