କୋଭିଡ-୧୯ ପାଣ୍ଠିକୁ ୩ ମାସର ଦରମା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଏକ ସ୍ବତନ୍ତ୍ର ସହାୟତାର ଆବଶ୍ୟକତା ରହିଛି। କରୋନା(କୋଭିଡ-୧୯) ବର୍ତ୍ତମାନ ସାରା ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି। ଏହାର ମୁକାବିଲା କରିବା ପାଇଁ ଏଭଳି ପରିସ୍ଥିତିରେ ବ୍ୟାପକ ଜନସଚେତନତା ତିଆରି ଲାଗି ବ୍ୟାପକ ଅର୍ଥର ଆବଶ୍ୟକତା ପଡୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହାସହ ସେ ନିଜର ୩ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି(ସିଏମ୍‌ଆରଏଫ)କୁ ଦାନ କରିଛନ୍ତି। ଏହି ପାଣ୍ଠିକୁ ସେ କୋଭିଡ-୧୯ ପାଣ୍ଠି ବୋଲି ସମ୍ବୋଧନ କରିଛନ୍ତି। ଅନ୍ୟ ସମସ୍ତଙ୍କୁ ମଧ୍ୟ ଏଭଳି ସମୟରେ କରୋନା ପୀଡ଼ିତାଙ୍କ ଲାଗି ମୁଖ୍ୟମନ୍ତ୍ରୀ ଦାନ କରିବାକୁ ଅନୁରୋଧ କରିଛନ୍ତି। କରୋନା ସ୍ଥିତିକୁ ଦେଖିବାପରେ ରାଜ୍ୟବ୍ୟାପୀ ସମସ୍ତେ ବର୍ତ୍ତମାନ ଭୟଭୀତ ହୋଇପଡିଲେଣି। ବିଶ୍ୱାସ ବାହାରେ ସବୁକିଛି ବନ୍ଦ ହେବା ଆରମ୍ଭ ହେଲାଣି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନୁରୋଧ ସମସ୍ତଙ୍କୁ ସଚେତନ କରାଇଛି। ଅପରପକ୍ଷରେ ବିଜେଡି ରାଜ୍ୟ ସଭା ସଦସ୍ୟ ଏବଂ ଲୋକ ସଭା ଏମ୍‌ପି, ବିଧାୟକମାନେ ସେମାନଙ୍କର ୩ ମାସର ଦରମା ଆସନ୍ତା ମାର୍ଚ୍ଚ ୨୯ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରି ଏହି ଜରୁରୀ ପରିସ୍ଥିତିରେ ଉଦାହରଣ ସୃଷ୍ଟି କରିବାକୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ତଥା ବିଜେଡି ନେତା ସଞ୍ଜୟ ଦାସବର୍ମା ଅନୁରୋଧ କରିଛନ୍ତି।