Categories: ଖେଳ

‘କେଦାର ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ’

ମୁମ୍ବାଇ, ୨୪।୫(ପି.ଟି.)- ଇଂଲଣ୍ଡରେ ଚଳିତମାସ ୩୦ରୁ ଆରମ୍ଭ ହେବାକୁ ଯାଉଥିବା କ୍ରିକେଟ ବିଶ୍ୱକପରେ କେଦାର ଯାଦବ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଅନୁଭବ କରୁଛନ୍ତି ପୂର୍ବତନ ଭାରତୀୟ ଉଇକେଟ କିପର ଚନ୍ଦ୍ରକାନ୍ତ ପଣ୍ଡିତ । ପଣ୍ଡିତ ୨୩ ବର୍ଷରୁ କମ୍‌ ମହାରାଷ୍ଟ୍ର ଦଳର କୋଚ୍‌ ଥିବାରୁ କେଦାରଙ୍କ ପ୍ରଦର୍ଶନ ଉପରେ ଦୀର୍ଘଦିନଧରି ନଜର ରଖିଛନ୍ତି। ”କେଦାରଙ୍କ ନିକଟରେ ପ୍ରତିଭା ଭରପୂର ହୋଇ ରହିଛି। ଗତ କିଛି ସିଜନରେ ସେ ଏହାକୁ ପ୍ରମାଣିତ ମଧ୍ୟ କରିଛନ୍ତି। ସେ ଜଣେ ଉପଯୋଗୀ ଖେଳାଳି। କେବଳ ଯେ ଭଲ ବ୍ୟାଟ୍ସମ୍ୟାନ ତା ନୁହେଁ ସାମୟିକ ବୋଲରଭାବେ ମଧ୍ୟ ବେଶ୍‌ ସଫଳତା ପାଇଛନ୍ତି। ତେଣୁ ବିରାଟ କୋହଲି ତାଙ୍କ ଅଲରାଉଣ୍ଡ ଦକ୍ଷତାକୁ ଆବଶ୍ୟକ ସମୟରେ ବ୍ୟବହାର କରିପାରିବେ“ ବୋଲି ସମ୍ପ୍ରତି ବିଦର୍ଭ ଦଳର କୋଚ୍‌ ଥିବା ପଣ୍ଡିତ ପ୍ରକାଶ କରିଛନ୍ତି।
କେଦାର ଉଚ୍ଚସ୍ତରର କ୍ରିକେଟ ଖେଳିବା ଦକ୍ଷତା ରଖିଛନ୍ତି ବୋଲି ପଣ୍ଡିତ କହିଛନ୍ତି। ”କେଦାର ଥଣ୍ଡା ମିଜାଜର ଖେଳାଳି। ମିଡଲ ଅର୍ଡରରେ ଦଳକୁ ମ୍ୟାଚ ଜିତାଇବା କ୍ଷମତା ତାଙ୍କ ନିକଟରେ ରହିଛି। ସେ ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ରେ ୫/୬ ସ୍ଥାନ ପାଇଁ ଉପଯୁକ୍ତ। କେଦାରଙ୍କ ଉପସ୍ଥିତିରେ କୋହଲିଙ୍କ ପାଇଁ ଭଲ ବିକଳ୍ପ ରହିଛି। ମୁଁ ତାଙ୍କୁ ପିଲା ଦିନରୁ ଦେଖି ଆସିଛି ଏବଂ ତାଙ୍କ ପ୍ରତିଭା ସମ୍ପର୍କରେ ଜାଣିଛି। ସେ ନିଜ ଦକ୍ଷତାର ଉପଯୁକ୍ତ ବିନିଯୋଗ କରି ଆଜି ଏଠାରେ ପହଞ୍ଚତ୍ ପାରିଛନ୍ତି“ ବୋଲି ସେ ପ୍ରକାଶ କରିଛନ୍ତି। ବିଶ୍ୱକପ ପାଇଁ ଭାରତ ଅନ୍ୟତମ ଫେଭରାଇଟ ବୋଲି ଅନୁଭବ କରୁଛନ୍ତି ଚନ୍ଦ୍ରକାନ୍ତ। ଆଇପିଏଲ ଏବଂ ଅନ୍ୟ ସିରିଜ ଖେଳିବାପରେ ଏବେ ବିଶ୍ୱକପର ଚାପ ଆସିଛି। ଟିମ୍‌ କମ୍ବିନେଶନ ଓ ଚୟନ ଦୃଷ୍ଟିରୁ ଭାରତ ଅନ୍ୟତମ ଫେଭରାଇଟ ଦଳ। ଇଂଲଣ୍ଡରେ ପହଞ୍ଚତ୍ଥିବା ଦଳ ଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ ଶ୍ରେଷ୍ଠ ଦଳ ବୋଲି ସେ କହିଛନ୍ତି।
ବୁଧବାର ଇଂଲଣ୍ଡରେ ପହଞ୍ଚତ୍ଥିବା ଭାରତୀୟ ଦଳ ଗୁରୁବାର ଓଭାଲଠାରେ ଟ୍ରେନିଂ ଆରମ୍ଭ କରିଛି। ଜୁନ ୫ରେ ସାଉଥମ୍ପଟନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ଖେଳି କୋହଲିଙ୍କ ଦଳ ଏହାର ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ଷ୍ଟମ୍ପ୍ସ ପଛରେ ଉଇକେଟ କିପର ମହେନ୍ଦ୍ର ସିଂ ଧୋନୀଙ୍କ ଉପସ୍ଥିତି ବୋଲରମାନଙ୍କୁ ନିଶ୍ଚିତ ସାହାଯ୍ୟ କରିବ। ବିଶ୍ୱକପର ଚାପ ନିଶ୍ଚିତ ରହିବ। ତେବେ ଧୋନୀଙ୍କ ଉପସ୍ଥିତି ନୂଆ ବୋଲରମାନଙ୍କୁ ଉତ୍ସାହିତ କରିବ। ସ୍ଲଗ୍‌ ଓଭର ଗୁଡ଼ିକରେ ଧୋନୀ ବିପଜ୍ଜନକ ସାବ୍ୟସ୍ତ ହେବେ ବୋଲି ପଣ୍ଡିତ ପ୍ରକାଶ କରିଛନ୍ତି।

Share