Categories: ଖେଳ

କିଛି ଘଣ୍ଟା ପୂର୍ବରୁ ବାତିଲ ହେଲା ଇଣ୍ଡିଆନ୍‌ ଗ୍ରାଁ ପ୍ରି

ନୂଆଦିଲ୍ଲୀ, ୨୦ା୩ (ପି.ଟି.)- ଗୁରୁବାର ଇଣ୍ଡିଆନ୍‌ ଗ୍ରାଁ ପ୍ରି ଆରମ୍ଭ ହେବାକୁ ମାତ୍ର କେଇ ଘଣ୍ଟା ବାକିଥିବାବେଳେ ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଏହାକୁ ବାତିଲ ଘୋଷଣା କରିଛି। କୋଭିଡ୍‌-୧୯କୁ ନେଇ ସରକାରୀ ନିର୍ଦ୍ଦେଶନାମାକୁ ସମ୍ମାନ ଜଣାଇ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ଇଭେଣ୍ଟ ଏନ୍‌ଆଇଏସ୍‌ ପଟିଆଲାରେ ଆୟୋଜିତ ହୋଇଥାନ୍ତା। ଅନ୍ୟପକ୍ଷରେ ଆସନ୍ତା ମାସରେ ହେବାକୁଥିବା ଫେଡେରେଶନ କପ୍‌ ନ୍ୟାଶନାଲ ସିନିୟର ଚାମ୍ପିୟନଶିପ୍‌ (ଏପ୍ରିଲ ୧୦ରୁ ୧୩) ପଛକୁ ଘୁଞ୍ଚାଇ ଦିଆଯାଇଛି। ଟୋକିଓ ଅଲିମ୍ପିକ୍ସ ପାଇଁ ଏହା ଏକ କ୍ୱାଲିଫାଇଂ ଇଭେଣ୍ଟ। ଏଥିଲାଗି ପରେ ଦିନଧାର୍ଯ୍ୟ ହେବ। ଏପ୍ରିଲ ୧୫ ପର୍ଯ୍ୟନ୍ତ ପ୍ରତିଯୋଗିତା ଓ ଟ୍ରାଏଲ୍ସ ଆୟୋଜନ ବନ୍ଦ ରଖିବା ଲାଗି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଜାତୀୟ ମହାସଂଘକୁ ନିର୍ଦ୍ଦେଶ ଆସିବାର କିଛି ଘଣ୍ଟା ପରେ ଏଏଫ୍‌ଆଇ ଏହି ନିଷ୍ପତ୍ତି ନେଇଥିଲା। ଟ୍ରେନିଂ କ୍ୟାମ୍ପରେ ଅଂଶଗ୍ରହଣ କରି ନ ଥିବା କୌଣସି ଆଥ୍‌ଲେଟଙ୍କ ସହ ମିଳାମିଶା ନ କରିବା ଲାଗି ଅଲିମ୍ପିକ୍ସ ପାଇଁ ମନୋନୀତ ଆଥଲେଟ୍‌ମାନଙ୍କୁ କୁହାଯାଇଛି। ଇଣ୍ଡିଆନ ଆଥଲେଟିକ୍ସ ହାଇପରଫର୍ମାନ୍ସ ନିର୍ଦ୍ଦେଶକ ଭୋଲକର ହର୍ମାନ ସରକାରଙ୍କ ନିର୍ଦ୍ଦେଶ ମାନିବାକୁ ଏଏଫ୍‌ଆଇ ବାଧ୍ୟ। ଖେଳ ଅପେକ୍ଷା ଭାରତୀୟ ଲୋକମାନଙ୍କ ସ୍ବାସ୍ଥ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେବେ ଶୁକ୍ରବାର ପ୍ରଥମ ଇଣ୍ଡିଆନ ଗ୍ରାଁ ପ୍ରି ଆୟୋଜିତ ହୋଇ ନ ପାରିଥିବାରୁ ଆମେ ଦୁଃଖିତ। ପଟିଆଲାରେ ଦ୍ୱିତୀୟ ଗ୍ରାଁ ପ୍ରି ମାର୍ଚ୍ଚ ୨୫ରୁ ହୋଇଥାନ୍ତା। ଏହାକୁ ମଧ୍ୟ ବାତିଲ କରାଯାଇଥିବା ହର୍ମାନ ପ୍ରକାଶ କରିଛନ୍ତି। ପୁନଶ୍ଚ ଏପ୍ରିଲ ୧୦ରୁ ୧୩ ପର୍ଯ୍ୟନ୍ତ ପଟିଆଲାରେ ହେବାକୁଥିବା ଫେଡେରେଶନ କପ୍‌କୁ ଘୁଞ୍ଚାଇ ଦିଆଯାଇଛି। ଆମେ ଏହାକୁ ମେ କିମ୍ବା ଜୁନ୍‌ ମାସରେ ଆୟୋଜନ କରିବା ଲାଗି ଚିନ୍ତା କରୁଛୁ। ତେବେ ସେତେବେଳର ପରିସ୍ଥିତିକୁ ଚାହିଁ ଯାହା ନିଷ୍ପତ୍ତି ନିଆଯିବ ବୋଲି ହର୍ମାନ ସୂଚନା ଦେଇଛନ୍ତି। ପ୍ରଥମ ଇଣ୍ଡିଆନ ଗ୍ରାଁ ପ୍ରି ପାଇଁ ସତର୍କତା ଅବଲମ୍ବନ କରାଯାଇଥିଲା। ଯେଉଁମାନେ ଜାତୀୟ କ୍ୟାମ୍ପରେ ଭାଗ ନେଇଥିଲେ ସେମାନଙ୍କୁ କେବଳ ଏଥିରେ ଅଂଶଗ୍ରହଣ ପାଇଁ ଅନୁମତି ଥିଲା। ମାତ୍ର ପରେ ସରକାରଙ୍କ ପରାମର୍ଶକ୍ରମେ ଏହାକୁ କେବଳ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଥିବା ପ୍ରତିଯୋଗୀଙ୍କ ଲାଗି ସୀମିତ କରାଯାଇଥିଲା। ଏନ୍‌ଆଇଏସ୍‌ ଗେଟ୍‌ଠାରେ ଏଏଫ୍‌ଆଇ/ସାଇ ମେଡିକାଲ ଟିମ୍‌ ଦ୍ୱାରା ବାହାରୁ ଆସିଥିବା ସମସ୍ତ ଆଥଲେଟ୍‌ଙ୍କ ମେଡିକାଲ ଚେକ୍‌ଅପ୍‌ର ବ୍ୟବସ୍ଥା କରାଯାଇଥିଲା।

Share