କାଗଜକଲମରେ ରାସ୍ତା ନିର୍ମାଣ

ଝୁମ୍ପୁରା, ୨୯।୧ (ଡି.ଏନ.ଏ.)- ଝୁମ୍ପୁରା ବ୍ଲକର ଗ୍ରାମାଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ହେଉଥିବା ରାସ୍ତାକୁ ନେଇ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଛି। ସମୟ ଅବଧି ଭିତରେ ରାସ୍ତା ନିର୍ମାଣ ନ ସରିବା, ନିମ୍ନମାନର କାମ, ରାସ୍ତା ନିର୍ମାଣ ପରେ ଗ୍ୟାରେଣ୍ଟି ଅବଧି ୫ବର୍ଷ ରହିଥିଲେ ହେଁ ବର୍ଷଟିଏ ନ ପୂରୁଣୁ ରାସ୍ତାରୁ ପିଚୁ ଉଠିଯାଇ ଖାଲଖମାରେ ଭର୍ତ୍ତି ହୋଇଯିବା ଆଦି ଅଭିଯୋଗ ପରେ ଏବେ ଝୁମ୍ପୁରା ବ୍ଲକର ନୟାଗଡ-ଶ୍ରଦ୍ଧାପଙ୍କ ରାସ୍ତା ଏବଂ ମହାଦେବପୁର- ପାର୍ବତୀପୁର ରାସ୍ତା କାଗଜପତ୍ରରେ ରାସ୍ତା ନିର୍ମାଣ ସରିଥିଲେ ହେଁ, ବାସ୍ତବ ପକ୍ଷେ ଉକ୍ତ ରାସ୍ତା ଦ୍ୱୟର ନିର୍ମାଣ ଅଧାପନ୍ତରିଆ ହୋଇରହିଛି। ରାସ୍ତା ଦ୍ୱୟର ଅନେକ ସ୍ଥାନରେ ଗାର୍ଡୱାଲ ନିର୍ମାଣ ସରି ନ ଥିବାବେଳେ, ନିର୍ମାଣ ସରିଥିବା ରାସ୍ତା ପାର୍ଶ୍ୱ ଗାର୍ଡୱାଲରେ ମଧ୍ୟ ମୋରମ ଫିଲିଂ କରାଯାଇ ନାହିଁ। କେତେକ ସ୍ଥାନରେ ପିଚୁକାମ ହୋଇଥିବାର ବର୍ଷଟିଏ ଯାଇନାହିଁ ପିଚୁ ଉଠିବାକୁ ଆରମ୍ଭ କଲାଣି। ରାସ୍ତା କାମକୁ ନେଇ ଗ୍ରାମବାସୀ ଅଭିଯୋଗ କଲେ ଝୁମ୍ପୁରାସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରୁ ଉତ୍ତର ମିଳୁଛି ରାସ୍ତାକାମ ସରିଯାଇଛି।
ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ମହାଦେବପୁର- ପାର୍ବତୀପୁର ରାସ୍ତା (୩କି.ମି ୩୦୦ମିଟର ଦୈର୍ଘ୍ୟ) ନିର୍ମାଣ ପାଇଁ ୧କୋଟି ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ରହିଥିଲା। ସୂଚନା ଫଳକ ଅନୁସାରେ କାର୍ଯ୍ୟାରମ୍ଭ ତା୪।୧୧।୨୦୧୫ରିଖ ରହିଥିବା ବେଳେ, କାର୍ଯ୍ୟଶେଷ ତା୩।୧୧।୨୦୧୬ରିଖ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା ଅଧାପନ୍ତରିଆ ହେଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ସୂଚନା ଅନୁଯାୟୀ ରାସ୍ତା ନିର୍ମାଣ କାମ ସରିଯାଇଛି। ସେହିପରି ଜଙ୍ଗଲାଞ୍ଚଳରେ ଅବସ୍ଥିତ ଶ୍ରଦ୍ଧାପଙ୍କ – ନୟାଗଡ ରାସ୍ତା (ଦୈର୍ଘ୍ୟ ୩କି.ମି ୯୦୦ମିଟର) ନିର୍ମାଣ ପାଇଁ ୧କୋଟି ୭୯ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ରହିଛି। ସୂଚନା ଫଳକ ଅନୁସାରେ କାର୍ଯ୍ୟାରମ୍ଭ ତା୫।୧।୨୦୧୬ ରହିଥିବା ବେଳେ, କାର୍ଯ୍ୟଶେଷ ତା୪।୧।୨୦୧୭ ରହିଛି। ହେଲେ ଏବେ ମଧ୍ୟ କାମ ଅଧାରେ ପଡି ରହିଛି। କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗର କାଗଜ ପତ୍ରରେ ରାସ୍ତା କାମ ସରିଯାଇଛି।
ରାସ୍ତା ଦ୍ୱୟରେ ନିମ୍ନମାନର ପିଚୁ କାମ, ଗାର୍ଡୱାଲ ନିର୍ମାଣ ଓ ମୋରମ ଫିଲିଂ ନେଇ ଝୁମ୍ପୁରାସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନର୍ବାହୀ ଯନ୍ତ୍ରୀ ବଳଭଦ୍ର ମାରାଣ୍ଡିଙ୍କୁ ପଚାରିବାରୁ ରାସ୍ତାକାମ ସରି ଯାଇଛି, ଅଳ୍ପ କିଛି କାମ ବାକିଅଛି। ଟେଣ୍ଡରଧାରୀଙ୍କୁ କୁହାଯାଇଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।