କୋଠଭୋଗ ଖିଆ…

ରଞ୍ଜନ କୁମାର ଦାସ

ଜଗତର ନାଥ ଜଗନ୍ନାଥଙ୍କ ଲୀଳା ଅପ୍ରମେୟ। ତାଙ୍କଠାରେ ଯେତିକି ଦେବତ୍ୱ ଆରୋପିତ ତହୁଁ ବଳି ମାନବତ୍ୱ ପ୍ରତୀତ। ତାଙ୍କର ନିତ୍ୟଲୀଳାକୁ ଅବଗାହନ କଲେ ଦେଖାଯାଏ ସେ ଯେତିକି ଈଶ୍ବର ସେତିକି ମଣିଷ। ଯେତିକି ରାଜକୀୟ ସେତିକି ପ୍ରଜାପାଳକ, ଯେତିକି ଯୋଗୀ ସେତିକି ଭୋଗୀ। ଏ କ୍ଷେତ୍ରରେ ବିରାଜିତ ହୋଇ ସେ ଉତ୍କଳ ଭୂଖଣ୍ଡକୁ ମହିମାମୟ କରିଛନ୍ତି। ସେ ଜଗତର ନାଥ। ବିଶ୍ବର ଠାକୁର ହୋଇଥିଲେ ମଧ୍ୟ ଏହା ତାଙ୍କର ଅନନ୍ୟ ଲୀଳାକ୍ଷେତ୍ର। କୁହାଯାଏ ଶ୍ରୀହରି ରାମେଶ୍ବରରେ ନିତ୍ୟ ସ୍ନାନ କରି, ଶ୍ରୀକ୍ଷେତ୍ରରେ ଆସି ଅନ୍ନପ୍ରସାଦ ଗ୍ରହଣ କରନ୍ତି। ଦ୍ବାରକାକୁ ଯାଆନ୍ତି ଶୟନ ପାଇଁ ଏବଂ ବଦ୍ରିନାଥରେ ଯାଇ ତପସ୍ୟା କରନ୍ତି। ତେଣୁ ଶ୍ରୀକ୍ଷେତ୍ର ବା ଶଙ୍ଖକ୍ଷେତ୍ର ପ୍ରଭୁଙ୍କ ଭୋଜନକ୍ଷେତ୍ର ରୂପେ ସୁଖ୍ୟାତ। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଯଯାତି କେଶରୀଙ୍କ ଅମଳରୁ ଏହା ଆରମ୍ଭ ହୋଇଥିବା କଥା ବିଶ୍ବାସ କରାଯାଏ। ପରବର୍ତ୍ତୀ ସମୟରେ ରାମଚନ୍ଦ୍ର ଦେବଙ୍କ ବେଳେ ମହାପ୍ରସାଦର ପ୍ରଚଳନ ହୋଇଥିଲା। ଦୈନନ୍ଦିନ ନୀତିରେ ତାଙ୍କର ତିନିଧୂପ ଓ ପାଞ୍ଚ ଅବକାଶ ରୀତି ପାଳିତ ହୁଏ। ତିନିଧୂପ ସହ ଆଉ ତିନିପ୍ରକାର ଭୋଗ ମଧ୍ୟ ଲାଗେ। ପ୍ରଥମେ ସକାଳ ପ୍ରାୟ ନଅଟା ବେଳକୁ ଶ୍ରୀଜୀଉଙ୍କ ସକାଳର ପ୍ରଥମ ଜଳଖିଆ ଭୋଗ ଦିଆଯାଏ, ଯାହାର ନାମ ହେଲା ଗୋପାଳବଲ୍ଲଭ ଭୋଗ। ଏଥିରେ ପାଗଖଇ, ନଡିଆ କୋରା, ପାଚିଲା କଦଳୀ, ଦହି, ଖୁଆମଣ୍ଡା, ମାଖନ, ଖୁଦ ନଡିଆ ଆଦି ପଞ୍ଚ ଉପଚାର ବିଧିରେ ପରସା ଯାଏ। ଦ୍ବିତୀୟରେ ଲାଗିହୁଏ ସକାଳଧୂପ। ସକାଳ ଦଶଟା ବେଳକୁ ପ୍ରାୟ ଏହା ଲାଗି ହୋଇଥାଏ। ଏଥିରେ ଖେଚୁଡି, କାନିକା, ଶାଗ, କାଞ୍ଜି, ଏଣ୍ଡୁରି, ମାଠପୁଳି, ପୁଳି, ଝିଲ୍ଲୀ, ପିଠାପୁଳି, ହଂସକେଳି, ଆଳୁ କଦଳୀ ଭଜା, ଅଦାପାଚେଡି, ବୁନ୍ଦିଆ ଆଦି ଲାଗେ। ଏହି ଭୋଗ ଧୂପ ଷୋଡ଼ଶ ଉପଚାର ବିଧିରେ କରାହୁଏ। ଭୋଗ ସାମଗ୍ରୀ ସବୁ ରତ୍ନସିଂହାସନ ତଳେ ମୁରୁଜ ପଡିଥିବା ସ୍ଥାନରେ ବଢାହୁଏ। ତୃତୀୟରେ ଲାଗେ ଭୋଗମଣ୍ଡପର ଅନ୍ନଭୋଗ। ଏଥିରେ ଅନ୍ନ, ଘିଅଅନ୍ନ, ଖେଚୁଡି, କାନିକା, ମିଠାଡାଲି, ଡାଲମା, ବେସର, ମହୁର, ଶାଗ, ଖଟା, ପାଚେଡି, ଆମ୍ବୁଲ ଆଦି ହୋଇଥାଏ। ଏଥିରେ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ବରାଦି ଭୋଗ ମଧ୍ୟ ହୋଇଥାଏ। ଚତୁର୍ଥରେ ହୁଏ ମଧ୍ୟାହ୍ନ ଧୂପ। ଏଥିରେ ଅନ୍ନ, ବ୍ୟଞ୍ଜନ,ପିଷ୍ଟକ ଓ ମିଷ୍ଟାନ୍ନ ଆଦି ପରସା ଯାଏ। ଯଦିଓ ଏହା ମଧ୍ୟାହ୍ନ ଧୂପ, ହଉହଉ ଏହା ଅପରାହ୍ନ ହୋଇଯାଏ। ପଞ୍ଚମ ଭୋଗ ହେଲା ସାଧୂପ। ରାତି ସାତଟାରୁ ଆଠଟା ଭିତରେ ହେବାର ବିଧି ଅଛି। ଏଥିରେ ଚୁପୁଡା ପଖାଳ, ପାଣି ପଖାଳ, ସାକର, କଅଁଳପୁଳି, ମାଠପୁଳି ଓ ଅମାଲୁ ଭୋଗ ହୁଏ। ଏହାର ସମସ୍ତ ବିଧି ସକାଳ ଧୂପ ପରି ହୋଇଥାଏ। ଦିନର ଶେଷ ଭୋଗ ହେଲା ବଡସିଂହାର ଧୂପ। ଏହାର ନିର୍ଦ୍ଧାରିତ ସମୟ ରାତି ୧୧ଟା ପରେ। ଏଥିରେ ସରପୁଳି, ସୁଆରପିଠା, ବିରିବୁହା ପିଠା, ରୋଷପାଇକ ପିଠା, କଦଳୀ ବଡା, ମିଠା ପଖାଳ, ଖିରି, କାଞ୍ଜି ଆଦି ଭୋଗ ହୁଏ। ପୂଜାପଣ୍ଡା ପଞ୍ଚ ଉପଚାରରେ ସିଂହାସନ ତଳେ ପୂଜା କରିଥାନ୍ତି।
ମାଦଳା ପାଞ୍ଜି ଅନୁସାରେ, ଏ ଭୋଗ ସବୁ ମା’ ବିମଳାଙ୍କ ପାଖରେ ଲାଗି ହୋଇ ଆସୁଥିବାରୁ ଏହାକୁ ମାପ୍ରସାଦ ବା ଧୀରେ ଧୀରେ ମହାପ୍ରସାଦ ରୂପରେ ସ୍ବୀକୃତି ମିଳିଛି। ମହାପ୍ରସାଦ ଦୁଇ ପ୍ରକାରର, ପ୍ରଥମଟି ହେଲା ଅନ୍ନପ୍ରସାଦ ବା ଶଙ୍ଖୁଡି ଭୋଗ ଏବଂ ଦ୍ବିତୀୟଟି ହେଲା ଶୁକୁଲି ଭୋଗ ବା ନିଃସଙ୍ଖୁଡି। ଏହି ଭୋଗଗୁଡିକ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଉତ୍ତରିତ ହୋଇ ତାହା ଶେଷରେ ନିର୍ମାଲ୍ୟରେ ପରିଣତ ହୁଏ। ଷଡ ସଂସ୍କାର ମାଧ୍ୟମରେ ସେ ଅନ୍ନ ପରିଣତ ହୁଏ ବ୍ରହ୍ମରେ। ସେହି ଷଡସଂସ୍କାରଗୁଡିକ ହେଲା, ମହାଲକ୍ଷ୍ମୀଙ୍କ ଦ୍ବାରା ବୈଷ୍ଣାବାଗ୍ନିରେ ଏହା ପାକ ହୁଏ। ଶ୍ରୀଯନ୍ତ୍ର ରୂପକ ଠାଆ ମୁରୁଜ ଉପରେ ରଖି ନୈବେଦ୍ୟ ସମର୍ପଣ ହୁଏ। ତତ୍‌ପରେ ଦ୍ବାବିଂଶକ୍ଷରୀ ପାତାଳ ନୃସିଂହ ମନ୍ତ୍ରରେ ଅଭିମନ୍ତ୍ରିତ ହୁଏ। ଏହା ଉତ୍ତାରେ ଭୈରବୀ ଚକ୍ରର ଉଚ୍ଛିଷ୍ଟ ଭୈରବୀ ବିମଳାଙ୍କୁ ସମର୍ପଣ କରାଯାଏ ଓ ଶେଷରେ ଅଷ୍ଟବୈଷ୍ଣବ ଯଥା ଶୁକ, ପ୍ରହଲ୍ଲାଦ, ହନୁମାନ, ନାରଦ ଓ ଇନ୍ଦ୍ର ଆଦିଙ୍କୁ ପ୍ରଦାନ କରାଯାଏ। ତାନ୍ତ୍ରିକ ବ୍ୟବସ୍ଥାନୁସାରେ ରନ୍ଧନ ବ୍ୟବସ୍ଥାରେ ନବଚକ୍ର ଯନ୍ତ୍ର ଉପରେ ଅଗ୍ନି ସଂସ୍କାର କରି ଛଅଗୋଟି ଝିଙ୍କାବିଶିଷ୍ଟ ଚୁଲି ଉପରେ ଏକାଥରକେ ନଅଗୋଟି ମାଟି ହାଣ୍ଡି ବସାଇ ରନ୍ଧନ କରାଯାଇ ଥାଏ। ମାତ୍ର ଆଶ୍ଚର୍ଯ୍ୟର ବିଷୟ ତଳହାଣ୍ଡିର ଅନ୍ନ ବ୍ୟଞ୍ଜନ ଯେତିକି ସିଦ୍ଧ ହୋଇଥାଏ, ଉପର ହାଣ୍ଡିର ଅନ୍ନ ବ୍ୟଞ୍ଜନ ମଧ୍ୟ ସେତିକି ସିଦ୍ଧ ହୋଇଥାଏ।
ମହାପ୍ରସାଦ ସମ୍ପର୍କିତ ଅନେକ କାହାଣୀ ଆମେ ଶୁଣିଥାଉ। ଅନ୍ନରୁ ନିର୍ମାଲ୍ୟ ଯାଏ ତା’ର ଯାତ୍ରା ମଧ୍ୟ ସେତିକି ଚମତ୍କାରୀ। ଯେଉଁ ଚାଉଳ ରୋଷଘର ପାଇଁ ଆସେ ତା’ର ନାମ ହେଲା ଅମୁଣିଆ। ଅମୁଣିଆ ଯେତେବେଳେ ବୈଷ୍ଣାବାଗ୍ନିରେ ମା’ ମହାଲକ୍ଷ୍ମୀଙ୍କ ଦ୍ବାରା ପାକ ହୁଏ, ତାକୁ ଅନ୍ନ କୁହାଯାଏ। ରୋଷଘରୁ ଅନ୍ନ ଭୋଗ ପାଇଁ ବାହାରକୁ ନେଲା ବେଳେ ତାକୁ ଛେକ କୁହାଯାଏ। ଛେକ ଯେତେବେଳେ ଯାଇ ଭୈରବୀଚକ୍ରରେ ରଖାଯାଏ, ତାକୁ ଭୋଗ କୁହାଯାଏ। ଭୋଗ ଯାଇ ତିନି ଠାକୁରଙ୍କୁ ଲାଗିଲେ ନୈବେଦ୍ୟ ପଦବାଚ୍ୟ ହୁଏ। ତାହା ଗୋପାଳ ମନ୍ତ୍ରରେ ଉତ୍ସର୍ଗ ହେଲେ ହୁଏ ପ୍ରସାଦ। ପ୍ରସାଦ ଯାଇ ମା’ ବିମଳାଙ୍କୁ ସମର୍ପିତ ହେଲେ ହୁଏ ମହାପ୍ରସାଦ। ମହାପ୍ରସାଦ ଯେବେ ପଞ୍ଚପରମେଶ୍ବରଙ୍କ ଦର୍ଶନ ପାଆନ୍ତି ହୁଅନ୍ତି କୈବଲ୍ୟ। କୈବଲ୍ୟ ଯେବେ ଭକ୍ତଙ୍କ ପାଇଁ ଆନନ୍ଦବଜାରକୁ ଆସେ ହୁଏ ଅବଢା। ଅବଢାକୁ ଯେତେବେଳେ ଶୁଖେଇ ରଖାଯାଏ ହୁଏ ନିର୍ମାଲ୍ୟ।
ଶ୍ରୀଜୀଉଙ୍କ ଏହିମତେ ନିତିଦିନ ଛପନ ପ୍ରକାର ଭୋଗ ଲାଗି ହୋଇଥାଏ। ତା’ ଛଡା ଅଣସର, ଜନ୍ମାଷ୍ଟମୀ, ସପ୍ତପୁରୀ ଅମାବାସ୍ୟା, କାର୍ତ୍ତିକ ମାସ, ଧନୁ ସଂକ୍ରାନ୍ତି, ମକର ସଂକ୍ରାନ୍ତି, ରାମନବମୀ, ଚନ୍ଦନ ଯାତ୍ରା ସମୟରେ ଓ ବିଭିନ୍ନ ସ୍ବତନ୍ତ୍ର ବେଶ ସମୟରେ ବିଶେଷ ଭୋଗ ମଧ୍ୟ ଲାଗି ହୋଇଥାଏ। ମାତ୍ର ଏ ସମସ୍ତ ପାକପ୍ରଣାଳୀରେ ଆଳୁ, ଟମାଟୋ, ଭେଣ୍ଡି, କୋବି, ଛୁଇଁ, ଛଚିନ୍ଦ୍ରା, କଲରା, ଲାଉ, ପିଆଜ, ରସୁଣ, ଝୁଡଙ୍ଗ, ବିନସ ଆଦି ବ୍ୟବହାର ହୁଏନାହିଁ। ସେହିପରି ଉଷୁନା ଚାଉଳ, ଶୁଖିଲା ଲଙ୍କା ଓ ତେଲ ଆଦି ବାରଣ ହୋଇଥାଏ। ମୋଟାମୋଟି ଭାବେ ସମସ୍ତ ତାମସିକ ଓ ରାଜସିକ ଖାଦ୍ୟକୁ ବାରଣ କରାଯାଇ ବୈଦିକ ମତେ କେବଳ ସାତ୍ତ୍ବିକ ଖାଦ୍ୟ ପରିବେଷଣ କରାଯାଇଥାଏ, ଯାହା ମନରେ ଧାର୍ମିକ ଓ ଆଧ୍ୟାତ୍ମିକ ଭାର ଉଦ୍ରେକ କରିପାରିବ। ଏତେ ପ୍ରକାର ବିଧିବ୍ୟବସ୍ଥା ଭିତରେ ସାତ୍ତ୍ବିକ ଓ ମାନ୍ତ୍ରିକ ପ୍ରଭାବରେ ପାକ ହେଉଥିବା ଖାଦ୍ୟ ଦେବଯୋଗ୍ୟ ହୁଏ। ତେଣୁ ସାଧାରଣ ମଣିଷ ତାହା ଗ୍ରହଣ କଲେ ତା’ ଉପରେ ଏକ ସାତ୍ତ୍ବିକ ପ୍ରଭାବ ନିଶ୍ଚୟ ସୃଷ୍ଟି ହେଉଥିବ। ଏହି ସିଦ୍ଧ ଅନ୍ନ ସାଧାରଣ ଅନ୍ନଠାରୁ ନିଶ୍ଚୟ ଭିନ୍ନ। ଭକ୍ତି ସହକାରେ ଏହାର ସେବନ କଲେ ପରମ ତୃପ୍ତି ମିଳିବା ସହ ଆଧ୍ୟାତ୍ମିକ ଉତ୍କର୍ଷ ପ୍ରଦାନ କରିଥାଏ।
ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର
ମୋ: ୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri