Categories: ଖେଳ

କୋପା ଆମେରିକା: କ୍ୱାର୍ଟରରେ ଚିଲି

ସାଲ୍‌ଭାଡର (ବ୍ରାଜିଲ),୨୨।୬(ଏଏଫ୍‌ପି): ଆଲେକ୍ସିସ ସାଞ୍ଚେଜଙ୍କ ଗୋଲ ବଳରେ ଚିଲି ୨-୧ ଗୋଲରେ ଇକ୍ୱେଡରକୁ ହରାଇ ଦେଇଛି। ବିଜୟ ସହ ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ପୂର୍ବତନ ଚାମ୍ପିୟନ ଚିଲି ପାଇଁ ମ୍ୟାଚ୍‌ର ୮ମ ମିନିଟ୍‌ରେ ଜୋସ ଫୁଏଞ୍ଜାଲିଡା ପ୍ରଥମ ଗୋଲ ଦେଇଥିଲେ। ହେଲେ ଇନ୍ନର ଭାଲେନସିଆଙ୍କ ଗୋଲ ଯୋଗୁ ଇକ୍ୱେଡର ମ୍ୟାଚ୍‌କୁ ବରାବର କରିଥିଲେ। ଏହାପରେ ୩୦ ବର୍ଷୀୟ ସାଞ୍ଚେଜ ୫୧ତମ ମିନିଟ୍‌ରେ ଗୋଲ ସ୍କୋର କରି ଦଳକୁ ୨-୧ ବ୍ୟବଧାନର ଅଗ୍ରଣୀ ଆଣି ଦେଇଥିଲେ। ଏଥିଯୋଗୁ କଲମ୍ବିଆ ଭଳି ଚିଲି ମାତ୍ର ଦୁଇଟି ମ୍ୟାଚ୍‌ ଖେଳି ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗ୍ରୁପ୍‌ ସି’ରେ ଥିବା ଚିଲି ଦଳ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଉରୁଗୁଏକୁ ଭେଟିବ। ଅନ୍ୟପକ୍ଷରେ ଇକ୍ୱେଡରକୁ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିବାକୁ ହେଲେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଜାପାନକୁ ନିଶ୍ଚିତ ହରାଇବାକୁ ପଡ଼ିବ।

Share