Categories: ଖେଳ

କିଟ୍‌ ଇଣ୍ଟରନ୍ୟାଶନାଲ ଚେସ୍‌ ଫେଷ୍ଟିଭାଲ: ରାଜେଶ ବିଜୟୀ, ଡ୍ର’ ରଖିଲେ ଦେବାଶିଷ

ଭୁବନେଶ୍ୱର, ୩।୬(ସ୍ପୋଟର୍‌ସ ବ୍ୟୁରୋ)- କିଟ୍‌ ବିଶ୍ୱବିଦ୍ୟାଳୟ ଓ ଅଲ୍‌ଓଡ଼ିଶା ଚେସ୍‌ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା କିଟ୍‌ ଇଣ୍ଟରନ୍ୟାଶନାଲ ଚେସ୍‌ ଫେଷ୍ଟିଭାଲର ରବିବାର ଥିଲା ଦ୍ୱିତୀୟ ଦିବସ। ଏଥିରେ କାଟାଗୋରି-ଏ’ର ୪ର୍ଥ ରାଉଣ୍ଡ ଖେଳ ଅନୁଷ୍ଠିତ ହୋଇଯାଇଛି। ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ଭାରତର ଆର୍‌.ଆର୍‌. ଲକ୍ଷ୍ମଣ ଏବଂ ଦୁଇ ତାଜାକିସ୍ତାନ ପ୍ରତିଯୋଗୀ ଖୁସେନ ଖୋଜେଭ ମହମ୍ମଦ ଓ ଆମୋନତୋଭ ଫାରୁଖ ୪ ପଏଣ୍ଟ ଲେଖାଏ ରଖି ମିଳିତ ଶୀର୍ଷରେ ରହିଛନ୍ତି। ସେହିଭଳି ଓଡ଼ିଆ ଖେଳାଳି ଉତ୍କଳ ରଞ୍ଜନ ସାହୁ ଓ ରାଜେଶ ନାୟକଙ୍କ ସମେତ ୧୬ ଜଣ ପ୍ରତିଯୋଗୀ ୩.୫ ପଏଣ୍ଟ ଲେଖାଏ ରଖି ତାଲିକାରେ ପଛକୁ ରହିଛନ୍ତି। ଚତୁର୍ଥ ରାଉଣ୍ଡରେ ଉତ୍କଳ ଚିଲିର ଭାସକ୍ୟୁଏଜ ଶ୍ଚରୋଡର ରୋଡ୍ରିଗୋଙ୍କ ବିପକ୍ଷରେ ବାଜି ଡ୍ର’ ରଖି ପଏଣ୍ଟ ଶେୟାର କରିଥିଲେ। ସେହିଭଳି ରାଜେଶ ତାମିଲନାଡ଼ୁର ପି. ଶ୍ୟାମନିଖିଳଙ୍କ ବିପକ୍ଷରେ ପଏଣ୍ଟ ଭାଗ କରିଥିଲେ। ଅନ୍ୟତମ ଓଡ଼ିଆ ଖେଳାଳି ତଥା ଜିଏମ୍‌ ଦେବାଶିଷ ଦାସ ବାଂଲାଦେଶର ମହମ୍ମଦ ଫାହଦ୍‌ ରହମନଙ୍କ ବିପକ୍ଷରେ ବାଜି ଡ୍ର ରଖିଛନ୍ତି। ଅପରପକ୍ଷରେ କାଟାଗୋରି-ବି’ରେ ୭ମ ରାଉଣ୍ଡ ଖେଳ ଶେଷ ହୋଇଯାଇଛି। ଓଡ଼ିଶାର ସାର୍ଥକ ଦେବତା ୬.୫ ପଏଣ୍ଟ ସହ ଅଗ୍ରଣୀ ହାସଲ କରିଛନ୍ତି। କାଟାଗୋରି-ବି ସୋମବାର ଉଦ୍‌ଯାପିତ ହେବ।

Share