Categories: ଖେଳ

କୋଭିଡ-୧୯ ମହାମାରୀ: ବାତିଲ ହେଲା ଦିଲ୍ଲୀ ଶୁଟିଂ ବିଶ୍ୱକପ୍‌

ନୂଆଦିଲ୍ଲୀ,୭।୪(ପି.ଟି.)- କୋଭିଡ-୧୯ ଦେଶ ତଥା ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବାରୁ ଏହାର ପ୍ରଭାବ କ୍ରୀଡ଼ାରେ ପଡିଛି। ଏହି ମହାମାରୀ କାରଣରୁ ଦିଲ୍ଲୀରେ ଆସନ୍ତା ମେ’ରେ ଆୟୋଜନ ହେବାକୁ ଥିବା ଶୁଟିଂ ବିଶ୍ୱକପ୍‌କୁ ମଧ୍ୟ ବାତିଲ କ ରାଯାଇଛି। ଏହି ଶୁଟିଂ ବିଶ୍ୱକପ୍‌ ପ୍ରଥମେ ମାର୍ଚ୍ଚ ୧୫ରୁ ୨୦ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିଲା। ଟୁର୍ନାମେଣ୍ଟ ଆରମ୍ଭ ହେବାର ଠିକ୍‌ ୪ ଦିନ ପୂର୍ବରୁ ଏହା ମେଗା ଇଭେଣ୍ଟକୁ ମେ’ ମାସକୁ ଘୁଞ୍ଚାଇ ଦିଆଯାଇଥିଲା। କୋଭିଡ-୧୯ ମହାମାରୀ କାରଣରୁ ନୂଆଦିଲ୍ଲୀ ଆୟୋଜକ କମିଟି ଏହି ରାଇଫଲ/ ପିସ୍ତଲ ଓ ଶଟ୍‌ଗନ ବିଶ୍ୱକପ୍‌କୁ ବାତିଲ କରିବାକୁ ବାଧ୍ୟ ହୋଇଛି ବୋଲି ବିଶ୍ୱ ଶୁଟିଂର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଅନ୍ତର୍ଜାତୀୟ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) କହିଛି।
ଗତ ମାସ ଇଭେଣ୍ଟକୁ ସ୍ଥଗିତ ରଖିବା ପରେ ବିଶ୍ୱକପ୍‌କୁ ଦୁଇଟି ଭାଗରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଇଫଲ ଓ ପିସ୍ତଲ ପ୍ରତିଯୋଗିତାକୁ ମେ ୫ରୁ ୧୩, ଶଟ୍‌ଗନ୍‌ ପ୍ରତିଯୋଗିତାକୁ ଜୁନ୍‌ ୨ରୁ ୯ ତାରିଖ ମଧ୍ୟ ଆୟୋଜନ କରିବାକୁ ସ୍ଥିର ହୋଇଥିଲା। ପରେ ଶଟ୍‌ଗନ୍‌ ପ୍ରତିଯୋଗିତାକୁ ମେ ୨୦ରୁ ୨୯ ତାରିଖ ମଧ୍ୟରେ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶେଷରେ ଆଇଏସ୍‌ଏସ୍‌ଏଫ୍‌ ଓ ଜାତୀୟ ରାଇଫଲ ଆସୋସିଏଶନ (ଏନ୍‌ଆରଏଆଇ) ଟୁର୍ନାମେଣ୍ଟ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ମଧ୍ୟ ଟୁର୍ନମେଣ୍ଟ ଆୟୋଜନ ନ କରିବାକୁ ଏନ୍‌ଆଇଏଆଇ ଉପରେ ଚାପ ପଡୁଥିଲା। କେବଳ ସେତିକି ନୁହଁ ଆଇଏସ୍‌ଏସ୍‌ଏଫ୍‌ ଆଜରବୈଜାନର ବାକୁରେ ଜୁନ୍‌ ୨ରୁ ଜୁଲାଇ ୩ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ବିଶ୍ୱକପ୍‌କୁ ମଧ୍ୟ ବାତିଲ କରିଛି।
ଆମ ଆଥଲେଟ, ଅଫିସିଆଲ, ଷ୍ଟାଫ୍‌ ଓ ଶୁଟିଂ ପରିବାରର ସଦସ୍ୟଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଆମେ ଅଧିକ ଗୁରୁତ୍ୱ ଦେଉଛୁ ବୋଲି ଏନ୍‌ଆରଏଆଇ ତରଫରୁ କୁହାଯାଇଛି। ଜୁନ୍‌ରେ ଆୟୋଜନ ହେବାକୁ ଥିବା ମ୍ୟୁନିକ୍‌ ବିଶ୍ୱକପ୍‌କୁ ବାତିଲ କରିବାର କିଛି ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ୩ଥର ଅଲିମ୍ପିକ୍‌ ପଦକ ଜିତିଥିବା ତାରକା ଶୁଟର ରାଜମୋଣ୍ଡ ଡେଭେବେକ୍‌ ନୂଆଦିଲ୍ଲୀ ବିଶ୍ୱକପ୍‌କୁ ବାତିଲ କରିବାକୁ ଅପିଲ କରିଥିଲେ। ଡେବେଭେକ୍‌ ୨୦୦୦ ସିଡନୀ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେ ମଧ୍ୟ ୫ଥର ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି।

Share