Categories: ଖେଳ

କିଟ୍‌ରେ ସିକ୍କିମ ତା’ର ସବୁ ଘରୋଇ କ୍ରିକେଟ ମ୍ୟାଚ୍‌ ଖେଳିବ

ଭୁବନେଶ୍ୱର,୨୮।୭(ସ୍ପୋଟର୍‌ସ ବ୍ୟୁରୋ)- କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ଓ ସିକ୍କିମ କ୍ରିକେଟ ଆସୋସିଏଶନ (ଏସ୍‌ଆଇସିଏ) ମଧ୍ୟରେ ଏକ ବୁଝାମଣା ପତ୍ର ବା ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ଶନିବାର କିଟ୍‌ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶଙ୍କ କାର୍ଯ୍ୟାଳୟରେ ଏହି ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। କିଟ୍‌ ତରଫରୁ ଗଗନେନ୍ଦୁ ଓ ସିକ୍କିମ କ୍ରିକେଟ ଆସୋସିଏଶନ ତରଫରୁ ଅଧ୍ୟକ୍ଷ ଲୋମଜାଙ୍ଗ ଜି ତେନ୍‌ଜିଙ୍ଗ୍‌ ଓ ସମ୍ପାଦକ ସୋନମ ପାଲଡେନ ଭୂତିଆ ଏମ୍‌ଓୟୁରେ ସ୍ବାକ୍ଷର କରିଥିଲେ।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଗତ ୨୦୧୮-୧୯ ଘରୋଇ ସେସନରେ କିଟ୍‌ ସିକ୍କିମର ଘରୋଇ ଗ୍ରାଉଣ୍ଡ ରୂପେ ବ୍ୟବହୃତ ହୋଇଥିଲା। ବିସିସିଆଇର ନିର୍ଦ୍ଦେଶ ଅନୁସାରେ କିଟ୍‌ ସିକ୍କିମ୍‌ର ଘରୋଇ ଗ୍ରାଉଣ୍ଡ ରୂପେ କାର୍ଯ୍ୟକାରୀ ହୋଇଥିଲା। ବର୍ତ୍ତମାନ ଆଗାମୀ ୨୦୧୯-୨୦ ସେସନରେ କିଟ୍‌ ସିକ୍କିମର ମହିଳା ଓ ପୁରୁଷ ବିଭାଗର ସବୁ ବର୍ଗ ପାଇଁ ଘରୋଇ ଗ୍ରାଉଣ୍ଡ ରୂପେ ବ୍ୟବହୃତ ହେବ ବୋଲି ଏମ୍‌ଓୟୁରେ ଉଲ୍ଲେଖ କରାଯାଇଛି। କିଟ୍‌ ପରିସରରେ ସିକ୍କିମର କ୍ରିକେଟ ଦଳଗୁଡିକ ପାଇଁ ରହିବା ଓ ଖାଇବାର ବନ୍ଦୋବସ୍ତ କରାଯିବ। ସିକ୍କିମ କ୍ରିକେଟ ଆସୋସିଏଶନ ଦ୍ୱାରା ଆୟୋଜିତ ହେବାକୁ ଥିବା ମ୍ୟାଚ୍‌ଗୁଡିକ କିଟ୍‌ କ୍ରିକେଟ ଷ୍ଟାଡିୟମରେ ଖେଳାଯିବା ସ୍ପଷ୍ଟ ହୋଇଛି। ପୁଣି ଯଦି ଆବଶ୍ୟକ ହୁଏ ତେବେ ଆସୋସିଏଶନ ତା’ର ମ୍ୟାଚ୍‌ଗୁଡିକ ଡ୍ରିମ୍ସ ଓ ବିକାଶ ଗ୍ରାଉଣ୍ଡରେ ମଧ୍ୟ ଆୟୋଜନ କରିପାରିବ ବୋଲି ଏମ୍‌ଓୟୁରେ ଉଲ୍ଲେଖ କରାଯାଇଛି। ଆସୋସିଏଶନ ନିଜର କ୍ରିକେଟ ଗ୍ରାଉଣ୍ଡ ପ୍ରସ୍ତୁତ ନ କରିବା ପର୍ଯ୍ୟନ୍ତ ପ୍ରତିବର୍ଷ ଏହି ଏମ୍‌ଓୟୁର ନବୀକରଣ ହେବ। କିଟ୍‌ରେ ଥିବା ଆନୁଷଙ୍ଗିକ ସୁବିଧାସୁଯୋଗ ନେଇ ଆସୋସିଏଶନର ଅଧ୍ୟକ୍ଷ ଓ ସମ୍ପାଦକ ସନ୍ତୋଷ ପ୍ରକଟ କରିଛନ୍ତି। ନିଜର ଘରୋଇ ଗ୍ରାଉଣ୍ଡ ରୂପେ ବ୍ୟବହାର କରିବା ପାଇଁ ସୁଯୋଗ ଦେଇଥବାରୁ ଏଥିପାଇଁ ସେମାନେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଏହି ଦୁଇ ଅଧିକାରୀ ଧନ୍ୟବାଦ ଜଣାଇଛନ୍ତି।

Share