କେବଳ ବାହାରେ ନୁହେଁ, ଘରେ ବି ରଖନ୍ତୁ ସାମାଜିକ ଦୂରତ୍ୱ: ଉନ୍ନୟନ କମିଶନର

ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ଏବେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଆବଶ୍ୟକ। ଇତିମଧ୍ୟରେ ୬୦ ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ପରୀକ୍ଷଣ ସୁବିଧା ବୃଦ୍ଧି ପାଇଛି। ଏବେ ୧୨ଶହରୁ ୧୩ଶହ ଟେଷ୍ଟ କରାଯାଉଛି। ଆଗାମୀ ଦିନରେ ସମସ୍ତ ଜିଲାରେ ଅଧିକ ମାତ୍ରାରେ ପରୀକ୍ଷଣ କରାଯିବ। ବିଶେଷକରି ବସ୍ତିରେ ରହୁଥିବା ଲୋକ, ସ୍ବାସ୍ଥ୍ୟ କର୍ମଚାରୀ, ଗ୍ରୋସରୀ ଦୋକାନୀଙ୍କ ଭଳି ଲୋକମାନେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏହାଦ୍ୱାରା ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ସ୍ପଷ୍ଟ ହେବ। ଆଗାମୀ ଦିନରେ ଯଦି ପଜିଟିଭ୍‌ ମାମଲା ନ ବଢ଼େ ତେବେ ଏହା ନିୟନ୍ତ୍ରଣରେ ରହିଥିବେ। ଯେତେ ଶିଘ୍ର ନିରୂପଣ କରାଯିବ ସେତେ ଶିଘ୍ର ଆମେ ଏଥିରୁ ନିଜକୁ ରକ୍ଷା ପାଇପାରିବା। ଓଡ଼ିଶା ସୁବିଧାଜନକ ସ୍ଥିତିରେ ରହିଛି। ହେଲେ ଏହା ଭାବି ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିବା ଉଚିତ୍‌ ନୁହେଁ। କେବଳ ବାହାରେ ନୁହେଁ, ଘରେ ବି ସାମାଜିକ ଦୂରତ୍ୱ ରଖିବା ଉଚିତ। ବୟସ୍କ ଓ ଛୋଟ ପିଲାଙ୍କୁ ନିଜଠାରୁ ଦୂରରେ ରଖନ୍ତୁ ବୋଲି ଉନ୍ନୟନ କମିଶନର ତଥା ଅତିରକ୍ତ ଶାସନ ସଚିବ ସୁରେଶ ମହାପାତ୍ର ପରାମର୍ଶ ଦେଇଛନ୍ତି।