କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ କହିଲେ‘ ଟଙ୍କା ଫେରସ୍ତ ପାଇଁ ବ୍ୟବସ୍ଥା କରାଯାଉଛି’

ଭୁବନେଶ୍ୱର,୧୮।୯(ବ୍ୟୁରୋ): ରାଜ୍ୟରେ ପ୍ରାୟ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଥିବା ନେଇ ପ୍ରଥମେ ତଥ୍ୟ ପ୍ରକାଶ ପାଇବା ପରେ ଏବେ ଏହା ମାତ୍ର ୩୨ହଜାର ବୋଲି ଜଣାପଡ଼ିଛି। ତେବେ ବୁଧବାର ଦିଲ୍ଲୀ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ପାଇଁ ବ୍ୟବସ୍ଥା କରାଯାଉଛି। ଯିଏ ଯେମିତି ଟଙ୍କା ନେଇଛନ୍ତି ସେମିତି ଫେରାଇବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କାଳିଆ ଅଯୋଗ୍ୟ ହିତାଧିକାରୀ ତାଲିକା ପ୍ରସଙ୍ଗ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ ପ୍ରତିକ୍ରିୟା ରଖି କହିଥିଲେ, ୩ ଲକ୍ଷ ୪୧ ହଜାର ନୁହେଁ, କେବଳ ୩୨ହଜାର ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ବାକି ୩ ଲକ୍ଷ ୯ହଜାର ହିତାଧିକାରୀଙ୍କ ପରିବାରରୁ ଏକାଧିକ ସଦସ୍ୟ କାଳିଆ ସହାୟତା ପାଇଛନ୍ତି। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ହିତାଧିକାରୀଙ୍କୁ କାଳିଆ ଅର୍ଥ ପ୍ରଦାନ ବେଳେ ଉକ୍ତ ଟଙ୍କା ଆଡଜଷ୍ଟ କରାଯିବ ବୋଲି ସେ କହିଛନ୍ତି।