Categories: ଖେଳ

କୋପା ଆମେରିକା ସେମିରେ ବ୍ରାଜିଲ;ଫେଲ୍‌ ମାରିଲେ ମେସି

ବେଲୋ ହରିଜୋଣ୍ଟେ,୩।୭(ଏଏଫ୍‌ପି)- ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ଟାଇଟଲ ମୁକାବିଲାରେ ବ୍ରାଜିଲ ପ୍ରବେଶ କରିଛି। ଗାବ୍ରିଏଲ ଜିସସ ଓ ରବର୍ଟ ଫିର୍ମିନୋଙ୍କ ଗୋଟିଏ ଲେଖାଏ ଗୋଲ ବଳରେ ଆୟୋଜକ ଦଳ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ଆର୍ଜେଣ୍ଟିନାକୁ ୨-୦ ଗୋଲରେ ହରାଇ ଦେଇଛି। ଚିଲି ଓ ପେରୁ ମଧ୍ୟରେ ଖେଳାଯିବାକୁ ଥିବା ସେମିଫାଇନାଲର ବିଜେତାକୁ ବ୍ରାଜିଲ ଫାଇନାଲରେ ଭେଟିବ। ବିଶ୍ୱର ଲୋକପ୍ରିୟ ଫୁଟ୍‌ବଲ ଖେଳାଳି ଲିଓନେଲ ମେସି କୋପା ଆମେରିକା ଟୁର୍ନାମେଣ୍ଟରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ପ୍ରଥମାର୍ଦ୍ଧରେ ମେସି ସ୍କୋର ଦେବାର ନିକଟତର ହୋଇଥିଲେ। କିନ୍ତୁ ତାଙ୍କ ଶଟ୍‌ ଗୋଲ ବାରରେ ବାଜିଥିଲା। ତାଙ୍କ ସାଥୀ ଫରଓ୍ବାର୍ଡ ସେର୍ଗିଓ ଅଗୁରୋଙ୍କୁ ମଧ୍ୟ ସମାନ ଅବସ୍ଥା ଭୋଗ କରିବାକୁ ପଡ଼ିଥିଲା। ୨୦୦୭ ପରେ ପ୍ରଥମ ଥର ପାଇଁ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଦଳ କୌଣସି ବଡ଼ ଟୁର୍ନାମେଣ୍ଟରେ ପରସ୍ପରକୁ ଭେଟିଥିଲେ। ଗତ ଥର ୨୦୦୭ କୋପା ଆମେରିକା ଫାଇନାଲରେ ବ୍ରାଜିଲ ୩-୦ ଗୋଲରେ ଆର୍ଜେଣ୍ଟିନାକୁ ମାତ୍‌ ଦେଇଥିଲା।

Share