Categories: ଖେଳ

କୋଭିଡ୍‌-୧୯ ପ୍ରଭାବିତ ଦଳକୁ ଆର୍ଥିକ ସହାୟତା ଦେବ ଇଂଲିଶ ଫୁଟବଲ ଲିଗ୍‌

ଲଣ୍ଡନ, ୨୦।୩(ଏପି)- କୋଭିଡ-୧୯ ଦ୍ୱାରା ପ୍ରଭାବିତ କ୍ଲବଗୁଡ଼ିକ ପାଇଁ ଇଂଲିଶ ଫୁଟବଲ ଲିଗ୍‌ ୫୦ ନିୟୁତ ପାଉଣ୍ଡ୍ସର ଆର୍ଥିକ ସହାୟତା ଘୋଷଣା କରିଛି। ଏହା ଭାରତୀୟ ମୁଦ୍ରାରେ ୪୩୫.୭୭ କୋଟି ଟଙ୍କା। କରୋନା ଭାଇରସର ପ୍ରକୋପ ଯୋଗୁ ଇଂଲଣ୍ଡ ଫୁଟବଲ ସାଙ୍ଘାତିକ ଭାବେ ପ୍ରଭାବିତ ହୋଇଛି। ପ୍ରାଥମିକ ଯୋଜନା ମୁତାବକ ଲିଗ୍‌ ଏପ୍ରିଲ ପ୍ରଥମ ସପ୍ତାହରୁ ଆରମ୍ଭ ହେବାର ଅଛି। କିନ୍ତୁ ସମ୍ଭାବନା ଖୁବ୍‌ କମ୍‌। ଖେଳ ନ ହେବାରୁ କ୍ଲବଗୁଡ଼ିକ ଯେଉଁ କ୍ଷତି ସହିବେ, ତାକୁ ଭରଣା କରିବାକୁ ଆଗେଇ ଆସିଛି ଇଏଫ୍‌ଏଲ। କୌଣସି ସମାଧାନ ନ ଥିବାରୁ ୫୦ ନିୟୁତ ପାଉଣ୍ଡର ଶର୍ଟ ଟର୍ମ ରିଲିଫ ପ୍ୟାକେଜ ଘୋଷଣା କରାଯାଇଛି ବୋଲି ବୋର୍ଡ ମିଟିଂ ପରେ ଇଏଫ୍‌ଏଲ ପକ୍ଷରୁ ଏକ ବିବୃତିରେ ଘୋଷଣା କରାଯାଇଛି। କ୍ଲବଗୁଡ଼ିକର ଆୟର ବଡ଼ ଅଂଶ ମ୍ୟାଚ୍‌ ରାଜସ୍ବ ଉପରେ ନିର୍ଭର କରେ। ସ୍କଟ୍‌ଲାଣ୍ଡରେ ଶୀର୍ଷ ସ୍ତରୀୟ କ୍ଲବ ହଟର୍‌ସ ତା’ର ଖେଳାଳି ଓ ଷ୍ଟାଫଙ୍କୁ କରୋନା ଭାଇରସ ଯୋଗୁ ପ୍ରଭାବିତ ସମୟରେ ୫୦ ପ୍ରତିଶତ ଦରମା ନେବାକୁ କହିଛି। ହାଟର୍‌ସ କ୍ଲବ ମାଲିକ ଆନ୍‌ ବଜ୍‌ କହିଛନ୍ତି, ଦଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅତିରିକ୍ତ ଅର୍ଥକୁ କାଟ୍‌ କରାଯାଉଛି। ଯେଉଁମାନେ କ୍ଲବର ନୂଆ ଚୁକ୍ତିରେ ରାଜି କିମ୍ବା ଇଚ୍ଛୁକ ନୁହନ୍ତି, ସେମାନଙ୍କୁ ଚୁକ୍ତିଭଙ୍ଗ କରିବାକୁ ବିକଳ୍ପ ଦିଆଯିବ। ସ୍କଟିଶ୍‌ ପେସାଦାର ଫୁଟବଲ ଲିଗ୍‌ ମଧ୍ୟ ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

Share