କାଲି ଆସିବେ ପ୍ରଧାନମନ୍ତ୍ରୀ ମୋଦି: ଆକାଶ ମାର୍ଗରୁ ଓଡିଶା, ପଶ୍ଚିମବଙ୍ଗର ବାତ୍ୟା ସ୍ଥିତି ପରଖିବେ

ଭୁବନେଶ୍ୱର, ୨୧।୫(ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନିକିଆ ଓଡିଶା ଗସ୍ତରେ ଆସିବେ ବୋଲି ଜଣାପଡିଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଳମ୍ବିତ ରାତିରେ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ପିଏମ୍‌ଓ ପକ୍ଷରୁ ଟୁଇଟ୍‌ କରି ଉଲ୍ଲେଖ କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଏବଂ ଓଡିଶାର ବାତ୍ୟା ଦ୍ୱାରା ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ବୁଲି ଦେଖିବେ। ରିଲିଫ ଏବଂ ଥଇଥାନ କାର୍ଯ୍ୟ ପ୍ରସଙ୍ଗରେ ସମୀକ୍ଷା କରିବେ। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ବୋଲି ମଧ୍ୟ ଜଣାପଡିଛି। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଅପରାହ୍ନ ୧ଟାରୁ ୨ଟା ମଧ୍ୟରେ ଆସି ପହଞ୍ଚିବେ। ହେଲେ ତାଙ୍କ ଗସ୍ତ ସମୟ ନେଇ ପିଏମ୍‌ଓ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ସୂଚନା ମିଲିନାହିଁ। ରାଜ୍ୟ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି, କମିଶନର ସୁଧାଂଶୁ ଷଡଙ୍ଗୀ ଏବଂ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ବିମାନବନ୍ଦର ଯାଇ ସେଠାକାର ସିରକ୍ଷାର ସ୍ଥିତି ପରଖିଛନ୍ତି। ଏହାସହ ଅନ୍ୟାନ୍ୟ ସୁରକ୍ଷା ସ୍ଥିତି ସମ୍ପର୍କରେ ମଧ୍ୟ ଯାଞ୍ଚ କରିଛନ୍ତି। ବୁଧବାର ଓଡିଶା ଏବଂ ପଶ୍ଚିମବଙ୍ଗରେ ବାତ୍ୟା ‘ଅମ୍ଫନ’ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅମ୍ଫନ ଯୋଗୁ ପଶ୍ଚିମବଙ୍ଗରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିବା ସାଙ୍ଗକୁ ୭୨ଜଣଙ୍କ ଜୀବନ ଯାଇଛି। ତେଣୁ ପ୍ରଧାନମନ୍ତ୍ରୀ ଦୁଇ ରାଜ୍ୟର ବାତ୍ୟାଜନିତ କ୍ଷୟକ୍ଷତି ଦେଖି ସମୀକ୍ଷା କରି ଫେରିଯିବେ ବୋଲି ଜଣାପଡିଛି। ପ୍ରଧାନମନ୍ତ୍ରୀ ଅପରାହ୍ନରେ ଆସିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।