Categories: ଖେଳ

କିମ୍ବଦନ୍ତୀ ଶଟଲର ଲିଙ୍କ ଅବସର

ପୁତ୍ରାଜାୟା(ମାଲେସିଆ),୧୩।୬(ଏଏଫପି): କକର୍ଟ ଭଳି ମାରାତ୍ମକ ରୋଗରୁ ମୁକ୍ତ ହେବା ପରେ କିମ୍ବଦନ୍ତୀ ବ୍ୟାଡ୍‌ମିଣ୍ଟନ ଖେଳାଳି ଲି ଚୋଙ୍ଗ ଗୁରୁବାର ଅବସର ନେଇଛନ୍ତି। ଲୁହ ଭରା ଆଖିରେ ବିଶ୍ୱ ବ୍ୟାଡ୍‌ମିଣ୍ଟନର ଅନ୍ୟତମ ସଫଳ ଖେଳାଳିଙ୍କ କ୍ୟାରିୟରର ଅନ୍ତ ହୋଇଛି। ସେ କଦାପି ବିଶ୍ୱ ଚାମ୍ପିୟନଶିପ୍‌ କିମ୍ବା ଅଲିମ୍ପିକ୍‌ ଟାଇଟଲ ଜିତି ପାରି ନାହାନ୍ତି। ୩୪୮ ସପ୍ତାହ ଧରି ପୁରୁଷ ସିଙ୍ଗଲ୍ସ ବର୍ଗର ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ଶୀର୍ଷରେ ଥିଲେ ମଧ୍ୟ ଲି ୬ ଥର ବିଶ୍ୱ ଓ ଅଲିମ୍ପିକ୍ସ ଫାଇନାଲରେ ପରାସ୍ତ ହୋଇଥିଲେ। ସନ୍ନ୍ୟାସ ନେବାର ନିଷ୍ପତ୍ତି ମୋ ପାଇଁ ବହୁତ କଷ୍ଟକର ଥିଲା। ମୁଁ ଏହି ଖେଳକୁ ବହୁତ ଭଲ ପାଏ। କିନ୍ତୁ ଏହି ଖେଳ ବହୁତ ଦାବି କରେ, ଯାହାକୁ ମୋ ଶରୀର ଆଉ ପୂରା କରିପାରୁ ନାହିଁ। ପୂର୍ବରୁ ମଁୁ ଅଲିମ୍ପିକ୍ସ ପରେ ଅବସର ନେବା ପାଇଁ ଚିନ୍ତା କରିଥିଲି। ଶାରୀରିକ ସମସ୍ୟା ଯୋଗୁ ମୁଁ ଏହି ନିଷ୍ପତ୍ତି ନେଇଛି। ଗତ ୧୯ ବର୍ଷ ଧରି ମୋତେ ସମର୍ଥନ କରିଥିବା ସମସ୍ତ ମାଲେସିଆନଙ୍କୁ ଧନ୍ୟବାଦ ଜଣାଉଛି ବୋଲି ୩୬ ବର୍ଷୀୟ ଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଦୁଇ ସନ୍ତାନର ବାପା ଗତ ବର୍ଷଠାରୁ ନାକ କର୍କଟ ରୋଗର ଉପଚାର କରାଇଥିଲେ। ଏହାପରେ ପୁଣି ବ୍ୟାଡ୍‌ମିଣ୍ଟନକୁ ଫେରିବା ପାଇଁ ଲକ୍ଷ୍ୟ ରଖିଥିଲେ। ହେଲେ ସେ ଚଳିତବର୍ଷ ଏପ୍ରିଲଠାରୁ ଟ୍ରେନିଂ କରି ନ ଥିଲେ। ୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବା ପାଇଁ ଅଧା ଟୁର୍ନାମେଣ୍ଟ ଶେଷ ହୋଇଯାଇଥିବାରୁ ସେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୩ ଥର ଅଲିମ୍ପିକ୍‌ ରୌପ୍ୟ ପଦକ ବିଜେତା ଏବେଠାରୁ ବିଶ୍ରାମ ନେବେ ଓ ପରିବାର ସହ ସମୟ ବିତାଇବେ। ସେ କ୍ରମାଗତ ୩ ଥର ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିବାକୁ ସମର୍ଥ ହୋଇଥିଲେ ମଧ୍ୟ ମାଲେସିଆକୁ ସ୍ବର୍ଣ୍ଣ ପଦକ ଆଣି ଦେଇପାରି ନ ଥିଲେ। ଅନ୍ତିମ ଥର ୨୦୧୬ ଅଲିମ୍ପିକ୍ସରେ ଚାଇନାର ଚେନ ଲଙ୍ଗଠାରୁ ପରାସ୍ତ ହୋଇଥିଲେ। ଲିଙ୍କ ନିଷ୍ପତ୍ତିକୁ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ମାଲେସିଆ ନୋର୍ଜା ଜାକାରିଆ ସ୍ବାଗତ କରିଛନ୍ତି।

Share