Categories: ଖେଳ

କୋପା ଆମେରିକା: ସେମିରେ ବ୍ରାଜିଲ

ପୋର୍ଟୋ ଆଲେଗ୍ରେ,୨୮।୬(ଏଏଫ୍‌ପି)- ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ବ୍ରାଜିଲ ଦଳ ଶୁଟ୍‌ଆଉଟ୍‌ ଜରିଆରେ ପାରାଗୁଏକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଏଥିପୂର୍ବରୁ ୨୦୧୧ ଓ ୨୦୧୫ ସଂସ୍କରଣରେ ପାରାଗୁଏ କ୍ୱାର୍ଟର ଫାଇନାଲରେ ଶୁଟ୍‌ଆଉଟ ଜରିଆରେ ବ୍ରାଜିଲକୁ ହରାଇ ବିଦା କରିଥିଲା। ଧାର୍ଯ୍ୟ ସମୟ ପର୍ଯ୍ୟନ୍ତ ମ୍ୟାଚ୍‌ଟି ଗୋଲ ଶୂନ୍ୟ ହୋଇରହିଥିଲା। ଏହାପରେ ଶୁଟ୍‌ଆଉଟ୍‌ରେ ବ୍ରାଜିଲ ୪-୩ ବ୍ୟବଧାନରେ ମ୍ୟାଚ୍‌ ଜିତିନେଇଥିଲା। ପାରାଗୁଏର ଗୁସ୍ତାଭୋ ଗୋମେଜଙ୍କ ଉଦ୍ୟମକୁ ବ୍ରାଜିଲ ଗୋଲକିପର ଆଲିସନ ବେକାର କରି ଦେଇଥିଲେ। ତାଙ୍କ ପରେ ଗତ ମ୍ୟାଚ୍‌ରେ ପେନାଲ୍ଟି ହାତଛଡ଼ା କରିଥିବା ଗାବ୍ରିଏଲ ଜିସସଙ୍କ ବ୍ରାଜିଲ ଲାଗି ବିଜୟ ସୂଚକ ଗୋଲ ଦେଇଥିଲେ। ବ୍ରାଜିଲ ପରବର୍ତ୍ତୀ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ଆର୍ଜେଣ୍ଟିନା ଓ ଭେନେଜୁଏଲା ମଧ୍ୟରେ ହେବାକୁ ଥିବା କ୍ୱାର୍ଟର ଫାଇନାଲର ବିଜେତାକୁ ଭେଟିବ।

Share